ଆଜି ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ! ସବୁ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ

65

କନକ ବ୍ୟୁରୋ : ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ । ୭୧ ବର୍ଷରେ ପଦାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସେ ହେଉଛନ୍ତି ସାନପୁଅ । ୨୦ ବର୍ଷ ତଳେ ଯେତେବେଳେ ରାଜନୀତିରେ ନବୀନ ପ୍ରବେଶ କଲେ, ସେତେବେଳେ ତାଙ୍କ ବିଷୟରେ ଖୁବ କମ୍ ଲୋକ ଜାଣିଥିଲେ । ସେଦିନ ହୁଏତ କେହି ଅନ୍ଦାଜ ଲଗାଇ ପାରିନଥିଲେ ଯେ ନବୀନ ଦିନେ ରାଜ୍ୟ ରାଜନୀତିରେ ଏକ ନୂଆ ଇତିହାସ ରଚିବାକୁ ଯାଉଛନ୍ତି । ରାଜନୀତିରେ ସେ ପ୍ରବେଶ କରିବା ପରେ ବଦଳି ଯାଇଥିଲା ରାଜନୀତିର ପୂରା ସମୀକରଣ । ୧୯୯୭ରେ ଆସ୍କା ଉପନିର୍ବାଚନରେ ଜିତି ସାଂସଦ ଭାବେ କ୍ୟାରିଅର ଆରମ୍ଭ କରିଥିବା ନବୀନ ପଟ୍ଟନାୟକଙ୍କ ହାତରେ ରହିଛି ୧୭ ବର୍ଷ ଧରି ରାଜ୍ୟ ଶାସନର ଡୋରି । ଆଉ ୧୭ ବର୍ଷର ରାଜନୀତିରେ ସେ ପାଲଟିଯାଇଛନ୍ତି ଅପ୍ରତିଦ୍ୱନ୍ଦୀ ଚେହେରା ।

ଆଜି ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ୍ କରି ସେ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ହାର୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ନବୀନଙ୍କ ଜନ୍ମଦିନରେ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟ୍ କରି ଶୁଭେଚ୍ଚା ଜଣାଇଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ସେ ନବୀନଙ୍କ ଦୀର୍ଘାୟୁ କାମନା କରିଛନ୍ତି ।