ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହେଲା ଲଘୁଚାପ । ଆସନ୍ତାକାଲି ଅବପାତ, ୧୬ ତାରିଖ ସଂଧ୍ୟାରେ ନେଇପାରେ ବାତ୍ୟାର ରୂପ, ପାଣିପାଗ ବିଭାଗର ପୂର୍ବାନୁମାନ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡେ ମୁହାଁଇପାରେ ବାତ୍ୟା ହେଲେ ଦିଗ ବଦଳାଇଲେ ହୋଇପାରେ ଓଡ଼ିଶା ମୁହାଁ

1,597

କନକ ବ୍ୟୁରୋ: ଭାରତୀୟ ଉପଗ୍ରହ ଦ୍ୱାରା ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ନିଆଯାଇଥିବା ଏହି ଚିତ୍ର ପାଣିପାଗ ବିଜ୍ଞାନୀ ମାନଙ୍କୁ ସତର୍କ କରିଦେଇଛି । ଏଠାରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧୀକ ଘନିଭୁତ ହୋଇ ୱେଲମାର୍କଡ୍ ଲୋ ପ୍ରେସର ରେ ପରିଣତ ହୋଇଛି । ଆସନ୍ତା କାଲି ଅର୍ଥାତ ମେ ୧୫ ବେଳକୁ ଏହା ଅବପାତ ର ରୂପ ନେବ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଏହି ଅବପାତ ଆହୁରି ଘନିଭୂତ ହାଇ ୧୬ ତାରିଖ ସଂଧ୍ୟା ବେଳକୁ ସାମୂଦ୍ରିକ ଝଡର ରୂପ ନେବ । ଏହି ସାମୂଦ୍ରିକ ଝଡ ପ୍ରଥମେ ୧୭ ତାରିଖ ଯାଏଁ ଉତର-ପଶ୍ଚିମ ଦିଗରେ ଗତି କରିବ ଏବଂ ପରେ ଉତର-ଉତର -ପୂର୍ବ ଦିଗରେ ଉତର ବଙ୍ଗୋପ ସାଗର ଆଡକୁ ଗତି କରିବ । ମେ ୧୮-୧୯ ତାରିଖ ଯାଏଁ ଏହାର ଗତିପଥ ଉତର ବଙ୍ଗୋପ ସାଗର ଆଡକୁ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଏବେ ପଢ଼ନ୍ତୁ ଏହାର ଗତିପଥକୁ ନେଇ କଣ ଆକଳନ କରାଯାଉଛି । ଭାରତୀୟ ପାଣିପାଗ ବିଭାଗ କହୁଛି ୧୮ -୧୯ ତାରିଖ ବେଳକୁ ଏହା ଉତର ବଙ୍ଗୋପ ସାଗର ଆଡକୁ ଗତି କରିବ । ଅର୍ଥାତ୍ ଓଡିଶା ମୁହାଁ ନ ହୋଇ ଏହି ବାତ୍ୟା ପଶ୍ଚିମବଙ୍ଗ ବାଙ୍ଗଲାଦେଶ ଆଡକୁ ଗତି କରିବ । ଯଦି ଏହି ଆକଳନ ଠିକ ହୁଏ ତେବେ ଓଡିଶାରେ ବର୍ଷା ହେବ ଏବଂ ପବନ ବି ବହିବ କିନ୍ତୁ ବାତ୍ୟାର ସିଧା ଆଶଙ୍କା ରହିବ ନାହିଁ । କିନ୍ତୁ ଯଦି ୧୭ ତାରିଖ ବେଳକୁ ଏହା ଉତର-ଉତର-ପୂର୍ବ ଦିଗରେ ଗତି ନ କରି ଉତର-ଉତର-ପଶ୍ଚିମ ଆଡକୁ ଗତି କରେ ତେବେ ବାତ୍ୟା ଓଡିଶା ମୁହାଁ ମଧ୍ୟ ହୋଇପାରେ । ଆଇଏମଡି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏହା ସାମୂଦ୍ରିକ ଝଡ ବା ବାତ୍ୟାର ରୂପ ନେବା ପରେ ଏହାର ଗତିପଥକୁ ନେଇ ଅଧିକ ଆକଳନ କରାଯାଇପାରିବ ।

ଏହି ବାତ୍ୟା କେଉଁଠି ଉପକୂଳ ଅତିକ୍ରମ କରିବ ବା ଲ୍ୟାଣ୍ଡଫଲ କରିବ ତାହା ବର୍ତମାନ ଆକଳନ କରାଯାଇନାହିଁ । କିନ୍ତୁ ଏହାର ପ୍ରଭାବକୁ ପାଣିପାଗ ବିଭାଗ ମାନେ ଆକଳନ କରିପାରୁଛନ୍ତି । ୧୮ତାରିଖରୁ ଉପକୂଳ ଜିଲ୍ଲା ଗଜପତି,ଗଂଜାମ, ପୁରି , ଜଗତସିଂପୁର,କେନ୍ଦ୍ରାପଡ଼ା ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ୧୯ ତାରିଖରେ ବର୍ଷାର ପରିମାଣ ବଢିପାରେ । ଦକ୍ଷିଣ ଉପକୂଳ ଜିଲ୍ଲା ମାନଙ୍କରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ଏବଂ ୬୦ କିଲୋମିଟର ପ୍ରତି ଘଂଟା ବେଗକୁ ମଧ୍ୟ ପବନର ଗତି ଛୁଇଁ ପାରେ । ଓଡିଶା ଉପକୂଳରେ ୧୮ ତାରିଖରୁ ସତର୍କ ରହିବା ପାଇଁ କୁହାଯାଇଛି । ମତ୍ସ୍ୟଜିବି ମାନେ କୌଣସି ପରିସ୍ଥିତିରେ ୧୮ ତାରିଖ ପୂର୍ବରୁ ସମୂଦ୍ରରୁ ବାହାରି ଆସିବା ପାଇଁ ପରାମର୍ଶ ଦିଆଯାଇଛି ।