ଦାମ ବନାମ କଟକ-ବାଦୀପାଲା

36

କଟକ ବ୍ୟୁରୋ ,କନକ ନ୍ୟୁଜ୍ : ଦାମ ବନାମ କଟକ । ଉପ-ନିର୍ବାଚନର ପରାଜୟକୁ ଅସ୍ତ୍ର କରି ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଶର ବିନ୍ଧି ଚାଲିଛନ୍ତି ମନ୍ତ୍ରୀ ଦାମୋଦର ରାଉତ । ଗତକାଲି କହିଥିଲେ ,ଘର କଳିର ପ୍ରଭାବ ଦଳ ଉପରେ ପଡିଲା । ଏମିତିକି ଦେବାଶିଷଙ୍କ ଯୋଗୁଁ ହିଁ ବିଜେଡି ପରାଜୟକୁ ଦେଖିଲା ବୋଲି ଦାମ ଅଭିଯୋଗ କରିଥିଲେ । ଆଉ ଆଜି ନିଜ ପୁରୁଣା ଶତ୍ରୁଙ୍କ ଉପରକୁ ଛାଡିଛନ୍ତି ବ୍ରହ୍ମାସ୍ତ୍ର । କହିଛନ୍ତି ଦେବାଶିଷ ଟଙ୍କାର ନେତା , ଲୋକଙ୍କ ନେତା ନୁହଁନ୍ତି ।

ସେପଟେ ଦାମଙ୍କ ଏ ସିରିଜ୍ ଆଟାକକୁ ମୁକାବିଲା କରିବାକୁ ଏକାଠି ହୋଇଛନ୍ତି କଟକର ବିଜେଡି ନେତା । ବିଧାୟକ ପ୍ରଭାତ ବିଶ୍ୱାଳ କହିଛନ୍ତି କଟକ ଗଡକୁ ସୁରକ୍ଷିତ ରଖିବାକୁ ଆମେ ଅଛୁ । ଦାମବାବୁ ନିଜ ଏରିଆ ସମ୍ଭଳନ୍ତୁ । ସେପଟେ ଦେବାଶିଷ ସାମନ୍ତରାୟ କହିଛନ୍ତି ବରିଷ୍ଠ ନେତାଙ୍କ ଏଭଳି ବୟାନକୁ ସହଜରେ ଗ୍ରହଣ କରାଯାଇ ପାରିବ ନାହିଁ ।

କଟକର ଏ ଛୋଟିଆ ପରାଜୟ ବିଜେଡିରେ ଝଡ ସୃଷ୍ଟି କରିଛି । ପରିସ୍ଥିତି ଏମିତି ହୋଇଛି ଯେ,ବିବାଦୀୟ ବୟାନ ନଦେବାକୁ ସୁପ୍ରିମୋ ବାନ୍ଧିଥିବା ତୁଣ୍ଡିକୁ ଛିଡାଇ ଦେଉଛନ୍ତି ଦଳୀୟ ନେତା । ଖାସ୍ କରି ଦେବାଶିଷଙ୍କୁ ଟାର୍ଗେଟ୍ କରିବାକୁ ଯାଇ ଦାମବାବୁ ଭୁଲିଯାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ । ସେପଟେ ଦାମ ବନାମ କଟକ ଶୀର୍ଷକ ବାଦୀପାଲା ଏବେ ରୋଚକ ରୂପ ନେଉଛି ।