ଦାମଙ୍କୁ ଡବଲ ଝଟକା ! କାଲି ଯାଇଥିଲା ମନ୍ତ୍ରୀପଦ, ଆଜି ଚାଲିଗଲା ଦଳୀୟ ପଦ

40

କନକ ବ୍ୟୁରୋ: ଗତକାଲି ମନ୍ତ୍ରୀପଦ ଯାଇଥିଲା ଆଜି ଦଳୀୟ ପଦରୁ ଦିଆଗଲା ବାଦ । ଦାମଙ୍କ ବିରୋଧରେ ପୁଣି ଦଳ ନେଲା କାର୍ଯ୍ୟାନୁଷ୍ଠାନ ।ଦାମଙ୍କ ବିରୋଧରେ ମାଷ୍ଟରଷ୍ଟ୍ରୋକ ଖେଳିଛଇ ଦଳ । ବିଜେଡିର ଉପ-ସଭାପତି ପଦରୁ ଆଜି ଦାମୋଦର ରାଉତଙ୍କୁ ଅବ୍ୟାହତି ଦିଆଯାଇଛି । କେବଳ ଉପ-ସଭାପତି ପଦ ନୁହେଁ ଢେଙ୍କାନାଳ ଜିଲ୍ଲା ପଯ୍ୟବେକ୍ଷକରୁ ମଧ୍ୟ ଦାମ ରାଉତଙ୍କୁ ବିଦା କରାଯାଇଛି । ବିଜୁ ଜନତା ଦଳ ପକ୍ଷରୁ ଏନେଇ ଏକ ପ୍ରେସ ରିଲିଜରେ ସୂଚନା ଦିଆଯାଇଛି । ଏହାସହ ଏହାକୁ ତୁରନ୍ତ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ କେଉଁ କାରଣରୁ ଦାମଙ୍କୁ ଉପ-ସଭାପତି ତଥା ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକରୁ ଅବ୍ୟାହତି ଦିଆଗଲା ସେ ନେଇ କୌଣସି ସ୍ପଷ୍ଟ କାରଣ ଦର୍ଶଯାଇନାହିଁ ।

ବ୍ରାହ୍ମଣଙ୍କୁ ନେଇ ବିବାଦୀୟ ବୟାନ ପାଇଁ ଶୁକ୍ରବାର ଦାମ ରାଉତଙ୍କୁ ମନ୍ତ୍ରୀପଦରୁ ବହିଷ୍କାର କରିଥିଲେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ଜାତିଆଣ ମନ୍ତବ୍ୟ ପାଇଁ ଦାମଙ୍କୁ ବହିଷ୍କାର କରାଯାଇଥିବା ନବୀନ କହିଥିଲେ । ତେବେ ଏହାପରେ ଦାମ ପୁଣିଥରେ ମୁହଁ ଖୋଲିଥିଲେ କହିଥିଲେ ତାଙ୍କୁ ଇସ୍ତଫା ଦିଆଯିବା ପାଇଁ କୁହାଯାଇଥିଲା କିନ୍ତୁ ସେ ମନା କରିବାରୁ ତାଙ୍କୁ ମନ୍ତ୍ରୀପଦରୁ ବହିଷ୍କାର କରାଯାଇଥିଲା । ତେବେ ଆଗାମୀ ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ହେବାକୁ ଥିବା ବେଳେ ଦଳ ପକ୍ଷରୁ ବରିଷ୍ଠ ନେତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ରାଜ୍ୟ ରାଜନୀତିକୁ ଆହୁରି ଗରମ କରିଛି । ତେବେ ଆଗାମୀ ଦିନରେ ଦାମଙ୍କ ଆଭିମୁଖ୍ୟ କଣ ରହିବ ତାହା ଉପେରେ ଏବେ ସମସ୍ତଙ୍କ ନଜର ।