ଆକ୍ସନ ମୁଡରେ ପ୍ରତିରକ୍ଷା ମନ୍ତ୍ରୀ ! ଏଣିକି ପ୍ରତିଦିନ ସୀମା ସୁରକ୍ଷା ନେଇ ତିନି ସେନା ମୁଖ୍ୟ ଓ ପ୍ରତିରକ୍ଷା ସଚିବଙ୍କ ସହ ହେବ ଆଲୋଚନା

43

କନକ ବ୍ୟୁରୋ : ଆକସନ ମୁଡରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ରକ୍ଷା ମନ୍ତ୍ରାଳୟର ସମସ୍ୟା ବୁଝିବା ସହ ପ୍ରତିଦିନ ସୀମା ସୁରକ୍ଷାକୁ ନେଇ ନିର୍ମଳା କିଛି ନୁଆ ପଦକ୍ଷେପ ନେବାକୁ ଯାଉଛନ୍ତି । ତିନି ସେନା ମୁଖ୍ୟ ଓ ପ୍ରତିରକ୍ଷା ସଚିବଙ୍କ ସହ ଏଣିକି ପ୍ରତିଦିନ ବୈଠକ ହେବ । ଆଉ ସୀମାରେ କଣ ସବୁ ଘଟୁଛି ପ୍ରଦିଦିନ ତାହା ବାବଦରେ ଆଲୋଚନା କରାଯିବ ।

ଏହି ବୈଠକରେ କେବଳ ସୀମା ଅଶାନ୍ତିକୁ ନେଇ ଆଲୋଚନା କରାଯିବ ନାହିଁ । ବରଂ ସୈନିକମାନଙ୍କ ଦୀର୍ଘଦିନର ସମସ୍ୟା ତଥା ସେମାନଙ୍କ ପରିବାରର ଉନ୍ନତି ବାବଦରେ ବି ଆଲୋଚନା କରାଯିବ । ପଦ ସମ୍ଭାଳିବା ପରେ ନିର୍ମଳା ପ୍ରଥମେ ଏକ୍ସ-ସର୍ଭିସମ୍ୟାନ ଫଣ୍ଡ ମାଧ୍ୟମ ଅଟକିଥିବା ଦୀର୍ଘଦିନର ଯୋଜନାକୁ ମଂଜୁରୀ ଦେଇଥିଲେ । ପ୍ରତିରକ୍ଷା ବିଭାଗର ଦାୟିତ୍ୱ ନେବା ପରେ ନିର୍ମଳାଙ୍କ ଗୋଟିଏ ପରେ ଗୋଟିଏ ପଦକ୍ଷେପ ସୈନ୍ୟବାହିନୀଙ୍କ ମନୋବଳ ବୃଦ୍ଧି କରିଛି ।

ତା ସହିତ ଏହି ଗସ୍ତ ଅବସରରେ ସେନା ଉପରେ ସିଏଜି ଦେଇଥିବା ରିପୋର୍ଟ ଭୂଲ ବୋଲି କହିଛନ୍ତି ନିର୍ମଳା । ଡୋକଲାମକୁ ନେଇ ଚୀନ ସହ ଲାଗିଥିବା ବିବାଦ ସମୟରେ ସିଏଜି କହିଥିଲେ , ଯୁଦ୍ଧ ହେଲେ ଭାରତ ପାଖରେ ଥିବା ଅସ୍ତ୍ରଶସ୍ତ୍ର ମାତ୍ର ୨୦ ଦିନ ଯିବ ବୋଲି ସିଏଜି ଦେଇଥିôବା ରିପୋର୍ଟ ସମ୍ପୂର୍ଣ୍ଣ ଭୂଲ । ଯୁଦ୍ଧ ହେଲେ ଭାରତ ପାଖରେ ଅସ୍ତ୍ରଶସ୍ତ୍ରର କୌଣସି ଅଭାବ ନାହିଁ । ସିଏଜି ରିପୋର୍ଟ ଠାରୁ ବାସ୍ତବତା ଏକଦମ୍ ଅଲଗା ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତା ରମଣ । ଯବାନଙ୍କ ପାଖରେ ଯଥେଷ୍ଟ ଅସ୍ତ୍ରଶସ୍ତ୍ର ଅଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ସିଏଜି ରିପୋର୍ଟରେ ଭୂଲ ତଥ୍ୟ ଦିଆଯାଇଛି ଓ ଏହାକୁ ନେଇ ବିତର୍କ କରିବା ଅନାବଶ୍ୟକ ବୋଲି ସେ କହିଛନ୍ତି । ଏମିତି ଆଶଙ୍କା ଓ ସନ୍ଦେହର କୌଣସି ସମ୍ଭାବନା ନାହିଁ ।

