ବିମୁଦ୍ରାକରଣ ପରେ ଡିଜିଟାଲ୍ ପେମେଣ୍ଟ୍ ଝଟକା: ବ୍ୟାଙ୍କମାନଙ୍କ କ୍ଷତି ୩୮୦୦ କୋଟି
ବିମୁଦ୍ରାକରଣ ପରେ ସରକାର ଡିଜିଟାଲ୍ ପେମେଣ୍ଟ୍ ବଢ଼ାଇବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସେଥିପାଇଁ ବ୍ୟାଙ୍କମାନଙ୍କୁ ପଏଣ୍ଟ୍-ଅଫ୍-ସେଲ୍ ମେସିନ୍ ସଂଖ୍ୟା ବଢ଼ାଇବାକୁ କୁହାଯାଇଥିଲା । ସରକାରଙ୍କ ନିର୍ଦେଶ ଅନୁସାରେ ବ୍ୟାଙ୍କଗୁଡ଼ିକ ସେମାନଙ୍କ ପିଓଏସ୍ ସଂଖ୍ୟା ଦ୍ୱିଗୁଣିତ କରିଛନ୍ତି । ସରକାରଙ୍କ ଡିଜିଟାଲ୍ ସ୍ୱପ୍ନ ପୂରଣ କରିବା ପାଇଁ ବ୍ୟାଙ୍କମାନେ ଗ୍ରହଣ କରିଥିବା ଏହି ପଦକ୍ଷେପ ସେମାନଙ୍କୁ ପ୍ରତିବର୍ଷ ୩୮୦୦ କୋଟି ଟଙ୍କାର ଝଟକା ଦେବ ବୋଲି ‘ଏସବିଆଇ ରିସର୍ଚ’ ଏହାର ରିପୋର୍ଟରେ ପ୍ରକାଶ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିମୁଦ୍ରାକରଣ ଘୋଷଣା ପରେ ବ୍ୟାଙ୍କଗୁଡ଼ିକ ହାରାହାରି ପ୍ରତିଦିନ ୫୦୦୦ ପଏଣ୍ଟ୍-ଅଫ୍-ସେଲ୍ ମେସିନ୍ ସ୍ଥାପନ କରିଥିଲେ। ୨୦୧୬ ମାର୍ଚ ବେଳକୁ ସବୁ ବ୍ୟାଙ୍କମାନଙ୍କର ପିଓଏସ୍ ମେସିନ୍ ସଂଖ୍ୟା ୧୩.୮ ଲକ୍ଷ ଥିଲା । ଚଳିତ ବର୍ଷ ଜୁଲାଇ ସୁଦ୍ଧା ସେହି ସଂଖ୍ୟା ୨୮.୪ ଲକ୍ଷରେ ପହଞ୍ଚିଛି ।
ଅଧିକ ପିଓଏସ୍ ମେସିନ୍ ସ୍ଥାପନ ହେବା ପରେ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଜରିଆରେ କାରବାର ପରିମାଣ ବଢ଼ିଛି । ୨୦୧୬ ଅକ୍ଟୋବରରେ ଏଭଳି କାରବାର ପରିମାଣ ୫୧,୬୦୦ କୋଟି ଟଙ୍କା ଥିଲା । ୨୦୧୭ ଜୁଲାଇ ସୁଦ୍ଧା ତାହା ୬୮,୭୦୦ କୋଟି ଟଙ୍କାରେ ପହଞ୍ଚିଛି । ୨୦୧୬ ଡିସେମ୍ବରରେ ସର୍ବାଧିକ ୮୯,୨୦୦ କୋଟି ଟଙ୍କାର ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ କାରବାର ହୋଇଥିଲା ।
