ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ : କିଏ ହାତେଇବ ପଦ, କିଏ ମାରିବ ବାଜି ?

66

କନକ ବ୍ୟୁରୋ :  ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ । ଘୋଷଣା ହେଲା ତାରିଖ । ଆସନ୍ତା ସେପ୍ଟେମ୍ବର ୧୬ତାରିଖରେ ମନୋନୟନ ପତ୍ର ଦାଖଲ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ସେପ୍ଟେମ୍ବର ୧୮ତାରିଖରେ ପ୍ରକାଶ ପାଇବ ବୈଧ ପ୍ରାର୍ଥୀ ତାଲିକା । ସେହିଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ।୧୮ତାରିଖ ସନ୍ଧ୍ୟାରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲକା । ସେପ୍ଟେମ୍ବର ୨୨ତାରିଖରେ ହେବ ହ୍ୱାଇ ଆଇ ଷ୍ଟାଣ୍ଡ ଫର ମିଟିଙ୍ଗ୍ । ଏହାର ପରଦିନ ଅର୍ଥାତ ସେପ୍ଟେମ୍ବର ୨୩ରେ ସକାଳ ଆଠଟାରୁ ଦୁଇଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ଅପରାହ୍ନ ଦୁଇଟାରୁ ଭୋଟ ଗଣତି ଆରମ୍ଭ ହୋଇ ସଂଧ୍ୟାରେ ଫଳ ପ୍ରକାଶ ପାଇବ । ୨୫ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ବିଭାଗୀୟ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ନିର୍ବାଚନୀ ବିଗୁଲ ବାଜିବା ପରେ ଛାତ୍ର ସଙ୍ଗଠନଗୁଡିକ ବେଶ ତତ୍ପର ହୋଇ ଉଠିଛନ୍ତି । ସବୁ ଛାମୁଆ ସଙ୍ଗଠନ ପ୍ରମୁଖ କଲେଜଗୁଡିକୁ ହାତେଇବା ନେଇ ଏବେ ଆରମ୍ଭ କରିଛନ୍ତି ପ୍ରୟାସ ।

ଛାତ୍ର ସଂସଦ ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ସବୁ ରାଜନୈତିକ ଦଳ ଗୁଡିକର ଛାତ୍ର ସଂଗଠନ ପ୍ରତି ନିର୍ବାଚନ ଜିତିବା ଏକ ଆହ୍ୱାନ ହୋଇଛି । ନିକଟରେ ବିଜୁ ଜନତା ଦଳର ଯୁବ ଓ ଛାତ୍ର ସଂଗଠନର ପରିବର୍ତ୍ତନ ହୋଇଥିବା ବେଳେ ବିଜଜେଡି ବିପୁଳ ବିଜୟ ଲାଭ କରିବ ବୋଲି ଯୁବ ସଭାପତି ଅମରେଶ ପତ୍ରିଙ୍କ ଦାବି କରିଛନ୍ତି । ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ରଙ୍କ ନେତୃତ୍ୱରେ ହିଁ ମଇଦାନକୁ ଓହ୍ଲାଇବ ବିଜେଡି ।

ପୂର୍ବରୁ ଛାତ୍ର ବିଜେଡିକୁ ସଫଳତା ମିଳିଥିବା ବେଳେ ଟକ୍କର ଦେଉଥିଲା ଛାତ୍ର କଂଗ୍ରେସ । କିନ୍ତୁ ଗତ ପଂଚାୟତ ନିର୍ବାଚନରେ ଆଶାତୀତ ସଫଳତା ପାଇଥିବା ବିଜେପି ସହ ଏବିଭିବି ଯୋଡି ହୋଇଛି । ତେଣୁ ଏହି ନିର୍ବାଚନକୁ ହାତେଇବା ଏବେ ଅମରେଶଙ୍କ ପାଇଁ ଚ୍ୟାଲେଞ୍ଜ ହେବ । ନୂଆ ନୂଆ ସଭାପତି ହୋଇଥିବା ଅମରେଶଙ୍କ ପ୍ରଦର୍ଶନ ହିଁ ତାଙ୍କୁ ଆଗକୁ ନେବାରେ ସହାୟକ ହେବ । ତେଣୁ ଛାତ୍ର ସଂସଦ ନିର୍ବାଚନକୁ କ୍ଲିନ ସୁଇପ କରିବା ପାଇଁ ଛାତ୍ର ବିଜେଡି ସବୁ ପ୍ରକାର ଚେଷ୍ଟା କଲାଣି ।

