ସମୟ ହୋଇନି କହି ବିଦା କରିଦେଲେ ଡାକ୍ତର, ଅଧା ବାଟରେ ଫୁଟପାଥରେ ଶିଶୁକୁ ଜନ୍ମ ଦେଲେ ପ୍ରସୂତି । କ୍ୟାପିଟାଲରେ ଶୁକ୍ରବାର ହୋଇଥିଲା କଣ, କ୍ୟାମେରା ଆଗରେ ପ୍ରସବ ବେଦନାର ପୂରା କାହାଣୀ କହିଲେ ମା’ ।

805

କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲ ଫୁଟପାଥରେ ଜଣେ ପ୍ରସୂତି ପ୍ରସବ କରିବା ଦିନ ରାତିରେ କଣ ଘଟିଥିଲା । ସେ ନେଇ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ମାଆ । ସେଦିନ ରାତିରେ ଘଟିଯାଇଥିବା ପୁରା ଘଟଣାର କାହାଣୀ ଆଜି କନକ ନ୍ୟୁଜରେ ବଖାଣିଛନ୍ତି ମହିଳା ଜଣଙ୍କ । କେମିତି ଡାକ୍ତରଙ୍କ ଗୋଲକଧନ୍ଦା ଭିତରେ ଫଶି ଯାଇଥିଲେ ଓ ଶେଷରେ ଖୋଲା ଆକାଶ ତଳେ ପିଲାକୁ ଜନ୍ମ ଦେଇଥିଲେ ତାହାର ପୂରା କାହାଣୀ କହିଛନ୍ତିୁ ପାନା ।

ରାଜଧାନୀ ଭୁବନେଶ୍ୱର କେନ୍ଦ୍ରରେ ଥିବା କ୍ୟାପିଟାଲ ହସ୍ପିଟାଲ ସାମ୍ନା ଫୁଟପାଥରେ ଜଣେ ପ୍ରସୂତୀ ମହିଳା ପ୍ରସବ କରିବ ଅଥଚ ହସ୍ପିଟାଲରେ ଚିକିତ୍ସା ପାଇବନି, ଏହି ଘଟଣା ଯେମିତି ସମ୍ବେଦନଶୀଳ, ସେତିକି ସାଂଘାତିକ । ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ପ୍ରକୃତରେ ଶୁକ୍ରବାର ରାତିରେ ଘଟିଥିଲା କଣ ତାହାର ପୂରା କାହାଣୀ ବଖାଣିଛନ୍ତି ଫୁଟପାଥରେ ପ୍ରସବ କରିଥିବା ମା’ ।

ପ୍ରସବ ବେଦନାରେ ଛଟପଟ ହେଉଥିବା ଏହି ମା’ଙ୍କୁ ପ୍ରଥମେ ସମୟ ହୋଇନି ବୋଲି କୁହାଗଲା ଏବଂ ପରେ ୯ଟା ପରେ ଆସିବାକୁ କୁହାଗଲା । ଆଉ ଏହି ଗୋଲକଧନ୍ଦା ଭିତରେ କଟକ ନେଇଯିବା ପାଇଁ ବି ପରାମର୍ଶ ଦିଆଯାଇଥିଲା, ହେଲେ କଟକ ଯାଇ ଚିକିତ୍ସା କରିବା ପାଇଁ ତାଙ୍କ ପାଖରେ ସମ୍ବଳ ନଥିଲା । ଆଉ ଏଭଳି ଧାଁ ଦୌଡ ଭିତରେ ହସ୍ପିଟାଲ ଠାରୁ କିଛି ଦୂରରେ ରାସ୍ତା କଡରେ ଶିଶୁକୁ ଜନ୍ମ ଦେଇଥିଲେ ପ୍ରସୂତି ।

ବଡ଼ କଥା ହେଉଛି- ସମୟ ହୋଇନାହିଁ ବୋଲି କହି ବିଦା କରିଦେଇଥିବା ମେଡ଼ିକାଲ କର୍ମଚାରୀଙ୍କ ଉପରେ ବର୍ଷିଛନ୍ତି ପାନାଙ୍କ ସ୍ୱାମୀ । ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ପରେ ଆମ୍ବୁଲାନ୍ସ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଂଚିଥିଲେ ପାନା । ହେଲେ ହସ୍ପିଟାଲରେ ପହଂଚିବା ପରେ ସେଇ ଚିକିତ୍ସା ମିଳିନଥିଲା, ଯାହା ଜଣେ ପ୍ରସୂତୀ ମହିଳାଙ୍କୁ ମିଳିବା କଥା ବୋଲି ପାନାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ।

ଏପଟେ ହସ୍ପିଟାଲ କୃର୍ତକ୍ଷପ, ରୋଗୀ ଏବଂ ରୋଗୀଙ୍କ ସଂପର୍କୀୟଙ୍କ ମୁଣ୍ଡ ଉପରେ ସବୁ ଦୋଷ ଲଦି ଦେଇ ନିଜେ ଖସିଯିବାକୁ ଉଦ୍ୟମ କରୁଛନ୍ତି । ସେ ସମୟରେ ଉପସ୍ଥିତ ଥିବା ଡାକ୍ତର କହୁଛନ୍ତି ସେ ଓଟିରେ ଥିଲେ ଏବଂ ହସ୍ପିଟାଲ କର୍ତୃପକ୍ଷ କହୁଛନ୍ତି କାହାକୁ ନଜଣାଇ ରୋଗୀ ଚାଲିଯାଇଥିଲେ । ରୋଗୀଙ୍କ ଅଭିଯୋଗ ଏବଂ ହସ୍ପିଟାଲ କର୍ତୃପକ୍ଷଙ୍କ ସଫେଇ ଭିତରେ ପ୍ରଶ୍ନ ହେଉଛି-ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିବା ଜଣେ ରୋଗୀଙ୍କୁ ଚିକିତ୍ସା ମିଳିପାରିଲାନି କାହିଁକି?