ନିର୍ମଳା କହିଛନ୍ତି ପ୍ରତିରକ୍ଷା ବିଭାଗର ଦାୟିତ୍ୱ ନେବା ପରେ ଏହି ବାବଦରେ ବରିଷ୍ଠ ଅଧିକାରୀଙ୍କ ସହ ବିଷଦ ଭାବେ ଆଲୋଚନା ହୋଇଛି । ଅନେକ ବିଚାର ବିମର୍ଷ ହୋଇଛି । ପ୍ରତିରକ୍ଷା ବିଶେଷଜ୍ଞ ବି ଏନେଇ ମତ ରଖିଛନ୍ତି । ତେବେ ଯୁଦ୍ଧାସ୍ତ୍ର ଓ ହତିଆର କିଣିବା ନୁଆ କଥା ନୂହେଁ । କୌଣସି ଦେଶରେ ଅସ୍ତ୍ରଶସ୍ତ୍ର କିଣିବା ଏକ କ୍ରମାଗତ ପ୍ରକ୍ରିୟା ବୋଲି କହିବା ସହ ଆମ ଦେଶ ମଧ୍ୟ କ୍ରମାଗତ ଭାବେ ଅସ୍ତ୍ରଶସ୍ତ୍ର କିଣୁଥିବା ସେ କହିଛନ୍ତି ।

ନିକଟରେ ସଂସଦରେ ସିଏଜିଙ୍କ ପକ୍ଷରୁ ଉପସ୍ଥାପିତ ରିପୋର୍ଟରେ କୁହା ଯାଇଥିଲା ଯଦି ଯୁଦ୍ଧ ହୁଏ ତେବେ ଭାରତ ପାଖରେ ପର୍ଯ୍ୟାପ୍ତ ଗୋଳାବାରୁଦ ନାହିଁ । ଅତିକମରେ ୪୦ ଦିନ ପାଇଁ ମହଜୁଦ ନାହିଁ ଗୋଳାବାରୁଦ । ଯଦି ଯୁଦ୍ଧ ହୁଏ, ତେବେ ମାତ୍ର ୨୦ ଦିରେ ହିଁ ଭାରତ ପାଖରେ ଥିବା ଗୁଳିଗୋଳା ସରିଯିବ ବୋଲି ସିଏଜି ରିପୋର୍ଟରେ କୁହାଯାଇଥିଲା ।

ଯାହା ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ସରକାରଙ୍କୁ ଘେରିଥିଲେ ବିରୋଧୀ । ଦେଶର ପ୍ରତିରକ୍ଷା ବିଭାଗର ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ସବୁଆଡୁ ସମାଲୋଚନାର ସୁଅ ଛୁଟିଥିଲା । ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଉତ୍ତର ବି ସନ୍ତୁଷ୍ଟ କରିପାରିନଥିଲା ।

ତେବେ ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିବା ନିର୍ମଳା ସୀତାରମଣ ଉତ୍ତରଲାୟି ଏୟାର ଫୋର୍ସ ବେସ ଗସ୍ତ ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଏଭଳି ଉତ୍ତର ଦେଇଛନ୍ତି । ତେବେ ବାସ୍ତବରେ ସିଏଜି ଠିକ ନା ପ୍ରତିରକ୍ଷା ମନ୍ତ୍ରୀ ଠିକ ତାକୁ ନେଇ ବି ଅନେକ ପ୍ରଶ୍ନ ଉଠିଛି ।