ରାତି ପାହିଲେ ଶ୍ରୀଜିଉଙ୍କ ସ୍ନାନଯାତ୍ରା । ଶ୍ରୀମନ୍ଦିରରେ ଚାଲିଛି ଗୁପ୍ତନୀତି । ଆଜି ମହାପ୍ରଭପଙ୍କୁ ସେନାପଟା ଲାଗି ହେବା ସହ ବନ୍ଧାହେଲା ଚାରମାଳ

134

କନକ ବ୍ୟୁରୋ: ରାତି ପାହିଲେ ଶ୍ରୀଜିଉଙ୍କ ସ୍ନାନଯାତ୍ରା । ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତନୀତି । ଆଜି ଦଇତାପତି ମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ସେନାପଟା ଲାଗି କରିଛନ୍ତି । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ଦିନ ସାଢେ ୧୧ଟା ଯାଏଁ ବନ୍ଦ ରହିଥିଲା । ସେନାପଟା ଲାଗି ଓ ମହାପ୍ରଭୁଙ୍କ ଚଉଠି ହୋମ ସରିବା ପରେ ଶ୍ରୀଜିଉ ମାନେ ଆସନ୍ତାକାଲି ସ୍ନାନବେଦୀରେ ଉଭା ହୋଇ ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେବେ । ଆସନ୍ତାକାଲି ଶ୍ରୀଜିଉ ଶହେ ଆଠ ଗରା ସୁବାସିତ ଜଳରେ ସ୍ନାନ କରିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି । ଗତରାତିରେ ଶ୍ରୀଜିଉଙ୍କ ଅଙ୍ଗରକ୍ଷା ପାଇଁ ବାହୁଟକଂଟ ନୀତି ପରେ ଚାରମାଳ ବନ୍ଧା ସଂପନ୍ନ ହୋଇଛି ।

ଶାସ୍ତ୍ରାନୁସାରେ, ଜ୍ୟେଷ୍ଠମାସ ପୁଣ୍ଣିମା ତିଥିରେ ସ୍ନାନ ମଣ୍ଡପରେ ଶ୍ରୀଜିଉଙ୍କ ମହାସ୍ନାନ ପରେ ହାତୀବେଶ ବା ଗଜାନନ ବେଶ କରାଯାଏ । ପୁରୀର ଗୋପାଳତୀର୍ଥ ମଠ ଓ ରାଘବଦାସ ମଠ ପକ୍ଷରୁ ହାତୀବେଶ ସେବା ଯୋଗାଇ ଦିଆଯାଏ । ଅକ୍ଷୟ ତୃତୀୟା ଠାରୁ ହାତୀବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସ୍ନାନପୁଣ୍ଣିମାରେ ଶେଷ ହୁଏ। ହାତୀବେଶ ପାଇଁ ମୁଖ୍ୟତଃ କଦଳୀ ଗଛର ପଟୁଆ, କଇଥ ଅଠା, ସୋଲ, ଜରି, କପଡା, ଲେସ ଆଦିକୁ ନେଇ ସାମଗ୍ରୀ ପ୍ରସ୍ତୁତ କରାଯାଏ । ପରମ୍ପରା ଆଧାରରେ ରାଘବଦାସ ମଠରୁ ମହାପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କର ବେଶ ସାରଂଜାମ ଆସୁଥିବା ବେଳେ ଗୋପାଳତୀର୍ଥ ମଠରୁ ବଳଭଦ୍ରଙ୍କର ଆସିଥାଏ ।

ଅନ୍ୟପଟେ, ଶ୍ରୀଜିଉଙ୍କ ଅଣସର ସମୟରେ ରତ୍ନ ସିହାଂସନରେ ପୂଜା ପାଇବେ ପଟି ଦିଅଁ । ପୁରୀର ଚିତ୍ରକାର ସାହିରେ ଅନନ୍ତ ବାସୁଦେବ ଓ ମା ଭୁବନେଶ୍ୱରୀଙ୍କ ପଟି ଦିଅଁ ତିଆରି ହେଉଥିବା ବେଳେ ପଣାପିଡିଆ ସାହିରେ ଅନନ୍ତ ନାରାୟଣଙ୍କ ପଟି ତିଆରି ହୁଏ । ଏହି ପଟି ଦିଅଁଙ୍କର ଆକାର ୪ ଫୁଟ ଚଉଡା ଓ ସାଢ଼େ ୫ ଫୁଟ ଉଚ୍ଚତା ରହିଥାଏ । ଶ୍ରୀଜିଉଙ୍କ ଅଣସର ପରେ ଏହି ପଟି ଦିଅଁ ଗୁଡିକୁ ବିସର୍ଜନ କରାଯାଏ । ତେବେ ଶ୍ରୀଜିଉ ଭକ୍ତକୁ ସବୁବେଳେ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଇଥାନ୍ତି । ସେହିଭଳି ମହାପ୍ରଭୁ ୧୪ ଦିନ ଧରି ଅଣସରରେ ରହିବା ସମୟରେ ବ୍ରହ୍ନଗିରିର ଅଲାରନାଥଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।