ଜାତୀୟ ପତାକାର ସମ୍ମାନ ରଖିଲେ ଧୋନି ! ତଳେ ପଡିବା ପୂର୍ବରୁ ତ୍ରିରଙ୍ଗାକୁ ଉଠାଇ ନେଲେ ଧୋନି, କ୍ୟାମେରାରେ କଏଦ ହେଲା ପୂୂରା ଘଟଣା । ଦେଖନ୍ତୁ ସେହି ମୁହୂର୍ତ୍ତର ଭିଡିଓ ।

3,990

କନକ ବ୍ୟୁରୋ : ହାମିଲଟନରେ ରୋମାଞ୍ଚକର ମ୍ୟାଚରେ ଭାରତ ୪ ରନରେ ପରାସ୍ତ ହେବା ସହ ସିରିଜ ହାତଛଡା କରିଛି । ଯାହା ଭାରତୀୟ ପ୍ରଂଶସକଙ୍କୁ କିଛି ମାତ୍ରାରେ ନିରାଶ କରିଛି । ତେବେ ଏହି ମ୍ୟାଚରେ ଧୋନି ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ ମଧ୍ୟ ସମସ୍ତଙ୍କର ମନ ଜିଣିଛନ୍ତି । ଦେଶର ଜାତୀୟ ପତାକାକୁ ପଡିଆରେ ପଡିବା ପୂର୍ବରୁ ଉଠାଇ ନେଇ ପୂରା ଦେଶବାସୀଙ୍କ ମନ ଜିଣି ନେଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ନ୍ୟୁଜିଲାଣ୍ଡ ବ୍ୟାଟିଂ କରୁଥିବା ସମୟରେ ଜଣେ କ୍ରିକେଟ ପ୍ରଂଶସକ ସୁରକ୍ଷାବଳୟକୁ ଭେଦ କରି ପଡିଆ ମଧ୍ୟକୁ ଦୌଡି ଆସିଥିଲେ । ହାତରେ ଥିଲା ତ୍ରିରଙ୍ଗା ପତାକା ଆଉ ଏକମୁହାଁ ହୋଇ ଦୌଡିଥିଲେ ୱିକେଟକିପିଂ କରୁଥିବା ଧୋନିଙ୍କ ପାଖକୁ । କେହି କିଛି ବୁଝିବା ପୂର୍ବରୁ ଧୋନିଙ୍କ ପାଖରେ ପହଞ୍ଚି ଆଣ୍ଠେଇ ପଡିଥିଲେ ଏହି ଫ୍ୟାନ ଜଣକ । ଧୋନିଙ୍କ ପାଦ ଛୁଇଁବା ପରେ ପିନ୍ଧିଥିବା କୁର୍ତ୍ତାରେ ଧୋନିଙ୍କ ପାଦ ସଫା କରିବାକୁ ଉଦ୍ୟତ ହେଉଥିବା ବେଳେ ଫ୍ୟାନଙ୍କ ଠାରୁ ତ୍ରିରଙ୍ଗା ଛଡାଇ ଆଣିଥିଲେ ପୂର୍ବତନ ଅଧିନାୟକ ।

ସେହି ସମୟରେ ଧୋନିଙ୍କ ନଜର ଫ୍ୟାନଙ୍କ ବଦଳରେ ଭାରତର ଜାତୀୟ ପତାକା ଉପରେ ଥିଲା । କାରଣ ପ୍ରଂଶସକ ଜଣକ ହାତରେ ତ୍ରିରଙ୍ଗା ଧରି ଧୋନିଙ୍କ ପାଦ ଛୁଇଁବାକୁ ଯାଉଥିଲେ । ଆଉ ଏହା ଦେଖିବା ପରେ ପାଦ ଛୁଇଁବା ପୂର୍ବରୁ ଫ୍ୟାନଙ୍କ ଠାରୁ ତ୍ରିରଙ୍ଗା ଛଡାଇ ଆଣିଥିଲେ ଧୋନି । ଜାତୀୟ ପତାକା ମାଟି ଛୁଇଁବା ପୂର୍ବରୁ ନିଜ ହାତକୁ ନେଇ ଆସିଥିଲେ ଧୋନି । ଆଉ ଏଭଳି କରି ଭାରତର ଜାତୀୟ ପତାକାର ସମ୍ମାନ ରଖିଥିଲେ ଧୋନି ଓ ତତକ୍ଷଣାତ ସେହି ପ୍ରଂଶସକ ଜଣକୁ ପଡିଆରୁ ବାହାରକୁ ଯିବାକୁ କହିଥିଲେ । ପରେ ସୁରକ୍ଷାକର୍ମୀ ଉକ୍ତ ଫ୍ୟାନ ଜଣଙ୍କୁ ପଡିଆ ବାହାରକୁ ନେଇଯାଇଥିଲେ ।


ଏଭଳି ଘଟଣା ଧୋନିଙ୍କ ସହ ପ୍ରଥମ ଥର ପାଇଁ ହୋଇନାହିଁ । ଏହାପୂର୍ବରୁ ମଧ୍ୟ ଅନେକ ପ୍ରଂଶସକ ସୁରକ୍ଷାବଳୟ ଭେଦ କରି ପଡିଆକୁ ପ୍ରବେଶ କରିବା ସହ ଧୋନିଙ୍କ ପାଦ ଛୁଇଁଥିବାର ନଜିର ରହିଛି । ବିଭିନ୍ନ ଟୁର୍ଣ୍ଣାମେଣ୍ଟ ଠାରୁ ଆରମ୍ଭ କରି ଆଇପିଏଲ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଆଜି ଯେଉଁଭଳି ଭାବେ ତ୍ରିରଙ୍ଗା ତଳେ ପଡିବା ପୂର୍ବରୁ ଧୋନି ଉଠାଇ ନେଇଥିଲେ ତାହା ପ୍ରତି ଭାରତୀୟଙ୍କ ମନରେ ଧୋନିଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ।