୨୦୧୯ ବିଶ୍ୱକପ ପାଇଁ ମାହି ଫିଟ୍ ! ରିପୋର୍ଟ କାର୍ଡ ଦେଲେ କୋଚ୍ ରବି ଶାସ୍ତ୍ରୀ

20

କନକ ବ୍ୟୁରୋ : ୨୦୧୯ ବିଶ୍ୱକପକୁ ନେଇ ଫୋକସରେ ଅଛନ୍ତି ମାହି । ପୂର୍ବତନ କ୍ୟାପଟେନ୍ କୁଲଙ୍କ ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟ୍ ଭିବଷ୍ୟତକୁ ନେଇ ଉପୁଜିଥିବା ସନ୍ଦେହ ଦୂର କରିଛନ୍ତି କୋଚ୍ ରବି ଶାସ୍ତ୍ରୀ । ଇଂଲଣ୍ଡରେ ହେବାକୁ ଥିବା ୨୦୧୯ ବିଶ୍ୱକପ ପାଇଁ ଧୋନି ଫିଟ୍ ବୋଲି କହିଛନ୍ତି ଶାସ୍ତ୍ରୀ । ଶ୍ରୀଲଙ୍କା ବିପକ୍ଷ ସିରିଜରେ ଧୋନୀଙ୍କ ଚମକ୍ରାର ପ୍ରଦର୍ଶନକୁ ନେଇ ଶତମୁଖ ଶାସ୍ତ୍ରୀ । ଏହି ୩ଟି ମ୍ୟାଚରେ ଧୋନିଙ୍କ ମ୍ୟାଚ ବିଜୟୀ ଇନିଂସ ଭାରତର ସିରିଜ ବିଜୟରେ ସହାୟକ ହୋଇଥିଲା ।

ଚଳିତ ଶ୍ରୀଲଙ୍କା ବିପକ୍ଷ ୪ଟିରୁ ଶେଷ ତିନିଟି ମ୍ୟାଚରେ ଯଥାକ୍ରମେ ୪୫, ୬୭ ଓ ୪୯ ରନର ଅପରାଜିତ ପାଳି ଖେଳିବା ପରେ ଧୋନିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଶାସ୍ତ୍ରୀ। କେବଳ ପ୍ରଶଂସା ନୁହେଁ, ଧୋନି ଏବେ ବି ଆନ୍ତର୍ଜାତିକ କ୍ରିକେଟରେ ନିଜ ଜୀବନର ଅଧା ବାଟ କି ଅତିକ୍ରମ କରିନଥିବା ଶାସ୍ତ୍ରୀ ଉଲ୍ଲେଖ କରିଛନ୍ତି। ଗୁରୁବାର ନିଜର ୩୦୦ତମ ଦିନିକିଆ ମ୍ୟାଚ୍ ଖେଳି ସାରିଥିବା ଧୋନି ଏବେ ଖୁବ୍ ଚମତ୍କାର ଫର୍ମରେ ରହିଛନ୍ତି। ଦଳ ପାଇଁ ସେ ସର୍ବଦା ପ୍ରେରଣାଦାୟୀ ହୋଇ ରହିଛନ୍ତି। ଦଳରେ ତାଙ୍କର ପ୍ରଭାବ ରହିଛି। ଡ୍ରେସିଂ ରୁମରେ ତାଙ୍କ ଉପସ୍ଥିତି ଅନ୍ୟ ଖେଳାଳିଙ୍କ ମନୋବଳ ବୃଦ୍ଧି କରିଥାଏ ।

ଏବେ ମଧ୍ୟକ୍ରମରେ ନିଜର ଜଲୱା ଦେଖାଉଛନ୍ତ ମାହିି । ଏପରିକି ୨ୟ ଦିନିକିଆରେ ଧୋନିଙ୍କ ବ୍ୟାଟିଂ ବେଶ ପ୍ରଶଂସନୀୟ ଥିଲା । ୭ଟି ୱିକେଟର ପତନ ପରେ ନିଶ୍ଚିତ ପରାଜୟ ଆଡକୁ ଗତି କରୁଥିବା ଭାରତକୁ ବିଜୟର ରାସ୍ତା ଦେଖାଇଥିଲେ ମାହି । ଭୁବନେଶ୍ୱର କୁମାରଙ୍କୁ ସାଥୀ କରି ଶ୍ରୀଲଙ୍କା ହାତରୁ ମ୍ୟାଚ ଛଡାଇ ଆଣିଥିଲେ ମାହି । ଶ୍ରୀଲଙ୍କା ବିପକ୍ଷ ସିରିଜରେ ୪ଟି ମ୍ୟାଚରୁ ୩ଟି ମ୍ୟାଚରେ ଧୋନି ଅପରାଜିତ ରହିବା ଭାରତୀୟ ଦଳ ପାଇଁ ଖୁସି ଖବର ଆଣି ଦେଇଛି ।

