କରୋନା ପାଇଁ ଦରମା କଟକଣା । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କୁ ୩୦ ପ୍ରତିଶତ, ଆଇଏଏସ, ଆଇପିଏସ ଅଧିକାରୀଙ୍କୁ ମିଳିବ ୫୦ ପ୍ରତିଶତ ଦରମା । ବଳକା ଦରମା ପରେ ମିଳିବ ।

7,089

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ପୂରା ଦେଶରେ ଲକଡାଉନ ଜାରି ରହିଛି । ଏଭଳି ସ୍ଥିତିରେ ଯେପରି କେହି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତୁ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ତେବେ କରୋନା ସ୍ଥିତିରେ ଅର୍ଥନୀତିକୁ ଦୃଷ୍ଟିରେ ରଖି ବଡ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ମନ୍ତ୍ରୀ, ବିଧାୟକ, ନିଗମ ଅଧ୍ୟକ୍ଷ ଓ ଏପରିକି ନିର୍ବାଚିତ ଜନପ୍ରତିନିଧି ମାନଙ୍କ ଦରମାକୁ ନେଇ ବଡ ନିଷ୍ପତି ନେଇଛନ୍ତି ଓଡ଼ିଶା ସରକାର । କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ, ବିଧାୟକ, ନିଗମ ଅଧ୍ୟକ୍ଷ ଓ ନିର୍ବାଚିତ ଜନପ୍ରତିନିଧିଙ୍କୁ ଦରମାର ୩୦ ପ୍ରତିଶତ ଦିଆଯିବା ନିଷ୍ପତି ହୋଇଛି । ବାକି ୭୦ ପ୍ରତିଶତ ଦରମା ପରବର୍ତ୍ତୀ ସମୟରେ ଦିଆଯିବ ।

କେବଳ ମନ୍ତ୍ରୀ, ବିଧାୟକ ନୁହଁନ୍ତି ବରଂ ବଡ ବଡିଆ ଅଫିସରଙ୍କ ଦରମାକୁ ନେଇ ମଧ୍ୟ ବଡ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ସମସ୍ତ ଆଇଏଏସ, ଆଇପିଏସ ଓ ଆଇଏଫଏସ ଅଧିକାରୀଙ୍କୁ ମଧ୍ୟ ଏବେ ମାତ୍ର ୫୦ ପ୍ରତିଶତ ଦରମା ଦେବାକୁ ନିଷ୍ପତି ନିଆଯାଇଛି । ବଳକା ୫୦ ପ୍ରତିଶତ ଦରମା ପରବର୍ତ୍ତୀ ସମୟରେ ଦିଆଯିବ ବୋଲି କୁହାଯାଇଛି । ଏହି ନିଷ୍ପତିକୁ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।