ସେପଟେ ପଛରେ ପଡିନି ଛାତ୍ର କଂଗ୍ରେସ । ସଭାପତି ଇତିଶ ପ୍ରଧାନଙ୍କୁ ନେଇ ବିଭିନ୍ନ ସମୟରେ ବିରୋଧ କରାଯାଇଥିଲେ ବି ଚଳିତ ଛାତ୍ର ସଂସଦ ନିର୍ବାଚନକୁ ତାଙ୍କରି ନେତୃତ୍ୱରେ ହିଁ ଲଢ଼ିବ ଛାତ୍ର କଂଗ୍ରେସ । ତେଣୁ ଇତିଶ ବି ଗୋଟିଚାଳନା କରିବା ଆରମ୍ଭ କଲାଣି । ଛାତ୍ର ବିଜେଡିର ପ୍ରାର୍ଥୀଙ୍କୁ ନିଜ ଆଡକୁ ଟାଣି ନିର୍ବାଚନ ମଇଦାନରେ ଛାତ୍ର କଂଗ୍ରେସ ନିଜ ଦବଦବା ଦେଖାଇବ ବୋଲି କୁହାଯାଉଛି । କାରଣ ପ୍ରମୁଖ କଲେଜଗୁଡିକରେ ଏଯାଏଁ ବି ପ୍ରାର୍ଥୀ ଖୋଜିନି ଛାତ୍ର କଂଗେସ । ତେଣୁ ଏହି ଉପାୟକୁ ହିଁ ପ୍ରୟାଗ କରିପାରନ୍ତି ଇତିଶ । ତେବେ ଇତିଶଙ୍କୁ ନେଇ ସଂଗଠନ ମଧ୍ୟରୁ ବିରୋଧ ହେଉଥିବା ବେଳେ ନିର୍ବାଚନରେ ଯଦି ପରାଜୟ ହୁଏ ତେବେ ଦୋଷ ତାଙ୍କରି ମୁଣ୍ଡକୁ ହିଁ ଯିବ । ଏପରିସ୍ଥଳେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ତଥା ଛାତ୍ରନେତା କିରଣ ସାହୁ ବି ପ୍ରମୁଖ କଲେଜ ଗୁଡିକରେ ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି । ଯଦି ଏପରି ହୁଏ ତେବେ ଛାତ୍ର ସଂସଦ ନିର୍ବାଚନରେ ଇତିଶ-କିରଣ ଲଢ଼େଇ ଦେଖିବାକୁ ମିଳିପାରେ ।

ଅନ୍ୟପଟେ ବଢ଼ୁଛି ଏବିଭିପିର ସାଂଗଠନିକ ସ୍ଥିତି । ବାଙ୍ଗାଲୋର ୟୁନିଭରସିଟି ଭଳି ସଫଳତା ଓଡିଶା ଛାତ୍ର ସଂସଦ ନିର୍ବାଚନରେ ପାଇବ ବୋଲି ଦୃଢ଼ତା ଦେଖାଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଗତ ପଂଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବେଶ ସଫଳତା ପାଇଥିଲା । ଆଉ ଛାତ୍ର ସଂଗଠନ ଭିତରେ ବିଜେପିକୁ ନେଇ ଆଦୃତା ବଢୁଥିବାରୁ ଏହାର ଫାଇଦା ନେଇପାରେ ଏବିଭିପି । ତେଣୁ ଛାତ୍ର ସଂସଦ ନିର୍ବାଚନ ବିଜୟ ସଂଗଠନ ପାଇଁ ଏକ ସମ୍ମାନର ପ୍ରଶ୍ନ ହେବ । ତେଣୁ କଳେ ବଳେ ଏହି ନିର୍ବାଚନକୁ ଜିତିବାକୁ ପ୍ରୟାସ କରିବ ଏବିଭିପି । ଏପରିସ୍ଥଳେ ଯୁକ୍ତ ଦୁଇ କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନକୁ ବାରଣ କରିଛି ଉଚ୍ଚଶିକ୍ଷା ବିଭାଗ । ଯୁକ୍ତ ଦୁଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନକୁ ସ୍ଥାନାନ୍ତର ହୋଇଯାଇଥିବାରୁ ଚଳିତ ବର୍ଷଠାରୁ ଯୁକ୍ତ ଦୁଇ କଲେଜଗୁଡିକରେ ନିର୍ବାଚନ ହେବ ନାହିଁ ବୋଲି ଦର୍ଶାଯାଇଛି ।

ରେଭେନ୍ସାରେ ସଂସଦ ବଦଳରେ ପରିଷଦ ଗଠନ ନେଇ କୂଳପତି ଘୋଷଣା କରିଥିବାରୁ ଏହାକୁ ବାଦ ଦେଇ ରମାଦେବୀ ଓ ବାଣୀବିହାରକୁ ଟାର୍ଗେଟ କରିବେ ପ୍ରତ୍ୟେକ ଛାତ୍ର ସଂଗଠନ । ଏସବୁ ଭିତରେ ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ବିଭିନ୍ନ ପୋଷ୍ଟର ଓ ବ୍ୟାନର ମାରି ପ୍ରାର୍ଥୀମାନେ ମଇଦାନକୁ ଓହ୍ଳାଇ ସାରିଥିବାରୁ କିଏ ବାଜି ମାରୁଛି ତାହାକୁ ସମସ୍ତଙ୍କର ଅପେକ୍ଷା ।