କନକ ବ୍ୟୁରୋ : ଯୁଦ୍ଧବିମାନରେ ଉଡିଲେ ପ୍ରଥମ ମହିଳା ପ୍ରତିରକ୍ଷା ମନ୍ତ୍ରୀ । ପାଇଲଟ୍ ପୋଷାକରେ ନିର୍ମଳା ସୀତାରମଣ । ଆଜି ଯୁଦ୍ଧ ବିମାନ ସୁଖୋଇ-୩୦ରେ ଉଡାଣ ଭରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ପାକିସ୍ତାନ ସୀମାର ଅତି ନିକଟରେ ଥିବା ଯୋଧପୁର ଏୟାରଫୋର୍ସ ଷ୍ଟେସନରେ ପହଂଚି ଫାଇଟର ପାଇଲଟଙ୍କ ସହ ସାକ୍ଷାତ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ । ପରେ ନିଜେ ପାଇଲଟ୍ ପୋଷାକରେ ପ୍ରସ୍ତୁତ ହୋଇ ଯୁଦ୍ଧବିମାନ ସୁଖୋଇ-୩୦ରେ ବସିଥିଲେ । ସୁଖୋଇ ବିମାନରେ ଉଡି ରାଜସ୍ଥାନର ପଶ୍ଚିମୀ କ୍ଷେତ୍ରକୁ ଆକାଶ ମାର୍ଗରୁ ପରିଦର୍ଶନ କରିଥିଲେ ସୀତାରମଣ । ପ୍ରଥମ ମହିଳା ମନ୍ତ୍ରୀ ଭାବେ ସୁପରସୋନିକ୍ ଯୁଦ୍ଧବିମାନରେ ଉଡିଛନ୍ତି ସୀତାରମଣ । ତେବେ ତାଙ୍କ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ମଧ୍ୟ ସୁଖୋଇ-୩୦ରେ ଉଡିଥିଲେ ।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଦେଶର ପୂର୍ଣ୍ଣକାଳୀନ ପ୍ରତିରକ୍ଷା ମନ୍ତ୍ରୀ ରୂପେ ନିଯୁକ୍ତି ପାଇବା ପରେ ନିର୍ମଳା ସୀତାରମଣ ଏବେ ପ୍ରତିରକ୍ଷା ବିଭାଗର ତିନୋଟି ବାହିନୀ ଯଥା: ସ୍ଥଳସେନା, ବାୟୁସେନା ଓ ନୌସେନାର କର୍ମକର୍ତ୍ତାମାନେ ଜରୁରୀକଳିନ ପରିସ୍ଥିତର ମୁକାବିଲା ପାଇଁ କେତେ ଓ କେଉଁ ପରିମାଣରେ ସାମର୍ଥ୍ୟ ରଖିଛନ୍ତି, ତାହାର ସରଜମିନ୍ ତଦାରଖ କରୁଛନ୍ତି। ଏହି କ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣ ଆଜି ରାଜସ୍ଥାନର ଯୋଧପୁରରେ ଥିବା ବାୟୁସେନାର ଏୟାରବେସ୍ରୁ ଏକ ସୁଖୋଇ-୩୦ ଯୁଦ୍ଧ ବିମାନରେ ସବାର ହୋଇ ଭାରତୀୟ ବାୟୁସେନାର ଶକ୍ତି ଆକଳନ କରିବା ସହ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସେମାନେ କେତେଦୂର ସମର୍ଥ ତାହାର ପରଖିଛନ୍ତି। ଋଷ ନିର୍ମିତ ସୁଖୋଇ-୩୦ ଯୁଦ୍ଧ ବିମାନ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖୁଥିବା ବେଳେ ଶତ୍ରୁପକ୍ଷର ଘାଟିଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ଧ୍ୱସଂ କରିବାର କ୍ଷମତା ମଧ୍ୟ ରଖିଛି।
ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଭାରତ-ଚୀନ୍ ସୀମାନ୍ତ ଅଞ୍ଚଳକୁ ଗସ୍ତ କରି ସେଠାର ଘାଟି ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ଖାଲି ଏତିକି ନୁହେଁ, ଭାରତୀୟ ନୌସେନାର ଯୁଦ୍ଧତରୀ ଆଇଏନ୍ଏସ୍ କୋଲକାତା ଓ ଆଇଏନ୍ଏସ୍ ବିକ୍ରମାଦିତ୍ୟରେ ସବାର ହେବା ସହ ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣ ଭାରତୀୟ ନୌସେନାର ଶକ୍ତିକୁ ମଧ୍ୟ ଆକଳନ କରି ସାରଛନ୍ତି। ତେବେ, ଆଜି ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣ ବାୟୁସେନାର ଅତ୍ୟାଧୁନିକ ଯୁଦ୍ଧ ବିମାନ ସୁଖୋଇ(୩୦)ରେ ପାଇଲଟ୍ଙ୍କ ପଛ ସିଟ୍ରେ ବସି ଉଡ଼ାଣ କରିବାର ଭିଡିଓ ଦୃଶ୍ୟ ଆଜି ତାଙ୍କର ଟୁଇଟର ପେଜ୍ରୁ ଦେଖିବାକୁ ମିଳିବା ପରେ ଏହା ଭାଇରାଲ୍ ହୋଇ ପଡ଼ିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/17nirmala1.jpg)