ଧରିତ୍ରୀର ଏକୋଇଶିଆ କଲା ପ୍ରଶାସନ : ମାଟି ତଳେ ପୋତି ଦେଇଥିଲା ନିର୍ଦ୍ଦୟୀ ବାପା

50

କନକ ବ୍ୟୁରୋ : ବିସ୍ମୟ କନ୍ୟା ଧରିତ୍ରୀର ପାଳିତ ହୋଇଛି ଏକୋଇଶିଆ । ଯାଜପୁର ବିରଜା କଲ୍ୟାଣ ମଣ୍ଡପରେ ଆୟୋଜନ କରାଯାଇଛି ଉତ୍ସବ । ଯାଜପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ସେଲ ପକ୍ଷରୁ ଏହି ଉତ୍ସବର ଆୟୋଜନ କରାଯାଇଛି । ଖତଗଦାରୁ ଉଦ୍ଧାର ପରେ ଧରିତ୍ରୀକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲା ଯାଜପୁର ଜିଲ୍ଲା ପ୍ରଶାସନ । କନ୍ୟା ସନ୍ତାନ ଅଲୋଡା ନୁହେଁ । ଏହି ସଚେତନା ବାର୍ତା ଦେବାକୁ ପ୍ରୟାସ କରିିଛି ପ୍ରଶାସନ ।

ଯାଜପୁର ବିରଜା ମନ୍ଦିର ନିକଟସ୍ଥ ବିରଜା କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଛି ବର୍ଣ୍ଣାଢ଼୍ୟ ଉତ୍ସବ । କନ୍ୟା ସନ୍ତାନ ଅଲୋଡା ନୁହେଁ । ସେମାନେ ଅଶୁଭ ନୁହଁନ୍ତି ଶୁଭର ପ୍ରତୀକ । ପ୍ରତ୍ୟେକ ଶିଶୁର ସୁନେଲି ଭବିଷ୍ୟତ ରହିଛି । କୈାଣସି ଶିଶୁ ଧରିତ୍ରୀ ପରି ଅବହେଳାର ଶିକାର ନହୁଅନ୍ତୁ । ଏଥିପାଇଁ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି । ପ୍ରଶାସନ ଆୟୋଜନ କରିଛି କୁନି ଝିଅ ଧରିତ୍ରୀର ଶୁଭ ଏକୋଇଶା । କଟକର ଶିଶୁ ସୁରକ୍ଷା ଅନୁଷ୍ଠାନ ବସୁନ୍ଦରାରୁ ଆଦରଣୀୟ କୁନି ଝିଅ ଧରିତ୍ରୀଙ୍କୁ ଏକୋଇଶିଆ ପାଇଁ ଯାଜପୁରକୁ ଅଣାଯାଇଛି ।

ଜିତି ଯାଇଛି ଧରିତ୍ରୀ । ମାର୍ଚ୍ଚ ମାସ ୨୫ତାରିଖ ସକାଳ ୫ଟାରେ ଜନ୍ମ ନେଇଥିଲା ଧରିତ୍ରୀ । ସକାଳର ସୂର୍ଯ୍ୟ ଆଲୋକ ଦେଖିବା ଆଗରୁ ବାପା ସାଜିଥିଲା ଯମଦୂତ । କାନ୍ଧରେ ବୋହି ନେଇଥିଲା କଅଁଳା ଶିଶୁକୁ । ଯାଜପୁର ଶ୍ୟାମସୁନ୍ଦରପୁରର ଏକ ଖତଗଦାରେ ପୋତି ଦେଇଥିଲା ଜନ୍ମ କଲା ଝିଅକୁ । ହେଲେ ନିୟତିର ଥିଲା ଭିନ୍ନ ନିର୍ଦ୍ଦେଶ । ଜୀବନ ଯିବା ଆଗରୁ ସ୍ଥାନୀୟ ଲୋକଙ୍କ ନଜର ପଡିଥିଲା ପୋତା ଯାଇଥିବା ନବଜାତକ ଉପରେ । ସ୍ଥାନୀୟ ଲୋକଙ୍କ ସହାୟତାରେ ବଂଚି ଯାଇଥିଲା ଧରିତ୍ରୀ । ଖବର ପାଇ ତତ୍ପରତା ଦେଖାଇଥିଲା ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ସେଲ ଓ ଜିଲ୍ଲା ପ୍ରଶାସନ । କୁନି ଝିଅକୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲା ପ୍ରଶାସନ । ଆଉ ନା ଦେଇଥିଲା ଧରିତ୍ରୀ ।

ପ୍ରଶ୍ନ ଉଠୁଛି କେବେ ସୁଧୁରିବ ମାନସିକତା? ଯାଜପୁର ଜିଲ୍ଲା ପ୍ରଶାସନର ସଚେତନତା ବାର୍ତା ସମାଜକୁ ପ୍ରଭାବିତ କରିବ ତ?