ଓଡିଶାର କାଶ୍ମୀର ଦାରିଙ୍ଗିବାଡିରେ ଶୀତର ସ୍ପର୍ଶ । ଭାସୁଛି କୁହୁଡି, ଚାରିଆଡେ ଧୂଆଁଳିଆ ପରିବେଶ । ମନ ମୋହୁଛି ଶୀତ ଦିନର ସିନ୍ଦୁର ଫଟା ସକାଳ ।

520

କନକ ବ୍ୟୁରୋ : ଓଡିଶାର କାଶ୍ମୀର ଦାରିଙ୍ଗିବାଡିରେ ଶୀତର ସ୍ପର୍ଶ । ବୁଲବୁଲ୍ ଯିବା ପରେ ପରେ କନ୍ଧମାଳ ଜିଲ୍ଲାକୁ ଧୀରେ ଧୀରେ ମାଡି ଆସୁଛି ଶୀତ । ଦାରିଙ୍ଗିବାଡି ସମେତ ଫୁଲବାଣୀ, ବାଲିଗୁଡୁ, କ-ନୂଆଗାଁ, ରାଇକିଆ ଏବଂ ଉଦୟଗିରିରେ ସକାଳର କୋହଲା ପାଗକୁ ଉପଭୋଗ କରୁଛନ୍ତି ଲୋକେ ।

ଶୀତ ଦିନର ସିନ୍ଦୁର ଫଟା ସକାଳ । ଭାସୁଛି କୁହୁଡି । ଚାରିଆଡେ ଧୂଆଁଳିଆ ପରିବେଶ । ଘାସ ଗାଲିଚା ଓ ରଙ୍ଗବେରଙ୍ଗର ଫୁଲ ଉପରେ କାକରର ଟୋପା, ପ୍ରକୃିତର ସୁନ୍ଦରତାକୁ ଦ୍ୱିଗୁଣିତ କରୁଛି । କନ୍ଧମାଳ ଜିଲ୍ଲାରେ ସୃଷ୍ଟି ହୋଇଥିବା ଏ ପରିବେଶର ପଛରେ ରହିଛି ଶୀତର ଆଗମନ । ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡିକୁ ଛୁଇଁ ସାରିଛି ଶୀତ । ଶୀତୁଆ ସକାଳର ମଜା ଉଠାଉଛନ୍ତି ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା । ଶୀତୁଆ ସକାଳ କବି ଲେଖକଙ୍କୁ ଭାବୁକ କରୁଛି ।

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଦାରିଙ୍ଗିବାଡିକୁ ରାଜ୍ୟର ପ୍ରଥମ ଶୀତ ସ୍ପର୍ଶ କରିଛି । ବାତ୍ୟା ବୁଲବୁଲ ଯିବା ପରେ ଶୀତ ଅନୁଭୁତ ହେଉଥିବା କୁହନ୍ତି ସ୍ଥାନୀୟ ବାସିନ୍ଦା । ଏବେ ସଂଧ୍ୟା ହେଲେ ଥଣ୍ଡା ଅନୁଭୁତ ହେଉଥିବା ବେଳେ ଦିନ ୯ଟା ପୂର୍ବରୁ ଥଣ୍ଡା କମୁନାହିଁ କି କୁୁହୁଡି ଛାଡୁନାହିଁ । ଶୀତରୁ ମୁକ୍ତି ପାଇବାକୁ ଅନେକ ସ୍ଥାନରେ ଲୋକେ ନିଆଁ ଜାଳ କରି ବସୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏଥର ଶୀତ ଆସିସାରିଥିବାରୁ ପର୍ଯ୍ୟଟକ ମଧ୍ୟ ଓଡିଶାର କାଶ୍ମୀର ଦାରିଙ୍ଗିବାଡିର ଶୀତକୁ ଅନୁଭବ କରିବାକୁ ଆସିବେ ବୋଲି ଆଶା କରୁଛନ୍ତି ସ୍ଥାନୀୟ ଲୋକେ ।