କେନ୍ଦ୍ରାପଡା ହୁକିଟୋଲା ଡଙ୍ଗାବୁଡି ଘଟଣା ପରେ ବି ଚେତିନି ପ୍ରଶାସନ : ଏବେ ବି ମହାକାଳପଡା ଫେରିଘାଟରେ ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଛନ୍ତି ଯାତ୍ରୀ

69

କନକ ବ୍ୟୁରୋ : ମହାକାଳପଡା ବ୍ଲକ ନିପାଣିଆ ନୈାକା ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ପରେ ବି ଚେତିନି ପ୍ରଶାସନ । ଭରା ନଈରେ ବିପଦ ସଙ୍କୁଳ ଅବସ୍ଥାରେ ପାରି ହେଉଛନ୍ତି ଦୈନିକ ହଜାର ହଜାର ଯାତ୍ରୀ । ଲାଇଫ ଜ୍ୟାକେଟ ଅଛି କିନ୍ତୁ ଦେଖାଇବା ପାଇଁ । ସୁରକ୍ଷା ଉପକରଣ ବିନା ଡଙ୍ଗା ଚାଲୁଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଲକ୍ଷ ଲକ୍ଷ ଟଙ୍କାରେ ନିଲାମ ହେଉଥିବା ଫେରିଘାଟ ଗୁଡିକ ମାନୁନାହାନ୍ତି ସରକାରୀ ନୀତି ନିୟମ ।

କେନ୍ଦ୍ରାପଡା ମହାକାଳପଡା ବ୍ଲକରେ ଥିବା ଫେରିଘାଟ ଗୁଡିକରେ ଯାତ୍ରୀମାନଙ୍କର ସୁରକ୍ଷା ଉପରେ ଧ୍ୟାନ ଦେଉନାହାନ୍ତି । ଏବେ ବି ହୁକିଟୋଲା ଆଖପାଖ ଫେରିଘାଟରେ ଅତି ବିପଦପୂର୍ଣ୍ଣ ଭାବେ ନଦୀପାର ହେଉଛନ୍ତି ହଜାର ହଜାର ଲୋକ । ଜମ୍ବୁ, ବତୀଘର ଇତ୍ୟାଦି ପଂଚାୟତର ଲୋକମାନଙ୍କର ଯାତାୟତର ମୁଖ୍ୟ ମାଧ୍ୟମ ହେଉଛି ଡଙ୍ଗା । ବାହାକୁଦ ଫେରିଘାଟ କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାର ମୁଖ୍ୟ ସଂଯୋଗ ପଥ । ଏହିଘାଟ ଦେଇ ପ୍ରତିଦିନ ଶତାଧିକ କର୍ମଜୀବି ମହିଳା ଏବଂ ପୁରୁଷ ୩ କିଲୋମିଟର ମହାନଦୀ ମୁହାଣ ପାରି ହୋଇ ପାରାଦ୍ୱୀପ ଅଂଚଳକୁ ଯାଇଥାନ୍ତି । ପ୍ରତିବର୍ଷ ଘାଟ ନିଲାମ କରି ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହେଉଛି, ହେଲେ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉନାହିଁ ।

ମହାକାଳପଡା ନିପାଣିଆ ଡଙ୍ଗା ବୁଡି ଘଟଣା ପରେ ବି ପ୍ରଶାସନର ନିଦ ଭାଙ୍ଗୁ ନାହିଁ । ଏବେ ବି ନୌକା ଯାତ୍ରାରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଡଙ୍ଗାରେ ନଦୀ ପାରି ହେଉଥିଲେ ସୁଦ୍ଧା ଲାଇଫ ଜ୍ୟାକେଟର ବ୍ୟବହାର କରାଯାଉନାହିଁ । ସେପଟେ ମହାକାଳପଡା ବିଡିଓ କହିଛନ୍ତି, ଘାଟ ନିଲାମ ବେଳେ ଲାଇଫ ଜ୍ୟାକେଟ ଓ ଲାଇଫ ବୟ ରଖିବା ସହ ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ମହାକାଳପଡା ବ୍ଲକରେ ପ୍ରାୟ ୧୨ଟି ଫେରିଘାଟ ରହିଛି । ବାହାକୁଦ, ଜମ୍ବୁ, କାଂଶପାଳ, ଚଣ୍ଡିଆପଲ୍ଲି , ଟୁବି, ତେରଙ୍ଗା ଏବଂ ଓସ୍ତର ଫେରିଘାଟରେ ଲାଇଫ ଜ୍ୟାକେଟ ରହିଛି । ହେଲେ ନଦୀ ପାର ବେଳେ ବ୍ୟବହାର କରାଯାଉନାହିଁ । କେତେକ ସ୍ଥାନରେ ଆଦୌ ଲାଇଫ ଜ୍ୟାକେଟର ବ୍ୟବସ୍ଥା ନାହିଁ ।

ପ୍ରଶାସନ ମହାକାଳପଡା ବ୍ଲକରେ ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀ ପରିବହନ କରୁଥିବା ଫେରିଘାଟ ଗୁଡିକ ଚିହ୍ନଟ କରି ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ଦାବି ହେଉଛି ।