ଦୀପାବଳି ପୂର୍ବରୁ ଅଯୋଧ୍ୟାରେ ରାମଲୀଳା । ସାଢ଼େ ୫ ଲକ୍ଷ ଦୀପ ଜାଳି ପାଳନ ହେଉଛି ଦୀପଦାନ ଉତ୍ସବ, ଆଲୋକମାଳରେ ଝଲସୁଛି ଆଧ୍ୟାତ୍ମିକ ନଗରୀ ।

239

କନକ ବ୍ୟୁରୋ : କାଲି ଦୀପାବଳି । ଆଜି ସଜେଇ ହୋଇଛି ଉତ୍ତରପ୍ରଦେଶର ଅଯୋଧ୍ୟା । ପାଳନ ହେଉଛି ଦୀପଦାନ ମହୋତ୍ସବ । ସରଜୁ ନଦୀର ୧୨ଟି ଘାଟରେ ୫ ଲକ୍ଷ ୫୧ ହଜାର ଦୀପ ପ୍ରଜ୍ୱଳନ ହୋଇଛି । ଏ ନେଇ ବ୍ୟାପକ ଆୟୋଜନ କରିଛନ୍ତି ଉତ୍ତରପ୍ରଦେଶ ସରକାର । ଏହି ମହୋତ୍ସବରେ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଛନ୍ତି ।

ଏହି ଅବସରରେ ରାମଲୀଳା ଉତ୍ସବ ମଧ୍ୟ ପାଳନ କରାଯାଉଛି । କିମ୍ବଦନ୍ତୀ ଅନୁସାରେ ଦୀପାବଳି ଦିନ ରାବଣକୁ ପରାଜିତ କରି ଅଯୋଧ୍ୟା ଫେରି ଆସିଥିଲେ ଶ୍ରୀରାମଚନ୍ଦ୍ର । ତେଣୁ ଏହି ଦିନ ଅଯୋଧ୍ୟା ନଗରୀକୁ ଦୀପାଲୋକରେ ସଜାଇ ଦିଆଯାଇଥାଏ । ଏବର୍ଷ ଏକାଠି ୫ ଲକ୍ଷ ୫୧ ହଜାର ଦୀପ ପ୍ରଜ୍ଜ୍ୱଳନ କରାଯିବା ଫଳରେ ନୂଆ ବିଶ୍ୱ ରେକର୍ଡ ସ୍ଥାପନ ହୋଇଛି । ସେହିପରି ରାମଳୀଳା କାର୍ଯ୍ୟକ୍ରମରେ ଦେଶ-ବିଦେଶର କଳାକାର ଭାଗ ନେଇଛନ୍ତି । ପୁଷ୍ପକ ବିମାନର ପ୍ରତୀକାତ୍ମକ ଭାବେ ହେଲିକପ୍ଟରରୁ ଅବତରଣ କରିଛନ୍ତି ରାମ ଓ ସୀତା । ରାମକଥା ପାର୍କରେ ରାମ-ସୀତାଙ୍କ ପୂଜାର୍ଚ୍ଚନା ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ପହଁଚିଛନ୍ତି ।