ଓକିଲ-ପୋଲିସ ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ । ୭୨ ଦିନ ପରେ ପ୍ରତ୍ୟାହୃତ ହେଲା ଆଇନଜୀବୀଙ୍କ ଆନ୍ଦୋଳନ

ଦୀର୍ଘଦିନ ଧରି କାମ ବନ୍ଦ ପରେ ଆନ୍ଦୋଳନ ବନ୍ଦ କରିଛନ୍ତି ଓକିଲ । ବାର ଆସୋସିଏସନ ସାଧାରଣ ବୈଠକରେ ଏହି ନିଷ୍ପତି ହୋଇଛି ।

139

କନକ ବ୍ୟୁରୋ : ଓକିଲ-ପୋଲିସ ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ । ଦୀର୍ଘ ୭୨ଦିନର ଆନ୍ଦୋଳନ ପରେ ଓକିଲମାନେ ଆନ୍ଦୋଳନ ପ୍ରତ୍ୟାହାର କରିନେଇଛନ୍ତି । ଆଜି କୋର୍ଟରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ଚାଲିଥିଲା ବେଳେ ଉଭୟ ପୋଲିସ ଓ ଓକିଲ ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ । ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ବାର ଆସୋସିଏସନର ଓକିଲମାନେ କାମରେ ଯୋଗ ଦେବେ । ବାର ଆସୋସିଏସନ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତି ହୋଇଛି ।

ଦୀର୍ଘଦିନ ଧରି କାମ ବନ୍ଦ ପରେ ଆନ୍ଦୋଳନ ବନ୍ଦ କରିଛନ୍ତି ଓକିଲ । ବାର ଆସୋସିଏସନ ସାଧାରଣ ବୈଠକରେ ଏହି ନିଷ୍ପତି ହୋଇଛି । ଆସନ୍ତାକାଲିଠୁ ସାରାରାଜ୍ୟରେ ଆଇନଜୀବୀମାନେ ଯୋଗଦେବେ କାର୍ଯ୍ୟରେ । ଆଜି କୋର୍ଟରେ ଉଭୟ ପୋଲିସ ଓ ଓକିଲଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ପ୍ରଥମେ ଅଗଷ୍ଟ ୨୮ ତାରିଖ ନୂଆବଜାର ଆଇନଜୀବୀଙ୍କୁ ମାଡ଼ ମାରିବା ଘଟଣାରେ, ମାଡ ମାରିଥିବା ୩ ଜଣ ପୁଲିସ କର୍ମଚାରୀ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ । ବିନା କୌଣସି ସର୍ତରେ ସେମାନେ ଦୁଃଖ ପ୍ରକାଶ କରିବା ସହିତ କ୍ଷମା ପ୍ରାର୍ଥନା କରିଥିଲେ ।

ସେହିପରି ଅକ୍ଟୋବର ୨୯ ତାରିଖରେ ହାଇକୋର୍ଟ ପରିସରରେ ଘଟିଥିବା ଧସ୍ତାଧସ୍ତି ଓ ମାରପିଟ ଘଟଣା ପାଇଁ ଓକିଲମାନେ ମଧ୍ୟ ଦୁଃଖ ପ୍ରକାଶ କରିଥିବା କହିଥିଲେ । ତେବେ ଅଢେଇମାସର ବ୍ୟବଧାନ ପରେ ଶେଷରେ ବିବାଦର ସମାଧାନ ହୋଇଛି । ଯାହାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ବାର ଆସୋସିଏସନ ଏବଂ ହାବିଲଦାର ଆସୋସିଏସନ ।
ଏଭଳି ଘଟଣାର ଆଗକୁ ଯେପରି ପୁନରାବୃତି ନ ହୁଏ ସେଥିଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ହାଇକୋର୍ଟ ବିଚାରପତି ପୋଲିସ ଓ ଓକିଲଙ୍କ ମଧ୍ୟରେ ବିବାଦକୁ ଦୃଷ୍ଟିରେ ରଖି ୭ ଦିନ ଭିତରେ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଉଚ୍ଚ କ୍ଷମତା ସମ୍ପନ୍ନ କମିଟିରେ ରାଜ୍ୟସରକାରଙ୍କ ଗୃହ ବିଭାଗର ସର୍ବୋଚ୍ଚ ଅଧିକାରୀ, ବାର ଆସୋସିଏସନର ସଭାପତି କିମ୍ବା ସମ୍ପାଦକ ଏବଂ ୩ ଜଣ ପ୍ରତିଷ୍ଠିତ ଆଇନଜୀବୀ ରହିବେ । ଏହି କମିଟିର ନିଷ୍ପତିକୁ ସମସ୍ତେ ସମ୍ମାନ ଦେବେ ଏବଂ ମାନିବେ ।