କନକ ବ୍ୟୁରୋ : ତିତଲି ଓ ପେଥାଇ ପରେ ପାବୁକ ଆସୁଛି । ମାଡି ଆସୁଛି ବାତ୍ୟା ପାବୁକ । ଆଣ୍ଡାମାନର ପୋର୍ଟବ୍ଲେୟାର ଠାରୁ ପ୍ରାୟ ୧୫୦୦ କିଲୋମିଟର ଦୂରରେ ରହିଛି ପାବୁକ । ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ବାତ୍ୟା ପାବୁକ । ଜାନୁଆରୀ ୫ ଅପରାହ୍ନ ସୁଦ୍ଧା ଏହା ଆଣ୍ଡାମାନ ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ଏହାପରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ପାବୁକ ଆଣ୍ଡାମାନ ଛୁଇଁବ । ଏହାପରେ ୬ ଜାନୁଆରୀରେ ଏହା ଆଣ୍ଡାମାନ ଦେଇ ମିଆଁମାର ଆଡକୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ପାବୁକ ବାତ୍ୟାକୁ ଦୃଷ୍ଟିରେ ରଖି ଓଡିଶାର ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ପାଇଁ ସର୍ତକ ସୂଚନା ଜାରି କରିଛନ୍ତି ଏସଆରସି । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଗଞ୍ଜାମ, ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସର୍ତକ ରହିବାକୁ କୁହାଯାଇଛି । ତେବେ ଓଡିଶାରେ ପାବୁକର ପ୍ରଭାବ କଣ ପଡିବ ତାହା ଜଣାପଡିନଥିଲେ ମଧ୍ୟ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ବାତ୍ୟା ପାବୁକ ଥାଇଲାଣ୍ଡ ଆଡକୁ ମୁହାଁଉଛି ।