ଦାମଙ୍କୁ ଦାୟିତ୍ୱ : ଦେବୀ ଆଉ ଉଷାଙ୍କ ସହ ମିଶି ବାଛିବେ ଭଲ ଜିଲ୍ଲାପାଳ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦାମଙ୍କୁ ସନ୍ତୁଷ୍ଟ କରିବାକୁ ବିଜେଡି ସୁପ୍ରିମୋଙ୍କ ଫର୍ମୁଲା । ଦାମ ଏବେ ଜିଲ୍ଲାପାଳଙ୍କ ଦକ୍ଷତା ମାପିବେ । ଭୂତ ଉପାଖ୍ୟାନ ନେଇ କିଛି ଦିନ ଧରି ଚର୍ଚାରେ ଥିଲେ ଦାମ ରାଉତ । ଦଳର ଏହି ବରିଷ୍ଠ ନେତାଙ୍କ ମନ୍ତବ୍ୟକୁ ନେଇ ବିଜେଡିରେ ହଟ୍ଟଚମଟ ସୃଷ୍ଟି ହୋଇଥିଲା । ଆଉ ଦାମଙ୍କୁ ସନ୍ତୁଷ୍ଟ କରିବାକୁ ନବୀନ ଆପଣାଇଛନ୍ତି ନୂଆ ଫର୍ମୁଲା ।

ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀରେ ସରକାରୀ ଯୋଜନାର ସୁଫଳ କିଭଳି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଂଚିବ ସେଥିଲାଗି ଜିଲ୍ଲାପାଳମାନଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ଗୃହ ନିର୍ମାଣ, ପାନୀୟ ଜଳ ଯୋଗାଣ, ଆଦର୍ଶ ବିଦ୍ୟାଳୟ ସ୍ଥାପନ, ଏସସି/ଏସଟି ହଷ୍ଟେଲ ଏବଂ ବୃହତ ଜଳସେଚନ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରୁଛନ୍ତି ।  ସେହିପରି ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ଭଲ ପଦକ୍ଷେପ ସଂପର୍କରେ ସୂଚନା ମାଗିଛନ୍ତି ନବୀନ । ଫଳରେ ଏହାକୁ ଆନ୍ୟାନ୍ୟ ସ୍ଥାନରେ ମଧ୍ୟ କାର୍ଯ୍ୟକାରୀ କରାଯାଇ ପାରିବ । ୩ଟି ଭଲ କାର୍ଯ୍ୟ କରିଥିବା ଜିଲ୍ଲାପାଳଙ୍କୁ ପୁରସ୍କୃତ କରାଯିବ । ଜିଲ୍ଲାପାଳଙ୍କ କାର୍ଯ୍ୟ ତଦାରଖ ପାଇଁ କମିଟିରେ ମନ୍ତ୍ରୀ ଦାମୋଦର ରାଉତଙ୍କ ସମେତ ମନ୍ତ୍ରୀ ଉଷା ଦେବୀ ଓ ଦେବୀପ୍ରସାଦ ମିଶ୍ର ସ୍ଥାନ ପାଇଛନ୍ତି । ସେହିପରି ତିନି ଜଣ ବରିଷ୍ଠ ପ୍ରଶାସକ ଆର ବାଲକ୍ରିଷ୍ଣନ, ଆରତୀ ଆହୁଜା, ସୁରେଶ ମହାପାତ୍ର ମଧ୍ୟ ଏହି କମିଟିରେ ରହିଛନ୍ତି । ମନ୍ତ୍ରୀ ଦାମ ରାଉତ କହିଛନ୍ତି ଭଲ କାର୍ଯ୍ୟ କରିଥିବା ୭ ଜଣ ଜିଲ୍ଲାପାଳ ପୁରସ୍କାର ପାଇଁ ରେସରେ ରହିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣଙ୍କୁ କାଲି ସଂଧ୍ୟାରେ ପୁରସ୍କୃତ କରାଯିବ । ସେପଟେ ଆସନ୍ତାକାଲି ବିଭିନ୍ନ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସମସ୍ତ ଏସପି ଉପସ୍ଥିତ ରହିବେ ।