ତାଳଚେର ମେଡିକାଲ କଲେଜର ନୂତନ କୋଠା ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ ! ବିଜେଡି କହିଲା, କାର୍ଯ୍ୟକ୍ଷମ ନକରାଇ ନିର୍ବାଚନ ପାଇଁ ବାହାବାହା ନେବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ।

83

କନକ ବ୍ୟୁରୋ : ତାଳଚେରରେ ଆରମ୍ଭ ହେବାକୁ ଥିବା ମେଡିକାଲ କଲେଜର ନୂତନ କୋଠା ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏମସିଏଲ୍ ପକ୍ଷରୁ ନିର୍ମିତ ଏହି କଲେଜରେ ନାମଲେଖା ପାଇଁ ରାଜ୍ୟ ସରକାର ବାଧକ ସାଜିଛନ୍ତି ବୋଲିି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ ନ କରାଇ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କୋଠାକୁ  କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିଛନ୍ତି ବୋଲି ତାଳଚେର ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି ।

ତାଳଚେର ଏମସିଏଲ୍ ହସ୍ପିଟାଲ ପାଇଁ ଖର୍ଚ୍ଚ ହୋଇଛି ୪୯୩ କୋଟି ଟଙ୍କା । ଏମସିଏଲ ହସ୍ପିଟାଲର ଆଧୁନିକୀକରଣ ସହ ମେଡିକାଲ କଲେଜ ପାଇଁ ତିଆରି ହୋଇଥିବା ନୂତନ କୋଠାକୁ ଲୋକାର୍ପିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେଲେ ଚଳିତ ଶିକ୍ଷାବର୍ଷ ଠାରୁ ଏଠାରେ ନାମଲେଖା ପାଇଁ କୁହାଯାଉଥିବା ବେଳେ ଏଯାଏଁ ଏମସିଆଇ ଅନୁମତି ମିଳିନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣାଓଟରା ଯୋଗୁଁ ବିଧିବଦ୍ଧ ଭାବେ ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ ହେବାରେ ବିଳମ୍ବ ଘଟୁଥିବା ଚର୍ଚ୍ଚା ହେଉଛି ।

୨୦୧୫ ସେପ୍ଟେମ୍ବର ୩ ତାରିଖରେ ଏମସିଏଲରେ ପ୍ରସ୍ତାବିତ ମେଡିକାଲ କଲେଜର ଭିତିପ୍ରସ୍ତର ସ୍ଥାପନ ହୋଇଥିଲା । ୨୦୧୬ ମାର୍ଚ୍ଚ ମାସରୁ କୋଠା ନିର୍ମାଣ କାମ ଆରମ୍ଭ ହୋଇ ୨୦୧୮ ଏପ୍ରିଲ ସୁଦ୍ଧା ଶେଷ ହୋଇଛି । ୨୦ ଏକର ଜାଗାରେ ମେଡିକାଲ କଲେଜର ନୂତନ ଭିତିଭୂମି ସ୍ଥାପନ କରାଯାଇଛି । ମେଡିକାଲ କଲେଜରେ ନାମଲେଖା ପାଇଁ ଏମସିଆଇରେ ଆବେଦନ କରିବା ପୂର୍ବରୁ ଶିକ୍ଷାନୁୂଷ୍ଠାନକୁ ସ୍ଥାନୀୟ ସରକାରଙ୍କ ଠାରୁ ଏସେନସିଆଲଟି ସାର୍ଟିଫିକେଟ ଆଣିବାକୁ ପଡିଥାଏ । କୌଣସି କାରଣରୁ ଏହି ସାର୍ଟିଫିକେଟ ମିଳିନଥିବାରୁ ଏମସିଏଲ୍ କର୍ତୃପକ୍ଷ ଏମସିଆଇ ପାଖରେ ନାମଲେଖା ପାଇଁ ଆବେଦନ କରିପାରୁନାହାନ୍ତି । ଏମସିଏଲ, ମେଡିକାଲ କଲେଜକୁ ନିଜେ କାର୍ଯ୍ୟକ୍ଷମ ନ କରି ଚୁକ୍ତିରୁ ଓହରି ଯାଉଛି, ଆଗାମୀ ସାଧାରଣ ନିର୍ବାଚନକୁ ନଜରରେ ରଖି କେନ୍ଦ୍ରମନ୍ତ୍ରୀ କେବଳ କୋଠା ଉଦଘାଟନ କରି ବାହାବାହା ନେବାକୁ ଚେଷ୍ଟା କରୁଛନ୍ତି ବୋଲି ତାଳଚେର ବିଜେଡି ଅଭିଯୋଗ କରିଛି ।