ଶିକ୍ଷା ଇଞ୍ଜିନିୟରିଂ, ହେଲେ ବଡ଼ଦାଣ୍ଡରେ ଭିକ୍ଷାବୃତି କରୁଛନ୍ତି ଗିରିଜା ମିଶ୍ର । କନକ ନ୍ୟୁଜରେ କହିଲେ କାହିଁକି ବାଛିଲେ ଭିକ୍ଷାବୃତିକୁ ।

603

କନକ ବ୍ୟୁରୋ : ପୁରୀ ବଡ଼ଦାଣ୍ଡରେ ଭିକ୍ଷା ବୃତି କରୁଥିବା ଜଣେ ବ୍ୟକ୍ତିଙ୍କ ପରିଚୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭିକ୍ଷା ବୃତି କରୁଥିବା ସପୃକ୍ତ ବ୍ୟକ୍ତି ଜଣେ ଡିଗ୍ରୀ ଇଂଜିନିୟର ବୋଲି ଜଣାପଡ଼ିବା ପରେ ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ହେଉଛି । ଆସନ୍ତୁ ଜାଣିବା କିଏ ସେହି ଭିକାରୀ ଏବଂ କଣ ତାଙ୍କର ଶିକ୍ଷାଗତ ଯୋଗ୍ୟତା ।

ଶିକ୍ଷା – ଇଂଜିନିୟରିଂ, ପେଶା – ଭିକ୍ଷା ବୃତ୍ତି । ଏ ହେଉଛନ୍ତି ଗିରିଜା ଶଙ୍କର ମିଶ୍ର । ପୁରୀ ବଡ଼ଦାଣ୍ଡର ମରିଚିକୋଟ ଛକଠାରେ ଭିକ୍ଷା ବୃତି କରନ୍ତି । ତେବେ ତାଙ୍କର ଅସଲ ପରିଚୟ, ଶିକ୍ଷାଗତ ଯୋଗ୍ୟତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଇଂଜିନିୟରିଂ କରିବା ପରେ କାହିଁକି ଭିକ୍ଷା ବୃତି କରୁଛନ୍ତି, ଜୀବନର ଉତଥାନ ପତନର ପୂରା କାହାଣୀ କହିଛନ୍ତି କନକ ନ୍ୟୁଜ ଆଗରେ ।

ଅନ୍ୟଦିନ ଭଳି ଶୁକ୍ରବାର ଦିନ ମରିଚିକୋଟ ଛକଠାରେ ଭିକ୍ଷାବୃତି କରୁଥିଲେ ଗିରିଜା । ତେବେ ତାଙ୍କ ଆଗରେ ଜଣେ ରିକ୍ସା ଚାଳକ ରିକ୍ସା ରଖିଦେବାରୁ ଦୁହିଁଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଲହୁ ଲୁହାଣ ହେବା ପରେ ଦୁଇ ଜଣଙ୍କୁ ଥାନାକୁ ଆଣିଥିଲା ପୋଲିସ । ଥାନା ଅଧିକାରୀଙ୍କୁ ଅଭିଯୋଗ ପତ୍ର ଦେଇଥିଲେ ଗିରିଜା । ଏହା ନିର୍ଭୁଲ ଇଂରାଜୀରେ ଲେଖାଯାଇଥିବାରୁ ତାଙ୍କୁ ପଚରାଉଚରା କରିଥିଲା ପୋଲିସ । ଏହା ପରେ ସାମନାକୁ ଆସିଥିଲା ଗିରିଜାଙ୍କ ପରିଚୟ ।

ଗିରିଜାଙ୍କ କହିବା ଅନୁସାରେ ତାଙ୍କ ଘର ଭୁବନେଶ୍ୱରର ଜୟଦେବ ବିହାର । ବାପା ଥିଲେ ପୋଲିସ ଡିଏସପି । ବିଏସସି ଓ ଇଂଜିନିୟରିଂ କରିବା ପରେ କିଛି ଦିନ ଚାକିରି ମଧ୍ୟ କରିଥିଲେ । ତେବେ ମନ ମୁତାବକ ଚାକିରି ନପାଇ ମାନସିକ ଭାରସାମ୍ୟ ହରାଇବାରୁ ଭିକ୍ଷା ବୃତିକୁ ଆପଣେଇ ନେଇଥିଲେ । ଦେଶର ବିଭିନ୍ନ ତୀର୍ଥ ସ୍ଥାନରେ ଭିକ୍ଷା ବୃତି କରିଥିବା କହିଛନ୍ତି ଗିରିଜା । ଗିରିଜା କହିଛନ୍ତି, ତାଙ୍କ ପରିବାରରେ ଆଉ କେହି ନାହାନ୍ତି । ଏବେ ବଡ଼ଦାଣ୍ଡ ହିଁ ଭରସା ।