ଜଳସେଚନକୁ ନେଇ ଜଳିଲା ରାଜନୀତି ! ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ କାଉଣ୍ଟର କରି ଧର୍ମେନ୍ଦ୍ରଙ୍କ ଫେସବୁକ ପୋଷ୍ଟ

155

କନକ ବ୍ୟୁରୋ : ମୋଦିଙ୍କ ଗସ୍ତ ପୂର୍ବରୁ ଉଷ୍ମ ହେଲା ରାଜ୍ୟ ରାଜନୀତି । ଜଳସେଚନ ପ୍ରସଙ୍ଗରେ ମୋଦିଙ୍କୁ ଚିଠି ମାଧ୍ୟମରେ ନବୀନ କାଉଣ୍ଟର କରିବା ପରେ ଆଜି ଏହି ପ୍ରସଙ୍ଗରେ ନବୀନଙ୍କୁ ଫେସବୁକରେ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜଳସେଚନର ବ୍ୟାପକ ଉନ୍ନତିର ମିଛ ଓ ରଙ୍ଗୀନ ଚିତ୍ର ହିଁ ନବୀନ ସରକାର ନିଜ ଚିଠିରେ ଲେଖିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଜଳସେଚନ ପାଇଁ ରାଜ୍ୟ ସରକାରଙ୍କର ବଡ ପ୍ରତିଶୃତି ପ୍ରତାରଣାର ରୂପ ନେଇଥିବା କାରଣରୁ ରାଜ୍ୟର ଚାଷୀ ଭାଇ ମାନେ ସବୁଠୁ ବଡ ସମସ୍ୟାର ସାମନା କରୁଛନ୍ତି । ଓ଼ଡିଶାର ଚାଷୀର ଆୟ ସାରା ଦେଶରେ ତଳ ଆଡୁ ଦ୍ୱିତୀୟ ସ୍ଥାନରେ ରହିଛି । ରାଜ୍ୟର ଚାଷୀ ପରିଶ୍ରମୀ ହେବା ସତ୍ୱେ ଜଳସେଚନ ଓ ଆନୁଷଙ୍ଗିକ ସୁବିଧା ଅଭାବରୁ ସେମାନଙ୍କର ଅବସ୍ଥା ଦୟନୀୟ ହୋଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Dharmendra-Pradhanମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ରାଜ୍ୟରେ ଉଠା ଜଳସେଚନ କାରଣରୁ ଜଳସେଚନର ବ୍ୟାପକ ଉନ୍ନତିର ମିଛ ଓ ରଙ୍ଗିନ ଚିତ୍ର ହିଁ ଦେଇଛନ୍ତି। ରାଜ୍ୟର ଚାଷୀ ଲିଫ୍ଟ ଇରିଗେସନ ପଏଣ୍ଟ ପାଖରେ ବିଜୁଳି ନ ରହିବା ବା ଲୋ-ଭୋଲଟେଜ କାରଣରୁ ପାଣି ନ ଉଠିବାରୁ ସୁନାର ଫସଲ ନଷ୍ଟ ହେବାରୁ ଚାଷୀ ଆତ୍ମହତ୍ୟା କରିବା ଘଟଣା ଓଡିଶାବାସୀ ଜାଣିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ଜଳସେଚନ ପ୍ରସଙ୍ଗ ସହ ରାଜ୍ୟରେ ଦୁର୍ନୀତିର ଦାନବକୁ ଦାନା ପାଣି କିଏ ଦେଉଛି ଏହି ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ ଦେଉ ନାହାନ୍ତି କାହିଁକି ? ନବୀନ ନିବାସ ଭିତରେ ରହୁଥିବା ଛୋଟ ଦାନବ ସରୋଜ ସାହୁଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କ କଣ ଏହାର ସ୍ପଷ୍ଟୀକରଣ ମୁଖ୍ୟମନ୍ତ୍ରୀ ଦେଉ ନାହାନ୍ତି କାହିଁକି ବୋଲି କହିବା ସହ ନବୀନଙ୍କୁ ଡାଇରେକ୍ଟ ଆଟାକ କରିଛନ୍ତି ।

