ଜିଲ୍ଲାରୁ ଜିଲ୍ଲା ଡେଉଁଛି ଡେଙ୍ଗୁ ! ମାଲକାନଗିରିରେ ପ୍ରଥମ ରୋଗୀ ଚିହ୍ନଟ

30

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି । କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି – ୨୨ ଗାଁ ର ୩୭ ବର୍ଷୀୟ ମହିଳା ଦିପାଳୀ ମଣ୍ଡଳଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଛି । ଦିପାଳୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆଇ.ସି.ୟୁ ରେ ଭର୍ତ୍ତୀ କରାଯାଇଥିଲା । ତେବେ ତାଙ୍କ ରକ୍ତ ନମୁନାରେ ଡେଙ୍ଗୁ ଭୁତାଣୁ ଥିବା ଜାଣିବାକୁ ପାଇ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ।

ଏହା ଭିତରେ ଡେଙ୍ଗୁରେ ଆଉ ଦୁଇଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଡେଙ୍ଗୁ ମୃତ୍ୟୁ ପରେ ରାଜ୍ୟ ସରକାର ଅଧିକ ତତ୍ପର ହୋଇଉଠିଛନ୍ତି । ସୂଚନା ଅନୁସାରେ, ଏସସିବିର ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡରେ ୧୩ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ମେଡିକାଲରେ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲାଯାଇ ୨୪ ଘଂଟିଆ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ମାର୍ଚ୍ଚ ମାସରୁ ଏ ଯାଏଁ ୨୪୪ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ମୁକାବିଲା ପାଇଁ ଏସସିବିରେ ସ୍ୱତନ୍ତ୍ର ବୈଠକ ବସିଥିଲା ପରିସ୍ଥିତିକୁ ଦେଖି ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡରେ ଅଧିକ ବେଡ ଖୋଲାଯିବା ସମ୍ଭାବନା ରହିଛି ।

ବର୍ତ୍ତମାନ ସୁଦ୍ଧା ୩ଶହ ୬୭ଜଣଙ୍କଠାରେ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛି ୭୦ ପ୍ରତିଶତ ରୋଗୀ ରାଜ୍ୟ ବାହାରୁ ଡେଙ୍ଗୁ ସଂକ୍ରମିତ ହୋଇଥିବା ଜଣାପଡିଛି । ଭଦ୍ରକ, ବାଲେଶ୍ୱର ଓ କଟକ ଜିଲ୍ଲାରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାରେ ୫୯, କଟକରେ ୫୭ ଓ ବାଲେଶ୍ୱର ଜିଲ୍ଲାରେ ୫୩ ଜଣ ରୋଗୀଙ୍କ ନମୁନାରୁ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛି ।