ବାତ୍ୟା ରୂପ ନେଲା ‘ଆମ୍ଫାନ’ । ସମୁଦ୍ର ମଝିରେ ବାତ୍ୟାର ରୂପ ନେଲା ଗଭୀର ଅବପାତ । ୧୮ରୁ ଅତି ତୀବ୍ର ସାମୁଦ୍ରିକ ଝଡ଼ର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗର ଆକଳନ

1,135

କନକ ବ୍ୟୁରୋ: ସମୁଦ୍ର ମଝିରେ ବାତ୍ୟାର ରୂପ ନେଇଛି ଗଭୀର ଅବପାତ । ଆଇଏମଡି ବା ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ୨୦ ତାରିଖରେ ସ୍ଥଳ ଭାଗ ଛୁଇଁବ ବାତ୍ୟା ଆମ୍ଫାନ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତୀ ଅଂଚଳରେ ଥିବା ଗଭୀର ଅବପାତର ଏବେ ବାତ୍ୟା ବା ସାମୁଦ୍ରିକ ଝଡ଼ ବା ସାଇକ୍ଲୋନିକ୍ ଷ୍ଟ୍ରର୍ମର ରୂପ ନେଇଛି । ଏହା ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ ୧୦୪୦ କିଲୋମିଟର ଦୂରରେ ରହିଛି । ଶେଷ ୬ ଘଂଟାରେ ଏହା ଘଂଟା ପ୍ରତି ୫ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆଜି ଗଭୀର ଅବପାତ ଆହୁରି ଘନିଭୂତ ହେବ । ୧୨ ଘଂଟା ପରେ ତୀବ୍ର ସାମୁଦ୍ରିକ ଝଡ଼ ବା ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରମରେ ଏହା ପରିଣତ ହେବ ।

ତେବେ ୧୮ ତାରିଖ ସକାଳ ବେଳା ଏହା ଆହୁରି ଶକ୍ତି ସଂଗ୍ରହ କରି ଅତି ତୀବ୍ର ସାମୁଦ୍ରିକ ଝଡ଼ ବା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରମରେ ପରିଣତ ହେବାର ସମ୍ଭାବନା ରହିଛି । ଆଇଏମଡିର ଆକଳନ ଅନୁସାରେ ଆସନ୍ତା ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ସ୍ଥଳ ଭାଗରେ ମାଡ ହେବ ବାତ୍ୟା ଅମ୍ଫାନ । ବର୍ତମାନର ଆକଳନ ଅନୁସାରେ ପଶ୍ଚିମବଙ୍ଗରେ ଲ୍ୟାଣ୍ଡପଲ୍ ହେବ ବାତ୍ୟା ।

ସେପଟେ ଓଡ଼ିଶାରେ ଏହାର ପ୍ରଭାବ ପଡିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଉପକୂଳ ଓ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଛି । ଓଡ଼ିଶାରେ ୧୮ ତାରିଖରୁ ବାତ୍ୟା ପ୍ରଭାବରେ ବର୍ଷା ଆରମ୍ଭ ହେବ । ତେବେ କାଲି ସଂଧ୍ୟା ପରେ ବାତ୍ୟା କେଉଁ ଆଡକୁ ଯିବ, ଓଡ଼ିଶା ମୁହାଁ ହେବ କି ପଶ୍ଚିମବଙ୍ଗ ମୁହାଁ ହେବ, ଏ ନେଇ ଆହୁରି ସ୍ପଷ୍ଟ ସୂଚନା ମିଳିବ । କାରଣ ଗଭୀର ଅବପାତ ଏବେ ଉତର-ପଶ୍ଚିମ ଦିଗରେ ଗତି କରୁଛି । ଏହାର ରି-କର୍ଭ ବା ଦିଗ ପରିବର୍ତନ ହେବ । ଦିଗ ପରିବର୍ତନ ହେବା ପରେ ବାତ୍ୟା କେଉଁ ଆଡକୁ ଯିବ ଏବଂ କେଉଁଠି ମାଡ ହେବ, ଏ ନେଇ ସଂକେତ ମିଳିବ ।