ରୋଜଗାର ସୁଯୋଗ ଅଭାବରୁ ଓଡିଶାର ଯୁବ ପୀଢୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା, ଘରେ ଘରେ ସ୍ୱଚ୍ଛ ପାନୀୟ ଜଳ ପହଂଚାଇବାରେ ବିଫଳତା ତଥା ରାଜ୍ୟରେ ମହିଳା ସମ୍ମାନ ଓ ଇଜ୍ଜତ ଭୁଲୁଣ୍ଠିତ ହେବା ନେଇ ମୁଖ୍ୟମନ୍ତ୍ରୀ ତାଙ୍କର ଆାଭିମୁଖ୍ୟ ସ୍ପଷ୍ଚ କରିବାରେ କାହିଁକି ପଛାଉଛନ୍ତି ?ଏହି ଉତ୍ତର ଅପେକ୍ଷାରେ ଓଡିଶାବାସୀ ଅଛନ୍ତି । ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏହି ପ୍ରଶ୍ନ ଗୁଡିକର ଉପଯୁକ୍ତ ଉତ୍ତର ଯଥାଶୀଘ୍ର ପ୍ରଦାନ କରିବେ ବୋଲି ଫେସବୁକରେ କହିଛନ୍ତି ଧର୍ମେନ୍ଦ୍ର । ନିର୍ବାଚନ ପୂର୍ବରୁ ନବୀନଙ୍କ ଚିଠି ଓ ଧର୍ମେନ୍ଦ୍ରଙ୍କ ଫେସବୁକ୍ ପୋଷ୍ଟ ପଲିଟିକାଲ ପାରାକୁ ବଢାଇଦେଇଛି ।

ଏହାପୂର୍ବରୁ ମୋଦିଙ୍କ ବାରିପଦା ଗସ୍ତର ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଜଳସେଚନ ନେଇ ମୋଦି ଦେଇଥିବା ତଥ୍ୟକୁ ନେଇ ମୋଦିଙ୍କୁ ଚିଠି ଲେଖିଛନ୍ତି ନବୀନ । ମୋଦିଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ୨୦୧୪ ଏପ୍ରିଲରୁ ୨୦୧୮ ନଭେମ୍ବର ପର‌୍ୟ୍ୟନ୍ତ ଜଳସେଚନ ସର୍ମ୍ପକୀୟ ଗୋଟି ଗୋଟି ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ ।

ଡିସେମ୍ବର ୨୪ ଓଡିଶା ଗସ୍ତ ସମୟରେ ଖୋର୍ଦ୍ଧା ସମାବେଶରେ ମୋଦି ରାଜ୍ୟ ସରକାରଙ୍କ ଜଳସେଚନ ପ୍ରତିଶୃତି ଉପରେ ପ୍ରଶ୍ନର ପାହାଡ ଛିଡା କରିଥିଲେ । ୨୦୧୪ ନିର୍ବାଚନୀ ଇସ୍ତାହାରରେ ୧୦ ଲକ୍ଷ ହେକ୍ଟର ଜମି ଜଳସେଚିତ କରିବାକୁ ପ୍ରତିଶୃତି ଦିଆଯାଇଥିବା ବେଳେ ମାତ୍ର ୨୨ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହୋଇଥିବା କହିଥିଲେ ମୋଦି । ତେବେ ମୋଦିଙ୍କ ଅଭିଯୋଗର ୧୦ ଦିନ ପରେ ଏହାର ଜବାବ ଦେଇଛନ୍ତି ନବୀନ । ଚିଠି ଲେଖି ଜଳସେଚନ ବିଭାଗର ପୂରା ହିସାବ ଦେଇଛନ୍ତି ନବୀନ ।