କୁନି ଶିଶୁଙ୍କୁ ଚିକିତ୍ସା କରିବାର ନୂଆ ଫର୍ମୁଲା । ଡାକ୍ତରଙ୍କ ବୁଦ୍ଧି ଜାଣିଲେ ଆପଣ ବି ତାରିଫ୍ ନକରି ରହିପାରିବେ ନାହିଁ ।

525

କୁନି ପିଲାଙ୍କୁ ଚିକିତ୍ସା କରିବାର ନୂଆ ଫର୍ମୁଲା । ଡାକ୍ତରଙ୍କ ଏହି ଫର୍ମୁଲା ଦେଖିଲେ ଆପଣ ମଧ୍ୟ ବାଃ ବାଃ ନକରି ରହି ପାରିବେ ନାହିଁ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଯେଉଁ ଭିଡ଼ିଓରେ ହସ୍ପିଟାଲ ବେଡରେ ଜଣେ କୁନି ଶିଶୁ ଓ ଗୋଟିଏ କଣ୍ଢେଇ ଶୋଇରହିଥିବାର ଦେଖିବାକୁ ମିଳିଛି । ଉଭୟ ଶିଶୁ ଓ କଣ୍ଢେଇର ଗୋଡ ପ୍ଲାଷ୍ଟର କରାଯାଇଛି । କିନ୍ତୁ କୁନି ଶିଶୁଟି ସହ କଣ୍ଢେଇର ଗୋଡ କାହିଁକି ପ୍ଲାଷ୍ଟର କରାଯାଇଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ନିଶ୍ଚୟ । ତେବେ ଏହା ପଛର କାରଣ ଜାଣିଲେ ଆପଣ ଡାକ୍ତରଙ୍କ ବୁଦ୍ଧିକୁ ତାରିଫ ନ କରି ରହି ପାରିବେ ନାହିଁ ।

ପୂରା ଘଟଣାଟି ଏହିପରି । ଗତ କିଛି ଦିନ ପୂର୍ବେ ଦିଲ୍ଲୀର ଲୋକନାୟକ ହସ୍ପିଟାଲରେ ୧୧ ମାସର କୁନି ଶିଶୁ ଜିକ୍ରାଙ୍କୁ ଧରି ପହଞ୍ଚିଥିଲେ ତାଙ୍କ ବାପା ମହମ୍ମଦ । କଷ୍ଟରେ ରାହା ଧରି କାନ୍ଦୁଥିଲା କୁନି ଜିକ୍ରା । ଆଖିରୁ ଧାର ଧାର ହୋଇ ବହି ଯାଉଥିଲା ଲୁହ । କାରଣ ଶୋଇଥିବା ସମୟରେ ଖଟରୁ ପଡି ଯାଇଥିଲେ ଜିକ୍ରା । ହସ୍ପିଟାଲରେ ପହଞ୍ଚିବା ପରେ ଜିକ୍ରାଙ୍କ ଏକ୍ସରେ କରିଥିଲେ ଡାକ୍ତର । ଆଉ ଏକ୍ସରେ ରିପୋର୍ଟରେ ଜିକ୍ରାଙ୍କର ବାମ ଗୋଡ ଭାଙ୍ଗି ଯାଇଥିବା ଜଣାପଡିଥିଲା । ତେଣୁ ଡାକ୍ତର ଜିକ୍ରାଙ୍କ ଗୋଡ ପ୍ଲାଷ୍ଟର କରିବାକୁ କହିଥିଲେ ।

ବେଡ ଉପରେ ଶୁଆଇ ପ୍ଲାଷ୍ଟର ଆରମ୍ଭ କରିବା ମାତ୍ରେ ଭୋ ଭୋ ହୋଇ କାନ୍ଦିଥିଲେ ଜିକ୍ରା । ଯେତେ ଚେଷ୍ଟା କଲେ ମଧ୍ୟ କେହି ଜିକ୍ରାଙ୍କୁ ବୁଝାଇପାରିନଥିଲେ । ଆଉ ଏହି ସମୟରେ ଜିକ୍ରାଙ୍କର ପ୍ରିୟ କଣ୍ଢେଇ ଧରି ହସ୍ପିଟାଲରେ ପହଞ୍ଚିଥିଲେ ତାଙ୍କ ମା’ । ପ୍ରିୟ ଗୁଡିଆକୁ ଦେଖି ଶାନ୍ତ ପଡିଥିଲେ ଜିକ୍ରା । ଆଉ କଣ୍ଢେଇ ଆସିବା ପରେ ଜିକ୍ରା ଚୁପ ହୋଇଯିବା ଦେଖି ଡାକ୍ତରଙ୍କ ମୁଣ୍ଡକୁ ମଧ୍ୟ ନିଆରା ବୁଦ୍ଧି ଜୁଟିଥିଲା । ଜିକ୍ରାଙ୍କ ଗୋଡ ପ୍ଲାଷ୍ଟର କରିବା ପୂର୍ବରୁ ତାଙ୍କ କଣ୍ଢେଇର ଗୋଡକୁ ପ୍ରଥମେ ପ୍ଲାଷ୍ଟର କରିଥିଲେ ଡାକ୍ତର । ଆଉ ଏହାପରେ ପୁରା ତୁନି ପଡି ଯାଇଥିଲେ କୁନି ଝିଅ । କଣ୍ଢେଇର ଗୋଡ ପ୍ଲାଷ୍ଟର ହେବା ଦେଖି ବିନା ଅଝଟରେ ନିଜ ଗୋଡ ମଧ୍ୟ ବଢାଇ ଦେଇଥିଲେ ଜିକ୍ରା । ଆଉ ଡାକ୍ତର ବେଶ ଆରାମରେ ଜିକ୍ରାଙ୍କର ଗୋଡ ପ୍ଲାଷ୍ଟର କରିଥିଲେ । ଏବେ ଉଭୟ ଜିକ୍ରା ଓ ତାଙ୍କ କଣ୍ଢେଇ ହସ୍ପିଟାଲ ବେଡରେ ଆରାମ କରୁଛନ୍ତି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଡାକ୍ତରଙ୍କୁ ପ୍ରଂଶସା କରିବା ସହ ଜିକ୍ରା ଖୁବଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ଟ୍ୱିଟ୍ କରି କହିଛନ୍ତି । ଏହାଛଡା ଡାକ୍ତରଙ୍କ ଏଭଳି ବୁଦ୍ଧିକୁ ଏବେ ଚାରିଆଡୁ ପ୍ରଂଶସା କରାଯାଉଛି ।