ଯାଜପୁରରେ ସରପଂଚଙ୍କ ସ୍ୱାମୀଙ୍କ ଗେଷ୍ଟହାଉସରେ ଭିଏଲଡବ୍ଲୁଙ୍କ ମୃତ୍ୟୁ । ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ, ଦୁଷ୍କର୍ମ ଓ ହତ୍ୟା ସନ୍ଦେହ

1,483

କନକ ବ୍ୟୁରୋ : ଭତାବାଂଟି ଫେରିବା ପରେ ମହିଳା ଭିଏଲଡବ୍ଲୁଙ୍କ ରହସ୍ୟଜନକ ଭାବେ ମୃତଦେହ ଉଦ୍ଧାର ହୋଇଛି । ଯାଜପୁର ଜିଲ୍ଲା ଧର୍ମଶାଲା ବ୍ଲକ ହରିଦାସପୁରରେ ମହିଳା ଭିଏଲଡବ୍ଲୁଙ୍କ ସ୍ମିତା ରାଣୀ ବିଶ୍ୱାଳଙ୍କ ମୃତ ଦେହ ପଂଚାୟତ ଅଫିସ୍ରୁ ମିଳିଛି । ବାଲିଗଡି ଗାଁରୁ ଭତା ବାଂଟି ଫେରିବା ପରେ ମଧ୍ୟାହ୍ନରେ ପଂଚାୟତ କାର୍ଯ୍ୟାଳୟରେ ତାଙ୍କୁ ଖାଇବାକୁ ଡକା ଯାଇଥିଲା । ମାତ୍ର ସଙ୍ଗେ ସଙ୍ଗେ ଆସୁଛି କହି ପଂଚାୟତ ଅଫିସରେ ଥିବା ସରଂପଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସକୁ ଯାଇଥିଲେ । ସେଠାରେ ଭୋଜିଭାତ ହୋଇଥିଲା । ସେଠାରେ ସ୍ମିତାରାଣୀ ଗେଷ୍ଟହାଉସ ଉପରମହଲାରେ ଥିବା ଶୌଚାଳୟକୁ ଯାଇଥିଲେ । ଅନେକ ସମୟ ଧରି ନଆସିବାରୁ କବାଟ ଭଙ୍ଗା ଯାଇଥିଲା ।

ସେଠାରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ସ୍ମିତାରାଣୀଙ୍କ ମୃତଦେହ ମିଳିଥିଲା । ପୋଲିସ୍ ସ୍ମିତାଙ୍କ ମୃତ ଦେହ ଉଦ୍ଧାର କରିବା ସହ ଘଟଣାକୁ ନେଇ ଏକ ମାମଲା ରୁଜୁ କରିଛି । ତେବେ ସ୍ମିତା ଆତ୍ମହତ୍ୟା କରିଛନ୍ତି ନା ତାଙ୍କର ହତ୍ୟା ହୋଇଛି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ତାଙ୍କୁ ଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି । ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ଲାଗି ରହିଛି । ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ମୃତଦେହଙ୍କୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଧର୍ମଶାଳା ମେଡିକାଲରୁ ଜବତ କରିଛି । ପୋଲିସ ଛାନଭିନ ଆରମ୍ଭ କରିଛି ।