ଏସବିଆଇ କାର୍ଡ ଏହାର ରିପୋର୍ଟରେ ଜଣାଇଛି ଯେ ପିଓଏସ୍ ଟର୍ମିନାଲରେ କାର୍ଡ କାରବାର (ଅଫ୍-ଅସ୍) ଯୋଗୁଁ ବର୍ଷକୁ ହାରାହାରି ୪୭୦୦ କୋଟି ଟଙ୍କାର କ୍ଷତି ବ୍ୟାଙ୍କମାନେ ସହିବେ । ସେହି ସମୟରେ ବର୍ଷକୁ ରାଜସ୍ୱ ଆଦାୟ (ଅନ୍-ଅସ୍ କାରବାର) ୯୦୦ କୋଟି ଟଙ୍କା ରହିବ । ଫଳରେ ବର୍ଷକୁ ବ୍ୟାଙ୍କଗୁଡ଼ିକର ପ୍ରକୃତ କ୍ଷତି ୩୮୦୦ କୋଟି ଟଙ୍କା ହେବ । ଯଦି କାର୍ଡ ଜାରି କରିଥିବା ଏବଂ ପିଓଏସ୍ ମୂତୟନ କରିଥିବା ବ୍ୟାଙ୍କ ଗୋଟିଏ ହୋଇଥିବ ତେବେ ସେଭଳି କାରବାରକୁ ଅନ୍-ଅସ୍ କାରବାର କୁହାଯାଏ । ମାତ୍ର ଯଦି ପିଓଏସ୍ ମୂତୟନ କରିଥିବା ବ୍ୟାଙ୍କ ଏବଂ କାର୍ଡ ଜାରି କରିଥିବା ବ୍ୟାଙ୍କ ଅଲଗା ଅଲଗା ହୋଇଥିବେ ସେହି ଧରଣର କାରବାରକୁ ଅଫ୍-ଅସ୍ କାରବାର କୁହାଯାଏ ।
ଦ୍ୱିତୀୟ କାରବାରରେ ପିଓଏସ୍ ମୂତୟନ କରିଥିବା ବ୍ୟାଙ୍କ ପିଓଏସ୍ ଭିତ୍ତିଭୂମିଠାରୁ ଆରମ୍ଭ କରି କ୍ଲିୟରିଂ, ସେଟଲ୍ମେଣ୍ଟ୍, ମର୍ଚାଣ୍ଟ୍ ଟ୍ରେନିଂ, ଟର୍ମିନାଲ୍ ରକ୍ଷଣାବେକ୍ଷଣ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇବାର ସମସ୍ତ ଖର୍ଚ ବହନ କରିଥାଏ । କାର୍ଡ ଜାରି କରିଥିବା ବ୍ୟାଙ୍କ ମଧ୍ୟ ବିଫଳ ହେଊଥିବା କାରବାର କିମ୍ବା ଠକେଇ ଆଦିକୁ ସାମ୍ନା କରିଥାଏ । ଏଭଳି ପରିସ୍ଥିତିରେ କାର୍ଡ କାରବାର ଦୀର୍ଘ ଦିନ ବଜାୟ ରହିବା ସମ୍ଭବପର ନୁହେଁ ବୋଲି ଏସବିଆଇ ରିସର୍ଚ ପକ୍ଷରୁ କୁହାଯାଇଛି । କାର୍ଡ କାରବାରକୁ ଦୀର୍ଘ ଦିନ ବଜାୟ ରଖିବାକୁ ହେଲେ ମ୍ଡିଆର୍ (ମର୍ଚାଣ୍ଟ୍ ଡିସକାଉଣ୍ଟ୍ ରେଟ୍), ଟେଲିକମ୍ ଭିତ୍ତିଭୂମି ଏବଂ କାର୍ଡ ବ୍ୟବହାରରେ ଉନ୍ନତି ଆଣିବାକୁ ପଡ଼ିବ ଏବଂ କାର୍ଡ ପେମେଣ୍ଟ୍ ଗ୍ରହଣ କରିବା ପାଇଁ ବ୍ୟବସାୟୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯିବା ଦରକାର ବୋଲି ଏସବିଆଇ ରିସର୍ଚ ରିପୋର୍ଟରେ ପ୍ରକାଶ କରାଯାଇଛି ।