ଖାରବେଳଙ୍କ ନବୀନ ବିରୋଧୀ ମହାମେଂଟରେ ମିଶିବେ କିଏ ? କ’ଣ ହେବ ଏହାର ରୂପରେଖ ? ପ୍ରତିକ୍ରିୟା ରଖିଲେ ଦାମ ଓ ବ୍ରଜ ତ୍ରିିପାଠୀ ।

242

କନକ ବ୍ୟୁରୋ : ଖାରବେଳଙ୍କ ମହାମେଂଟ ଥିଓରିକୁ ନେଇ ସରଗରମ ହେଉଛି ଆଲୋଚନା । ଏହି ନବୀନ ବିରୋଧୀ ପରିକଳ୍ପିତ ମେଂଟରେ କିଏ ରହିବେ, କିଭଳି ହେବ ଏହାର ରୂପରେଖ, ଏ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆସିଛି ବରିଷ୍ଠ ନେତା ଦାମ ରାଉତ ଓ ବ୍ରଜ ତ୍ରିପାଠୀଙ୍କ ପ୍ରତିକ୍ରିୟା । ତେବେ ବିଜୟ, ବୈଜୟନ୍ତ ଓ ଦିଲ୍ଲୀପଙ୍କ ରାଜନୈତିକ ଆଭିମୁଖ୍ୟ କ’ଣ ହେବ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଖାରବେଳଙ୍କ ମହାମେଂଟରେ ରହିବେ କିଏ? କ’ଣ ହେବ ଏହାର ରୂପରେଖ? ପୂର୍ବତନ ସାଂସଦ ତଥା ଉତ୍କଳ ଭାରତର ସଭାପତି ଐର ଖାରବେଳ ସ୍ୱାଇଁଙ୍କ ମହାମେଂଟ ଥିଓରିକୁ ନେଇ ଘମାଘୋଟ ଆଲୋଚନା । ନବୀନ ବିରୋଧୀ ମହାମେଂଟ ଖୁବଶୀଘ୍ର ହେବାକୁ ଯାଉଛି ବୋଲି କହିଥିଲେ ଖାରବେଳ । ଦାମୋଦର ରାଉତ, ବୈଜୟନ୍ତ ପଣ୍ଡା, ଦିଲ୍ଲୀପ ରାୟ, ବିଜୟ ମହାପାତ୍ର ଏବଂ ବ୍ରଜ କିଶୋର ତ୍ରିପାଠୀଙ୍କ ସହ ଆଲୋଚନା ହେଉଛି ଏବଂ ସେମାନେ ଖୁବଶୀଘ୍ର ସେମାନଙ୍କ ନିଷ୍ପତି ଜଣାଇବେ ବୋଲି ସେ ସୂଚନା ଦେଇଥିଲେ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଓ ବ୍ରଜ କିଶୋର ତ୍ରିପାଠୀ ।

ଦାମ କହିଛନ୍ତି, ଖାରବେଳ ସ୍ୱାଇଁ ତାଙ୍କ ସହ କଥା ହୋଇଥିଲେ । ଏବଂ ତାଙ୍କ ଦଳକୁ ମହାମେଣ୍ଟ ସହ ମିଶାଇବାକୁ କହିଥିଲେ । କିନ୍ତୁ ଦାମ କହିଛନ୍ତି, ‘ମୋର ତ ଦଳ ନାହିଁ, ମୁଁ ମିଶିବି କାହିଁକି ? ଆଗ ଦଳ ହେଉ, ପରେ ଚିନ୍ତା କରିବି । ମୋ ମତରେ ଯେତେ ଛୋଟଛୋଟ ଦଳ ରହିଛି ମୋତେ ଆୟୁଧ କରି ଏକ ଦଳ ଗଢିଲେ ଭଲ ହେବ । ମୁଁ କୌଣସି ଦଳକୁ ଯିବି ନାହିଁ । ଯଦି କୌଣସି ଦଳ କିଛି ନକରନ୍ତି, ମୁଁ କିଛି ଲୋକଙ୍କୁ ନେଇ ଏକ ଦଳ ଗଢିବି ।ଏହାର ମୁଖ୍ୟ ଲକ୍ଷ୍ୟ ରହିବ ନବୀନ ପଟ୍ଟନାୟକଙ୍କୁ ଗାଦିଚ୍ୟୁତ କରିବ’ । ସେହିପରି ବ୍ରଜ କିଶୋର ତ୍ରିପାଠୀ କହିଛନ୍ତି, ନିର୍ବାଚନ ପୂର୍ବରୁ ଗୋଟିଏ ଶକ୍ତି ହୋଇ ଛିଡା ହେବାକୁ ତାଙ୍କର ଇଚ୍ଛା ରହିଛି । ଯେପରିକି ଦୁର୍ନୀତିରେ ବୁଡି ରହିଥିବା ନବୀନ ସରକାରକୁ ହଟାଇ ହେବ ।

ଦାମ ଓ ବ୍ରଜଙ୍କ ପ୍ରତିକ୍ରିୟା ପରେ ବିଜୟ, ଦିଲ୍ଲୀପ, ବୈଜୟନ୍ତଙ୍କ ଆଭିମୁଖ୍ୟ କଣ ରହିବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କିଏ ମହାମେଂଟରେ ସାମିଲ ହେବ ସେନେଇ ଆରମ୍ଭ ହୋଇଛି ଆଲୋଚନା । ଆସନ୍ତା ୭ ତାରିଖରେ ବୈଜୟନ୍ତ ନିଜ ରାଜନୈତିକ ଭବିଷ୍ୟତ ସଂପର୍କରେ ସ୍ପଷ୍ଟ କରିବେ ବୋଲି ଚର୍ଚ୍ଚା ହେଉଛି । ତେବେ ବିଜେପି ଛାଡିବା ପରେ ବିଜୟ ଓ ଦିଲ୍ଲୀପ ସେମାନଙ୍କ ଆଭିମୁଖ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । ନିର୍ବାଚନ ପାଖେଇ ଆସୁଥିବା ବେଳେ ଖାରବେଳଙ୍କ ମହାମେଂଟ ବାଣ ରାଜ୍ୟ ରାଜନୀତିକୁ ସରଗରମ କରିଛି । ତେବେ ଏହାର ରୂପରେଖ କିଭଳି ହେବ ଏବଂ ଭବିଷ୍ୟତରେ ଏହା ରାଜନୀତିକୁ କିଭଳି ପ୍ରଭାବିତ କରିବ, ଏ ନେଇ ରହିଛି ସମସ୍ତଙ୍କ ନଜର ।