ବିମୁଦ୍ରାକରଣର ଦୁଇ ବର୍ଷ ପରେ ଶେଷ ହେଲା ନୋଟ୍ ଗଣତି ! ବ୍ୟାଙ୍କକୁ ଫେରିଲା ୧୫ଲକ୍ଷ ୩୧ହଜାର କୋଟି ମୂଲ୍ୟର ଅଚଳ ନୋଟ୍ ।

49

କନକ ବ୍ୟୁରୋ : ବିମୁଦ୍ରାକରଣର ଦୁଇ ବର୍ଷ ପରେ ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ୍ ଗଣତି ଶେଷ ହୋଇଛି । ଯଦିଓ ବିମୁଦ୍ରାକରଣର ଦୁଇ ବର୍ଷ ପରେ ସବୁ ନୋଟ୍ ବ୍ୟାଙ୍କକୁ ଫେରିନାହିଁ ତଥାପି ୯୯.୩୧ପ୍ରତିଶତ ଅଚଳ ନୋଟ୍ ଫେରିଆସିଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ମୋଟ୍ ୧୫ଲକ୍ଷ ୩୧ହଜାର କୋଟି ମୂଲ୍ୟର ଅଚଳ ନୋଟ୍ ବ୍ୟାଙ୍କକୁ ଫେରି ଆସିଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ବିମୁଦ୍ରାକରଣ ସମୟରେ ୧୫ଲକ୍ଷ ୧୪ହଜାର କୋଟି ମୂଲ୍ୟର ପୁରୁଣା ନୋଟ ବଜାରରେ ପ୍ରଚଳିତ ଥିଲା । ତେବେ ଏଥିରୁ ୧୫ଲକ୍ଷ ୩୧ହଜାର କୋଟି ମୂଲ୍ୟର ଅଚଳ ନୋଟ୍ ବ୍ୟାଙ୍କକୁ ଫେରି ଆସିଥିବା ରିଜର୍ଭ ବ୍ୟାଙ୍କ ତା ରିପୋର୍ଟରେ ଉଲ୍ଲେଖ କରିଛି । ଅର୍ଥାତ ବିମୁଦ୍ରାକରଣ ପରେ ୧୦ହଜାର ୭୨୦କୋଟି ଟଙ୍କା ବ୍ୟାଙ୍କକୁ ଫେରିନାହିଁ ।

୨୦୧୬ ନଭେମ୍ବର ୮ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ଶହ ଓ ହଜାରେ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଥିଲେ । କଳାଧନ ଓ ଭ୍ରଷ୍ଟାଚାର ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଇଥିଲା । ତେବେ ଏହା ପରେ ବ୍ୟାଙ୍କରେ ଜମା ହୋଇଥିବା ଅଚଳ ନୋଟକୁ ଗଣତି କରିବା ପାଇଁ ରିଜର୍ଭ ବ୍ୟାଙ୍କକୁ ଢେର ସମୟ ଲାଗିଯାଇଛି । ବିମୁଦ୍ରାକରଣ ଘୋଷଣା ପରେ ସରକାର ୫୦ଦିନ ସମୟସୀମା ଦେଇଥିଲେ ପୁରୁଣା ଓ ଅଚଳ ନୋଟକୁ ଜମା କରିବା ପାଇଁ । ତେବେ ଏହି ସମୟରେ ଅତ୍ୟଧିକ ମାତ୍ରାରେ ଜମା କରାଯାଇଥିବା ପୁରୁଣା ନୋଟ ମାମଲାର ଯାଂଚ କରୁଛି ଆୟକର ବିଭାଗ ।