କ୍ରିକେଟ୍ ମୈଦାନକୁ ଆସୁଛନ୍ତି କ୍ୟାପଟେନ୍ କୁଲ୍ । ପୁଣି ଦେଖିବାକୁ ମିଳିବ ଧୋନୀଙ୍କ ଧୁମ୍, ମାହି ମାହି ନାରାରେ କମ୍ପିବ ଷ୍ଟାଡିୟମ୍ ।

3,481

କନକ ବ୍ୟୁରୋ : କୁଆଡେ ଗଲେ ଧୋନୀ ? କ୍ରିକେଟ୍ ମୈଦାନରେ ପୁଣି କେବେ ଦେଖିବାକୁ ମିଳିବ ମାହିଙ୍କ ମ୍ୟାଜିକ୍ । ଆପଣଙ୍କ ମନରେ ଥିବା ଏଭଳି କିଛି ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । କାରଣ ଖୁବ ଶୀଘ୍ର କ୍ରିକେଟ୍ ଦୁନିଆକୁ ଫେରୁଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ।

ପୁଣି ପଡିଆରେ ଦେଖିବାକୁ ମିଳିବ ଧୋନୀଙ୍କ ଧୂଆଁଧାର ସଟ୍ । ମାହି ମାହି ନାରାରେ କମ୍ପିବ ଷ୍ଟାଡିୟମ୍ । ୨୦୧୯ ବିଶ୍ୱକପ୍ ସେମିଫାଇନାଲରେ ଟିମ୍ ଇଣ୍ଡିଆର ପରାଜୟ ପରେ ନିଜକୁ କ୍ରିକେଟ୍ ଠାରୁ ଦୂରେଇ ରଖିଥିବା ଧୋନୀ ପୁଣି ଥରେ ବ୍ୟାଟ୍ ଧରିବାକୁ ଯାଉଛନ୍ତି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ ଦଳ ସହ ଅଭ୍ୟାସ ମୈଦାନରେ ନଜର ଆସିବେ ମାହି । ଦଳର ଅନ୍ୟ ଖେଳାଳୀଙ୍କ ସହ ସେ ଆସନ୍ତା ମାର୍ଚ୍ଚ ମାସ ୨ ତାରିଖରୁ ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଝାଳ ବୁହାଇବେ ।

ଆଇପିଏଲ ୨୦୨୦ ପାଇଁ ବଢୁଛି ଉତ୍ସାହ । ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗସ । ଏହି ମ୍ୟାଚ୍ ପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଯେତିକି ଉତ୍ସାହ ରହିଛି, ତାଠୁ ଅଧିକ ଉତ୍ସାହିତ ଅଛନ୍ତି ଧୋନୀଙ୍କ କମବ୍ୟାକକୁ ନେଇ । କାରଣ ପାଖାପାଖି ୭ ମାସ ହେବ ନିଜ ପ୍ରିୟ ଖେଳାଳୀଙ୍କୁ କ୍ରିକେଟ୍ ମୈଦାନରେ ଦେଖିବାକୁ ପାଇନାହାନ୍ତି କ୍ରୀଡାପ୍ରେମୀ ।