ବିଜେପିର ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମ ! ପାୱାର ସୋ ଦେଖାଇଲେ ଧର୍ମେନ୍ଦ୍ର, ସ୍ୱାସ୍ଥ୍ୟସେବା, ଜଳସେଚନ,ଚିଟଫଣ୍ଡ, ପିସି ପ୍ରସଙ୍ଗ ଉଠାଇ ସରକାରଙ୍କୁ ମାଗିଲେ ଜବାବ

161

କନକ ବ୍ୟୁରୋ : ବିଜେପିର ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି । ଆଉ ଏହାସହ ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପୁରୀ ଓ ବରୀରେ ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମରେ ୧୯ ବର୍ଷର ଦୁର୍ନୀତିଗ୍ରସ୍ତ, ଅପାରଗ, ସ୍ଥାଣୁ, ସମ୍ବେଦନହୀନ, ମିଛୁଆ ସରକାରକୁ ପରିବର୍ତ୍ତନ କରିବାର ସମୟ ଆସିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ପୁରୀ ଗୋପ ସଭାରେ କାଳିଆ ଯୋଜନାକୁ ନେଇ ବର୍ଷିଛନ୍ତି ଧର୍ମେନ୍ଦ୍ର । ଯେଉଁ ପୁରୀରୁ କାଳିଆ ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ କରିଥିଲେ ସେହିଠାରୁ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି ଧର୍ମେନ୍ଦ୍ର । କାଳିଆ ଯୋଜନାର ଫାଇଦା ଚାଷୀ ନୁହେଁ ବରଂ ମନ୍ତ୍ରୀ ଓ ଶାସକ ଦଳର ବିଧାୟକ ମାନେ ପାଉଥିବା କହିଛନ୍ତି ଧର୍ମେନ୍ଦ୍ର । ଡାକ୍ତରଖାନା, ଜଳସେଚନ,ଚିଟଫଣ୍ଡ ଭଳି ପ୍ରସଙ୍ଗ ଉଠାଇ ସରକାରକୁ କାଠଗଡାକୁ ଟାଣିଛନ୍ତି ଧର୍ମେନ୍ଦ୍ର । ଯାହା ବିଜେଡିର ୧୯ ବର୍ଷର ଶାସନର ଅସଲ ମୁଖାକୁ ପଦାରେ ପକାଇଛି । ତେଣୁ ଆଗାମୀ ୨୦୧୯ରେ ୧୯ ବର୍ଷର ସରକାରକୁ ରାଜ୍ୟବାସୀ ପ୍ରତ୍ୟାଖାନ କରିବେ ବୋଲି କହିଛନ୍ତି ରାଜ୍ୟ ବିଜେପିର ପୋଷ୍ଟର ବୟ । ପୁରୀ ସଭାରେ ଧର୍ମେନ୍ଦ୍ର ନବୀନ ସରକାରଙ୍କୁ ଡାଇରେକ୍ଟ ଆଟାକ କରିବା ସହ ହକି ବିଶ୍ୱକପ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ପୁରୀ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ପାୱାର ସୋ ଦେଖାଇଛନ୍ତି ଧର୍ମେନ୍ଦ୍ର । ଏହାସହ ସଙ୍ଗଠନକୁ କିଭଳି ଶକ୍ତିଶାଳୀ କରାଯିବ ସେନେଇ କର୍ମୀ ମାନଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ଏପରିକି ଗତକାଲି ବିଜେପି ଅଧ୍ୟକ୍ଷ ଅମିତ ଶାହା କର୍ମୀ ମାନଙ୍କୁ ଯେଉଁ ଆହ୍ୱାନ ଦେଇଛନ୍ତି ତାହାକୁ ପୂରଣ କରିବାକୁ କର୍ମୀ ମାନଙ୍କୁ କହିଛନ୍ତି ଧର୍ମେନ୍ଦ୍ର । ସେହିଭଳି ବରୀ ସଭାରେ ଉଭୟ ନବୀନ ଓ ନିରଞ୍ଜନଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ନବୀନ ଓ ନିରଞ୍ଜନଙ୍କୁ ଖଣି ମାଫିଆ ଚଳାଉଥିବା କହିବା ସହ ୧୯ ବର୍ଷ ମଧ୍ୟରେ ଲୋକମାନଙ୍କୁ ପିଇବାପାଣି, ଚାଷଜମିକୁ ଜଳସେଚନ, ଡାକ୍ତରଖାନାକୁ ଡାକ୍ତର, ବିଦ୍ୟାଳୟକୁ ଶିକ୍ଷକ ଦେବାରେ ସରକାର ବିଫଳ ହୋଇଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।ଏହାସହ କେନ୍ଦ୍ର ସରକାର ଲୋକଙ୍କ ପାଇଁ କେଉଁ କେଉଁ ଯୋଜନା କରିଛନ୍ତି ତାହାର ଟିକିନିକି ହିସାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଆଉ ଏହାସହ ପିପିଲି ପୀଡିତାକୁ ନ୍ୟାୟ ଓ ପିସି କାରବାର କଥା ଉଠାଇ ଏହାର ଜବାବ ମାଗିଛନ୍ତି ଧର୍ମେନ୍ଦ୍ର ।