ଗୋଟିଏ ମଞ୍ଚରେ ଏକାଠି ହେଲେ ବିଜେଡି ନେତା ଓ ଦାମ । ବାଲିଯାତ୍ରା ମଞ୍ଚରେ ଲାଗିଲା ରାଜନୀତିର ତଡ଼କା ।

ବିଜେଡ଼ିରୁ ବହିଷ୍କାର ପରେ ପ୍ରଥମଥର ପାଇଁ ଏକାଠୀ ହେଲେ ଦାମ ଓ ବିଜେଡ଼ି ନେତା ।

717

କନକ ବ୍ୟୁରୋ: ପାରାଦୀପ କଳିଙ୍ଗ ବାଲିଯାତ୍ରାର ଉଦଘାଟନୀ ଉତ୍ସବରେ ରାଜନୀତିର ଲଢେଇ । ଗୋଟିଏ ମଂଚରେ ପାରାଦୀପ ବିଧାୟକ ଦାମୋଦର ରାଉତ ଓ ବିଜେଡିର ବରିଷ୍ଠ ମନ୍ତ୍ରୀ ଓ ସାଂସଦ । ଏଭଳି ଦୃଶ୍ୟ କଳିଙ୍ଗ ବାଲିଯାତ୍ରାର ଉଦଘାଟନୀ ଉତ୍ସବରେ ଦେଖିବାକୁ ମିଳିଛି । ବିଜେଡିରୁ ବହିଷ୍କୃତ ହେବା ପରେ ପ୍ରଥମ ଥର ପାଇଁ ଦାମଙ୍କୁ ବିଜେଡି ନେତା ମନ୍ତ୍ରୀଙ୍କ ଗହଣରେ ଦେଖିବାକୁ ମିଳିଥିଲା ।ଆଉ ସଂସ୍କୃତି ମଂଚରେ ଦେଖିବାକୁ ମିଳିଥିଲା ରାଜନୀତିର ଆରୋପ ପ୍ରତ୍ୟାରୋପ ।

ବିଜେଡ଼ିରୁ ବହିଷ୍କାର ହେବା ପରେ ଡା. ରାଉତଙ୍କୁ ପ୍ରଥମ ଥର ପାଇଁ ବିଜେଡି ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ଗହଣରେ ଦେଖିବାକୁ ମିଳିଥିଲା । ମଞ୍ଚରେ ଉପସ୍ଥିତ ଅତିଥିମାନଙ୍କ ମଧ୍ୟରୁ ପ୍ରଥମେ ଦାମଙ୍କୁ କହିବାକୁ ସୁଯୋଗ ଦିଆଯାଇଥିଲା। ଦାମ ପ୍ରଥମେ ବାଲିଯାତ୍ରାର ଇତିହାସ ସମ୍ପର୍କରେ ବର୍ଣ୍ଣନା କରିଥିଲେ ସତ। ମାତ୍ର ଧୀରେ ଧୀରେ ତାଙ୍କର ବକ୍ତବ୍ୟ ରାଜନୀତି ଆଡ଼କୁ ଢଳିଥିଲା। ତାଙ୍କ ସମାଲୋଚନାରୁ ଦୁଇ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ତା, ପ୍ରତାପ ଜେନା, ସା˚ସଦ ଡାକ୍ତର କୁଳମଣି ସାମଲ, ବିଧାୟକ ପ୍ରଶାନ୍ତ ମୁଦୁଲି କେହି ବି ବାଦ୍ ପଡ଼ିନଥିଲେ।

dama 1ଦାମଙ୍କ ବକ୍ତବ୍ୟ ପରେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କର ପାଳି ପଡ଼ିଥିଲା। ଅତନୁ ସିଧାସଳଖ ଦାମଙ୍କୁ ସମାଲୋଚନା କରିନଥିଲେ। ମାତ୍ର, ଲକ୍ଷ୍ମଣରେଖା ମଧ୍ୟମରେ ରହି ସମସ୍ତେ ବକ୍ତବ୍ୟ ଦେବା ଉଚିତ୍ ବୋଲି କହିଥିଲେ। ଏହାପରେ ବକ୍ତବ୍ୟ ରଖିବା ପାଇଁ ଆସିଥିବା ବିଧାୟକ ପ୍ରଶାନ୍ତ ମୁଦୁଲି ଦାମଙ୍କୁ ତାତ୍ସଲ୍ୟ କରି କହିଥିଲେ ଯେ, ଆତ୍ମ ଗର୍ବ ପରିତ୍ୟାଗ କରି ପ୍ରତ୍ୟେକ ବ୍ୟକ୍ତି ନିଜେ ଆତ୍ମସମୀକ୍ଷା କରିବା ଉଚିତ୍। ସବୁବେଳେ ବିଜୁ ବାବୁଙ୍କୁ ସାମ୍ନାରେ ରଖି ମିଛ ବାହାସ୍ଫୋଟ ମାରିବା ଛାଡ଼ନ୍ତୁ ବୋଲି ସେ ପରୋକ୍ଷରେ ଦାମଙ୍କୁ ଇଙ୍ଗିତ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମନ୍ତ୍ରୀ ଅଶୋକ ପଣ୍ତା ମଧୢ ଦାମଙ୍କୁ ସମାଲୋଚନା କରିଥିଲେ। ଶେଷରେ, ମୁଖ୍ୟ ଅତିଥି ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ବିଜୁ ବାବୁ୍ଙ୍କୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ବୋଲି ଧରିନେଇଥିବା ନେତାମାନେ ବଡ଼ ଭୁଲ କରୁଛନ୍ତି । କାରଣ ବିଜୁ ବାବୁ ସମସ୍ତ ଓଡ଼ିଆଙ୍କର ସମ୍ପତ୍ତି ବୋଲି ଏହି ନେତା ଜଣକ ଭୁଲି ଯାଆନ୍ତୁ ନାହିଁ ବୋଲି ପରୋକ୍ଷରେ ଦାମଙ୍କୁ ଇଙ୍ଗିତ କରି ଶ୍ରୀ ଜେନା କହିଥିଲେ। ଦାମଙ୍କ ଭାଷଣ ପରେ ବିଜେଡି ନେତା ମଧ୍ୟ ପାଲଟା ଜବାବ ରଖିଥିଲେ ।