ଆନ୍ତର୍ଜାତିକ କ୍ରିକେଟର ତିନି ଫର୍ମାଟର ନେତୃତ୍ୱ ଛାଡ଼ିବା ସାଙ୍ଗକୁ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଥିବା ମହେନ୍ଦ୍ର ସିଂହ ଧୋନି ଏବେ କେବଳ ସୀମିତ ଓଭର (ଦିନିକିଆ ଓ ଟି-୨୦) ଖେଳୁଛନ୍ତି। ତେବେ ତାଙ୍କର ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ଭବିଷ୍ୟତ ନେଇ ପ୍ରାୟ ସମୟରେ ଚର୍ଚ୍ଚା ଚାଲିଛି। ସେ କେବେ ଦିନିକିଆରୁ ଅବସର ନେବେ ସେ ନେଇ ବହୁ ସମୟରେ ଅଧିନାୟକ ବିରାଟ କୋହଲି ପ୍ରଶ୍ନବାଣର ସମ୍ମୁଖୀନ ହେଉଛନ୍ତି । ହେଲେ ଏସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ମୁଖ୍ୟ କୋଚ ରବି ଶାସ୍ତ୍ରୀ । ୩୬ ବର୍ଷରେ ପାଦ ଦେଇଥିବା ଧୋନି ଏବେ ଚମତ୍କାର ଫର୍ମରେ ଅଛନ୍ତି । ତେଣୁ ଧୋନିଙ୍କୁ ସୀମିତ ଓଭରରୁ ବାଦ ଦେବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ଶାସ୍ତ୍ରୀ ।

କେବଳ ସେତିକି ନୁହେଁ, ଧୋନି ମଧ୍ୟ ମୋର ଆଗାମୀ ୨୦୧୯ ବିଶ୍ୱକପ୍ ଯୋଜନାରେ ରହିଛନ୍ତି ବୋଲି ଶାସ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଯଦି କେହି ତାଙ୍କ ଅବସର କଥା ଚିନ୍ତା କରୁଥାନ୍ତି, ତାହାରେ ସେମାନେ ଭୁଲ ଭାବୁଛନ୍ତି ବୋଲି ଶାସ୍ତ୍ରୀ କହିଛନ୍ତି। ଧୋନି ମଧ୍ୟ ଦେଶର ସର୍ବଶ୍ରେଷ୍ଠ ଓ୍ଵିକେଟରକ୍ଷକ ବୋଲି ଶାସ୍ତ୍ରୀ କହିବାକୁ ପଛାଇ ନାହାନ୍ତି। ଧୋନି ବିଶ୍ୱର ଶ୍ରେଷ୍ଠ ୱିକେଟକିପରଙ୍କ ମଧ୍ୟରୁ ଅନ୍ୟତମ । ତେଣୁୁ ତାଙ୍କ ଦଳରୁ ବାଦ ଦେବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି କୋଚ ଶାସ୍ତ୍ରୀ । ତା ସହ ଶାସ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ସୁନିଲ ଗାଭାସ୍କର ହୁଅନ୍ତୁ କି ସଚିନ୍ ତେନ୍ଦୁଲକର କାହାରିକୁ ବି ୩୬ ବର୍ଷ ବୟସରେ ଅବସର ନେବାକୁ କେହି କହିନଥିଲେ। ସେଭଳି ମହାନ୍ ଖେଳାଳି ନିଜେ ନିଜେ ଆବଶ୍ୟକତାକୁ ଉପଲବଧି କରି ଅବସର ନେଇଛନ୍ତି। ସେହି ଦୃଷ୍ଟିରୁ ଧୋନିଙ୍କ ଭବିଷ୍ୟତ ନେଇ ସନ୍ଦେହ କରିବାର ଆବଶ୍ୟକତା ନାହିଁ ବୋଲି ଶାସ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଧୋନି ଏବେ ଯେତେବେଳେ ଚମତ୍କାର ଫର୍ମରେ ରହିଛନ୍ତି, ସେତେବେଳେ ତାଙ୍କୁ ବାଦ୍ ଦେଇ ତୁମେ କିପରି ଦଳ ବାଛିବ ବୋଲି ଶାସ୍ତ୍ରୀ ପ୍ରଶ୍ନ କରିଛନ୍ତି।

୨୦୧୯ ବିଶ୍ୱକପ ପୂର୍ବରୁ ଭାରତ ପ୍ରାୟ ୪୦ରୁ ଅଧିକ ଦିନିକିଆ ମ୍ୟାଚ ଖେଳିବ । ଏହି ସମୟ ମଧ୍ୟରେ ଦଳରେ ବିଭିନ୍ନ ପରିବର୍ତ୍ତନ କରାଯିବ । ଆଗାମୀ ବିଶ୍ୱକପ ପାଇଁ ୧୮ରୁ ୨୦ ଜଣ ଖେଳାଳିଙ୍କ ଉପରେ ନଜର ରଖାଯାଇଛି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ନେଇ ଶ୍ରେଷ୍ଠ ଦଳ ବଛାଯିବ । ଯେଉଁ ଦଳରେ ଧୋନି ସାମିଲ ଥିବା ନେଇ ଶାସ୍ତ୍ରୀ କହିଛନ୍ତି ।