ଦିଲ୍ଲୀ ମହାନଗର ନିଗମରେ ଫୁଟିଲା ପଦ୍ମ :୧୮୧ ଆସନରେ ବାଜି ମାତ୍ କରି ଏମସିଡିକୁ କବଜା କଲା ଭାଜପା

31

କନକ ବ୍ୟୁରୋ : ଦିଲ୍ଲୀ ନଗର ନିଗମକୁ ଅକ୍ତିଆର କଲା ଭାରତୀୟ ଜନତାପାର୍ଟି । ଦିଲ୍ଲୀରେ ଶାସକ ଦଳ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସକୁ ଲାଗିଛି ଶକ୍ତ ଝଟକା । ଏମସିଡି ନିର୍ବାଚନରେ ବିପୁଳ ସଂଖ୍ୟା ଗରିଷ୍ଠତା ଲାଭ କରିଛି ବିଜେପି । ମୋଟ ୨୭୦ ଆସନରୁ ୧୮୧ ଆସନରେ ବିଜୟ ଲାଭ କରିବା ସହ ଏମସିଡିକୁ କବଜା କରିଛି ଦଳ । ତେବେ ଦ୍ୱିତୀୟ ଦଳ ଭାବେ କେଜରିୱାଲଙ୍କ ଆମ୍ ଆଦମୀ ପାର୍ଟି ହାତେଇଛି ୪୮ଟି ଆସନ । ଆଉ କଂଗ୍ରେସକୁ ମାତ୍ର ୨୯ ଆସନରେ ସନ୍ତୁଷ୍ଟ ହେବା ପାଇଁ ପଡିଛି ।

ତିନିଟି ମୁଖ୍ୟ ଦଳ ବ୍ୟତୀତ ଅନ୍ୟ ଦଳ ଗୁଡିକ ହାତରେ ପଡିଛି ୧୨ଟି ଆସନ । ବିଜୟୀ ହୋଇଥିବା ୧୮୧ ଆସନ ମଧ୍ୟରୁ ନର୍ଥ ଏମସିଡିରେ ୬୪ ଓ ସାଉଥ୍ ଏମସିଡିରେ ୭୦ ଟି ଆସନ ହାତେଇଛି ବିଜେପି । ସେହିପରି ଇଷ୍ଟ ଏମସିଡିରେ ୪୬ଟି ଆସନରେ ବିଜୟ ଲାଭ କରିଛି ଦଳ । ଆପ୍ ଜିତିଥିବା ୪୮ ଆସନ ମଧ୍ୟରୁ ଉତର ଦିଲ୍ଲୀରେ ୨୧, ଦକ୍ଷିଣ ଦିଲ୍ଲୀରେ ୧୭ ଓ ପୂର୍ବ ଦିଲ୍ଲୀରେ ୧୦ଟି ଆସନ ହାତେଇଛି ।

ସେହିପରି କଂଗ୍ରେସ ହାତେଇଥିବା ମୋଟ ୨୯ ଆସନ ମଧ୍ୟରୁ ନର୍ଥ ଏମସିଡିରେ ୧୪, ସାଉଥ୍ ଏମସିଡିରେ ୧୧ ଓ ଇଷ୍ଟ ଏମସିଡିରେ ୪ଟି ଆସନରେ ବିଜୟ ଲାଭ କରିଛି । ସେହିପରି ଅନ୍ୟ ଦଳଗୁଡିକ ୧୨ଟି ଆସନ ମଧ୍ୟରୁ ଉତର ଦିଲ୍ଲୀ ଓ ପୂର୍ବ ଦିଲ୍ଲୀରେ ସମାନ ସଂଖ୍ୟକ ୩ଟି ଲେଖାଏଁ ଆସନ ହାତେଇଥିବା ବେଳେ, ଦକ୍ଷିଣ ଦିଲ୍ଲୀରେ ହାତେଇଛନ୍ତି ୬ ଟି ଆସନ । ନିର୍ବାଚନ ଫଳାଫଳ ଆସିବା ପରେ ବିଜେପିର ବିଜୟକୁ ଟ୍ୱିଟ୍ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ଟ୍ୱିଟ୍ କରି ବିଜେପିକୁ ଶୁଭେଚ୍ଛା ଜଣାଇଛନ୍ତି କେଜରିୱାଲ । ଇଭିଏମ ଜାଲିଆତି ଯୋଗୁ ଏମସିଡି ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିଥିବା କହିଛି ଆପ୍ । ଅନ୍ୟପଟେ ନିର୍ବାଚନ ଫଳାଫଳ ପରେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅଜୟ ମାକନ୍ ।