ରାଜନୀତିରେ ନିଆଁ ଲଗାଇଲା ଇଣ୍ଡିଆ ଟୁଡେ’ର ସର୍ଭେ ରିପୋର୍ଟ! ଧର୍ମେନ୍ଦ୍ର କହିଲେ, ନବୀନ ରାଜା, ସେ ରଙ୍କ । ବିଜେଡିର ଜବାବ, ପରିବର୍ତନର ନାରା ନଦେଲେ ତାଙ୍କ କଥା ଶୁଣିବ କିଏ ?

52

କନକ ବ୍ୟୁରୋ : ଓଡିଶାକୁ ନେଇ ଇଣ୍ଡିଆ ଟୁଡେର ସର୍ଭେ ରିପୋର୍ଟ ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ନବୀନ ରାଜା ଓ ସେ ରଙ୍କ । କଟାକ୍ଷ କରି କହିଛନ୍ତି ସେ ବାଳି ରାଜା ଓ ନିଜେ ଗୁଣ୍ଡୁଚି ମୂଷା । ନବୀନଙ୍କ ସହ ତାଙ୍କର କୌଣସି ତୁଳନା ନାହିଁ ବୋଲି କହି, ଓଡିଶାରେ ପରିବର୍ତନର ଆଭାସ ମିଳୁଛି ବୋଲି କହିଛନ୍ତି । ସେପଟେ ସାଂସଦ ସୌମ୍ୟରଂଜନ କହିଛନ୍ତି , ହାରୁଥିବା ଦଳ ମଧ୍ୟ ଏଭଳି କହିଥାଏ , ନଚେତ ତାଙ୍କ କଥା କେହି ଶୁଣିବେ ନାହିଁ ବୋଲି କହିଛନ୍ତି ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଇଣ୍ଡିଆ ଟୁଡେର ସର୍ଭେ ରିପୋର୍ଟ, ଠିକ୍ କ୍ରିକେଟ ଖେଳର ଗୁଗଲି ଭଳି ସାମ୍ନାକୁ ଆସିଛି । ଓଡ଼ିଶାରେ ନବୀନ ଏବଂ ଦେଶରେ ମୋଦି । ଭୋଟରଙ୍କ ମୁଡକୁ କିଛି ଏଭଳି ଢ଼ଙ୍ଗରେ, ପଲିଟିକାଲ ଷ୍ଟକ୍ ଏକ୍ସଚେଂଜର ସର୍ଭେ ରିପୋର୍ଟ ଆକଳନ କରିଛି । କିନ୍ତୁଏହି ସର୍ଭେକୁ ନିଜ ଢ଼ଙ୍ଗରେ ବିଶ୍ଲେଷଣ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ଯୁକ୍ତି ହେଉଛି ରାୟ ଗୋଟିଏ ଆସିବ । ଓଡ଼ିଶାରେ ବିଜେଡି ଜିତିବ, ନହେଲେ ବିଜେପି ଜିତିବ । ଆଉ ଯୁବପୀଢ଼ିଙ୍କ ମୁଡକୁ ଦେଖି ଉଭୟ କେନ୍ଦ୍ର ଓ ରାଜ୍ୟରେ ମୋଦିଙ୍କ ସପକ୍ଷରେ ଭୋଟ୍ ଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏପଟେ ବିଜେଡି କହିଛି- ବଡ ପରିବର୍ତନର ନାରା ନଦେଲେ ତାଙ୍କ କଥା ଶୁଣିବ କିଏ, ତେଣୁ କହୁଛନ୍ତି ।

ଆଉ ଏସବୁ ଭିତରେ ବିଜେଡି ଓ ବିଜେପିର ସଂପର୍କ ନେଇ ପ୍ରଭୁ ଚାୱାଲା ଯେତେବେଳେ ପ୍ରଶ୍ନ କରିଥିଲେ, ଧର୍ମେନ୍ଦ୍ର ସିଧାସଳଖ ବିଜେଡିକୁ ସୁବିଧାବାଦୀର ଆଖ୍ୟା ଦେବାକୁ ପଛାଇ ନଥିଲେ । ରାଷ୍ଟ୍ରପତି ନିର୍ବାଚନ ହେଉ କିମ୍ବା ଅନାସ୍ଥା ପ୍ରସ୍ତାବ ହେଉ, ବିଜେଡି ନିଜ ସୁବିଧା ଅନୁସାରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଥିବା କହିଛନ୍ତି ଧର୍ମେନ୍ଦ୍ର ।ବିଜେଡି-ବିଜେପି ରାଜନୈତିକ ପ୍ରତିଦ୍ୱନ୍ଦିତା ଭିତରେ ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ, ବଦ୍ରୀ ପାତ୍ର ଏବଂ ପ୍ରଦୀପ ମହାରଥୀଙ୍କୁ ସମାଲୋଚନା କରିବାକୁ ଭୁଲି ନାହାଁନ୍ତି ଧର୍ମେନ୍ଦ୍ର । ମହିଳାଙ୍କୁ ନେଇ ମହାରଥୀଙ୍କ ବୟାନ ଏବଂ ମନ୍ତ୍ରୀଙ୍କ ପୁଅ ଗିରଫ ହେବା ପ୍ରସଙ୍ଗରେ ନବୀନ ସରକାରଙ୍କୁ ସମାଲୋଚନା କରିଛନ୍ତି । ଯାହାର ଜବାବ ରଖିଛି ବିଜେଡି ।

ବିଜେଡ଼ି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ସମସ୍ତ ଦଳ ଏଭଳି କହିଥାନ୍ତି । ଅମାନତ ହରାଇଥିବା ଦଳ ନିର୍ବାଚନ ପୂର୍ବରୁ ଶାସନକୁ ଆସିବା କଥା କୁହନ୍ତି । ୧୮ ବର୍ଷ ହେଲା ବିଜେଡ଼ିକୁ ଭୋଟ ଦେଇ ନିର୍ବାଚନ ଜିତାଉଛନ୍ତି ଓଡ଼ିଶାବାସୀ । ଯଦି ଏଭଳି ବଡ଼ ପରିବର୍ତ୍ତନ କଥା ନ କହିବେ ତାଙ୍କ କଥା ଶୁଣିବ କିଏ ବୋଲି କହି ଧର୍ମେନ୍ଦ୍ରଙ୍କ କୋର୍ଟ କୁ ବଲ୍ ଫିଙ୍ଗି ଦେଇଛନ୍ତି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ । ନିର୍ବାଚନ ଯେତିକି ପାଖେଇ ଆସୁଛି ଏହି ପ୍ରତିଯୋଗିତା ସେତିକି ବଢ଼ୁଛି । ଜଣେ ଆଉ ଜଣଙ୍କୁ କାଠଗଡ଼ାରେ ଠିଆ କରୁଛନ୍ତି । ଆଉ ସବୁର ମୁଳରେ ସେଇ ୨୦୧୯ ନିର୍ବାଚନ ।