ଡିଜିଟାଲ ଔଷଧ । ରୋଗୀ ଖାଉଛି କେତେବେଳେ, କଣ ପଡୁଛି ପ୍ରଭାବ । ଘରେ ବସି ଜାଣିପାରିବେ ଡାକ୍ତର ।

34

ଔଷଧ ବିଜ୍ଞାନରେ ବଡ ସଫଳତା । ରୋଗୀ ଟାବଲେଟ ଖାଇଲେ ଜାଣିପାରିବେ ଡାକ୍ତର । ରୋଗୀ ମେଡିସିନ ଖାଇଲେ ଡାକ୍ତରଙ୍କ ନିକଟକୁ ମ୍ୟାସେଜ ଯିବ । ଡିଜିଟାଲ ଟ୍ରାକିଙ୍ଗ ଉପକରଣ ଥିବା ଏହି ଟାବଲେଟକୁ ଆମେରିକା ନିୟାମକ ମଂଜୁରୀ ଦେଇଛି । ଯାହା ଦ୍ୱାରା ରୋଗୀ ଠିକ ସମୟରେ ଔଷଧ ଖାଉଛନ୍ତି କି ନାହିଁ ଡାକ୍ତର ଜାଣିପାରିବେ । ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ କହିଛି, ଆବ୍ଲିଫାଏ ମେଜ ଏକ ସ୍ୱତନ୍ତ୍ର ଟାବଲେଟ । ଏହା ସିଜୋଫ୍ରୋନିଆ, ବାଇପୋଲାର ଡିସଅର୍ଡର, ଅବସାଦଗ୍ରସ୍ତ ରୋଗୀଙ୍କ ପାଇଁ ତିଆରି କରାଯାଇଛି ।

ରୋଗୀ ଏହି ଟାବଲେଟ ଖାଇବା ପରେ, ଏନଜାଇମଙ୍କ ସଂସ୍ପର୍ଶରେ ଆସି ଟାବଲେଟ ସକ୍ରିୟ ହେବ । ଏବଂ ଟାବଲେଟ ଏହି ମ୍ୟାସେଜ ଗୋଟିଏ ପ୍ୟାଚ ଆକାରରେ ମୋବାଇଲକୁ ଯିବ । ରୋଗୀଙ୍କ ଡାକ୍ତର, ପରିବାର ଓ ସମ୍ପର୍କୀୟମାନେ ଏହି ୱେବ ପୋର୍ଟାଲ ମାଧ୍ୟମରେ ସଂପୂର୍ଣ୍ଣ ତଥ୍ୟ ଜାଣିପାରିବେ । ଫଳରେ ରୋଗୀଙ୍କୁ ସମସ୍ତେ ଯତ୍ନ ନେଇପାରିବେ । ଖାଦ୍ୟ ଓ ଔଷଧ ପ୍ରଶାସନ କହିଛି, ମୁଣ୍ଡରୋଗ ସମସ୍ୟା ଥିବା ଲୋକଙ୍କ କ୍ଷେତ୍ରରେ ଏହି ଔଷଧ ଫଳପ୍ରଦ ହୋଇଛି ।

ଟାବଲେଟରେ ଥିବା ସେନସର ଖାଦ୍ୟଶସ୍ୟରୁ ତିଆରି କରାଯାଇଛି । ଏହାର ଆକାର ବାଲି ଭଳି । ଏହି ସେନସର ତରଳ ପଦାର୍ଥ ସଂସ୍ପର୍ଶରେ ଆସିଲେ ଏହା ସକ୍ରିୟ ହୋଇଥାଏ । କାମ କରି ସାରିବା ପରେ ସେନସରର ଅବଶିଷ୍ଟାଂଶ ରୋଗୀର ଶରୀରରୁ ବାହାରିଯାଏ । ଏହି ସେନସରରେ ଏଭଳି ଏକ ଯନ୍ତ୍ର ରହିଛି ଯାହା ରୋଗୀ ମେଡିସିନ ଖାଇବାର ତାରିଖ ଓ ସମୟ ରେକର୍ଡ କରିପାରିବା ସହ ରୋଗୀର ଚାଲିଚଳନ ବିଷୟରେ ଜାଣିପାରିବ ।
ଟାବଲେଟ ଖାଇବା ପରେ, ରୋଗୀର ସମସ୍ତ ତଥ୍ୟ, ମାଇ ଆପ ସାଇଟ ମାଧ୍ୟମରେ ତଥ୍ୟ ରେକର୍ଡ ହୋଇପାରିବ । ଏହି ଔଷଧର ସଠିକ ବ୍ୟବହାର ରୋଗୀଙ୍କୁ ଅନେକ ଫାଇଦା ଦେବ ।