ଦିଲ୍ଲୀ ହିଂସାକାଣ୍ଡ: ଗିରଫ ହେଲେ ୧୦୬ ଗଣ୍ଡଗୋଳକାରୀ । ନାଗରିକତା ନିଆଁ ଜଳାଉଥିବା ହିଂସାକାରୀଙ୍କ ହାତରେ ପଡିଲା ହାତକଡି । ଛାତ ଉପରୁ ପଥରମାଡ ହେଉଥିବାରୁ ଆକାଶରେ ଉଡିଲା ଡ୍ରୋନ

307

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଭୟଙ୍କର ହେଉଛି ପରିସ୍ଥିତି । ନାଗରିକତା ନିଆଁର ଭୟାବହ ସ୍ଥିତି ଗୋଟେ ପରେ ଗୋଟେ ଜୀବନ ନେଉଛି । ତେବେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୨୩କୁ ପହଁଚିଛି । ଆଉ ୟାରି ଭିତରେ ଦିଲ୍ଲୀରୁ ଆସିଛି ବଡ ଖବର । ଦୁଇ ଦିନ ହେବ ଦିଲ୍ଲୀକୁ ଜଳାଉଥିବା ହିଂସାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଉତ୍ତେଜନା ସୃଷ୍ଟି କରୁଥିବା ୧୦୬ ଜଣଙ୍କୁ ଗିରଫ କରିଛି ପୋଲିସ ।

ତେବେ ଦିଲ୍ଲୀ ଉତ୍ତର-ପୂର୍ବ ହିଂସାକାଣ୍ଡ ନେଇ ପୋଲିସ ମୋଟ ୧୦୬ ଜଣଙ୍କୁ ଗିରଫ କରିଥିବା ବେଳେ ୧୮ଟି ମାମଲା ରୁଜୁ କରିଛି । ବିଭିନ୍ନ ସ୍ଥାନରୁ ହିଂସାକାରୀଙ୍କୁ ପୋଲିସ ବାନ୍ଧିଥିବା ବେଳେ ଘଟଣା ଉପରେ କଡା ନଜର ରଖିଛି । ତେବେ ସିସିଟିଭି ଆଧାରରେ ଏ ସମସ୍ତଙ୍କୁ ଗିରଫ କରିଛି ପୋଲିସ ।
ଉତ୍ତେଜନାସ୍ଥଳରେ ପୋଲିସ ଫୋର୍ସ ପହରା ଦେଉଥିବା ବେଳେ ଡ୍ରୋନ ଉଡାଇ ଘଟଣା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଛାତ ଉପରୁ ହିଂସାକାରୀ ପଥରମାଡ କରୁଥିବାରୁ ଡ୍ରୋନ ଉଡାଯାଉଛି । ତେବେ ଯେଉଁ ଲୋକଙ୍କ ଛାତ ଉପରେ ପଥର ଥିବା ଦେଖିବାକୁ ମିଳିବ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦିଲ୍ଲୀ ପୋଲିସ କହିଛି ।

ସେପଟେ ଉତ୍ତରପୂର୍ବ ଦିଲ୍ଲୀର ଜାଫରାବାଦ, ଚାନ୍ଦବାଗ, ଭଜନପୁରା, ଯମୁନାବିହାର ଓ ମୌଜପୁରରେ ପୁଲିସ ଫ୍ଲାଗ ମାର୍ଚ୍ଚ କରିଛି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ୨୪ ଘଂଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦଙ୍ଗାଗ୍ରସ୍ତ ଅଂଚଳରେ ପହଁଚି ସ୍ଥାନୀୟ ଲୋକଙ୍କ ସହ କଥା ହୋଇଛନ୍ତି । କହିଛନ୍ତି ପରିସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ଇତି ମଧ୍ୟରେ ଉତ୍ତରପୂର୍ବ ଦିଲ୍ଲୀରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସିବିଏସଇ ସ୍ଥଗିତ ରଖିଛି ।