କନକ ବ୍ୟୁରୋ: କଥା ରଖିଲେ କେନ୍ଦ୍ର ରେଳମନ୍ତ୍ରୀ । ଭୁବନେଶ୍ୱରରୁ ଜୁନାଗଡ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ୨ଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବାକୁ ସବୁଜ ସଂକେତ ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ । ତେବେ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଜୁଲାଇ ୧୮ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଏହାକୁ ଗମ୍ଭୀରତାର ସହ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଏହି ଦୁଇଟି ରେଳ ପ୍ରକଳ୍ପ ପାଇଁ ସ୍ୱିକୃତୀ ପ୍ରଦାନ କରିଛନ୍ତି ।
ସେପଟେ ପିୟୂଷ ଗୋଏଲଙ୍କୁ ଏନେଇ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ବ୍ୟବସ୍ଥା ରେଳ ଯାତ୍ରୀଙ୍କୁ ସୁବିଧା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଚିଠି ଲେଖି ଗୋଏଲଙ୍କ ପତ୍ରର ପ୍ରତିଉତ୍ତର ରଖିଛନ୍ତି ଧର୍ମେନ୍ଦ୍ର । ଭୁବନେଶ୍ୱର-ଜୁନାଗଡ ରୋଡ୍ ଏକ୍ସପ୍ରେସ ଭୁବନେଶ୍ୱର ଓ ଜୁନାଗଡ ମଧ୍ୟରେ ଏବଂ ଟ୍ରେନ୍ ନମ୍ବର ୧୮୪୪୭/୧୮୪୪୮ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଭୁବନେଶ୍ୱର ଜଗଦଲପୁର ମଧ୍ୟରେ ପୃଥକ ପୃଥକ ଭାବେ ଚଳାଚଳ କରିବା ନେଇ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହା ଦ୍ୱାରା ରେଳଯାତ୍ରୀମାନେ ବିଶେଷ ଲାଭ ପାଇପାରିବେ ।
ଉଲ୍ଲେଖଯୋଗ୍ୟ, ଜୁଲାଇ ୧୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଭୁବନେଶ୍ୱରରୁ ଜଗଦଲପୁର ଏବଂ ଭୁବନେଶ୍ୱରରୁ ଜୁନାଗଡକୁ ଦୁଇଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବା ଲାଗି ଅନୁରୋଧ କରିବା ସହ ଏହି ଦୁଇଟି ଟ୍ରେନ୍ ଚଳାଚଳ ଲାଗି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ଜୁନାଗଡ ଅଂଚଳର ଲୋକମାନେ ଦୀର୍ଘଦିନରୁ ଦାବି କରି ଆସୁଥିବା ଜଣାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/DP.jpg)