ଆଗାମୀ ଦିନକୁ ନେଇ କି ସୂଚନା ଦେଇଗଲା ଗୋଲାପୀ ଆକାଶ? କୌଣସି ଅଶୁଭ ସଂକେତକୁ ଇଙ୍ଗିତ କରୁନାହିଁ ତ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

1,933

କନକ ବ୍ୟୁରୋ: ଗୋଟିଏ ପଟେ ବାତ୍ୟା ବୁଲବୁଲକୁ ନେଇ ଓଡ଼ିଶାବାସୀ ଆଶଙ୍କାରେ ଥିବା ବେଳେ ଅନ୍ୟ ପଟେ ବୁଲବୁଲ୍ ପରେ ପରେ ଆକାଶରେ ଦିଶିଥିଲା ଏକ କମନୀୟ ଦୃଶ୍ୟ। ଦିନେ ନୁହେଁ, ୮ ଓ ୯ ତାରିଖ ଦୁଇ ଦିନ ଧରି ଓଡ଼ିଶାର ଆକାଶ ହୋଇଯାଇଥିଲା ପୂରା ରଂଗୀନ ଆଉ ଗୋଲାପୀ ଗୋଲାପୀ ଦିଶିଥିଲା ଓଡ଼ିଶା ଆକାଶ । ତେବେ ଏହା କେବଳ କୌଣସି ନିଦ୍ଦିର୍ଷ୍ଟ ଅଞ୍ଚଳରେ ନୁହେଁ, ଭୁବନେଶ୍ବରରୁ ନେଇ, କଟକ, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ପୁରୀ ଆଦି ଆକାଶରେ ସେତେ ଯେପରି କିଏ ରଂଗ ବୁଣି ଦେଇଥିଲା।

କିନ୍ତୁ ଏହି ଗୋଲାପୀ ରଂଗ ଦେଖିବାକୁ ଯେତେ ବି ସୁନ୍ଦର ହେଉ ନା କାହିଁକି ଏହାର କମନୀୟ ଦୃଶ୍ୟକୁ ଉପଭୋଗ କରିବା ବେଳେ ରାଜ୍ୟବାସୀଙ୍କ ମନରେ ସାମାନ୍ୟ ଭୟ ଉପୁଜିବା ସ୍ବାଭାବିକ ? କାରଣ କଥାରେ ଅଛି ଯେ ଝଡ଼ ପୂର୍ବରୁ ଆକାଶ ନାଲି କିମ୍ବା ନାରଙ୍ଗୀ ଦିଶେ। ହେଲେ ଗୋଲାପୀ ରଂଗର ଆକାଶ କି ସୂଚନା ଦେଉଛି ବୋଲି ଚିନ୍ତା କରି ବିବ୍ରତ ହୋଇ ଉଠିଥିଲେ ରାଜ୍ୟବାସୀ।

ମାତ୍ର ସମସ୍ତ ଦ୍ବନ୍ଦ୍ବର ଅନ୍ତଃ ଘଟାଇଛନ୍ତି ବିଶେଷଜ୍ଞଗଣ । ଆକାଶର ରଂଗ ଗୋଲାପୀ ପଡ଼ିବା କୌଣସି ଅଶୁଭ ସଂକେତକୁ ଇଙ୍ଗିତ କରୁନାହିଁ ବୋଲି ନିଜର ମତ ରଖିଛନ୍ତି ବିଶିଷ୍ଟ ପଦାର୍ଥ ବିଜ୍ଞାନୀ। କହିଛନ୍ତି କି, ଅଧିକ ମାତ୍ରାରେ ପବନ ବହିଲେ ବାୟୁମଣ୍ଡଳରେ ଧୂଳିକଣା ଓ ଅଙ୍ଗାରକାମ୍ଳ ଅଧିକ ପରିମାଣ ରହିଥାଏ। ଅଣୁ, ପରମାଣୁ ଓ ଜଳୀୟ ବାଷ୍ପର ସମଷ୍ଟି ଉପରେ ସୂର୍ଯ୍ୟକିରଣ ବିଚ୍ଛୁରିତ ହୋଇ ପଡ଼ିବା ପରେ ଆକାଶ ରଂଗୀନ ଦିଶିଥିଲା। ସୂର୍ଯ୍ୟ କିରଣର ସାତ ରଂଗ ଭିତରୁ ନାଲି ରଂଗର ରଶ୍ମୀ ପୃଥିବୀ ପୃଷ୍ଟରେ ପ୍ରତିଫଳିତ ହୋଇଥାଏ। ସେଥିପାଇଁ ସୂର୍ଯ୍ୟଦୋୟ କିମ୍ବା ସୂର୍ଯ୍ୟାସ୍ତ ବେଳେ ଆକାଶ ନାଲିଆ ଦିଶିଥାଏ। ମାତ୍ର ଅତ୍ୟଧିକ ପରିମାଣର ଧୂଳିକଣା ହେତୁ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। କେବଳ ପଶ୍ଚିମ ଆକାଶରେ ହିଁ ଏହି ଦୃଶ୍ୟ ଦୃଶ୍ୟମାନ ହୋଇଥିଲା।

ବିଶେଷଜ୍ଞ ଆହୁରି ବି କହିଛନ୍ତି ଯେ ପୂର୍ବରୁ ମଧ୍ୟ ଅନେକ ଥର ପବନ ବହିଛି ମାତ୍ର ଏପରି ଦୃଶ୍ୟ ଦେଖିବାକୁ ମିଳିନାହିଁ। ଇନ୍ଦ୍ରଧନୁ ଯେପରି ସବୁବେଳେ ଦିଶେନାହିଁ, ଏପରି ଦୃଶ୍ୟ ମଧ୍ୟ ସବୁ ପବନ ପରେ ଦିଶିବ ବୋଲି ତାହାର କିଛି ମାନେ ନାହିଁ। ବାୟୁମଣ୍ଡଳର ଆଦ୍ରତା ଓ ଧୂଳିକଣିକା ଏପରି ଦୃଶ୍ୟରର ମୁଖ୍ୟ କାରଣ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ଦୃଶ୍ୟ ପାଇଁ ବାୟୁ ପ୍ରଦୂଷଣ ବି କିଛି ମାତ୍ରାରେ ଦାୟୀ। ନିକଟରେ ଦୀପାବଳୀ ଯାଇଥିବା ସହ ମାତ୍ର କିଛି ଦିନ ଦୂରତାରେ ବୁଲବୁଲର ଆଗମନ ଏହାର ଏକ କାରଣ ହୋଇପାରେ। ତେଣୁ ଦୁଇ ଦିନ ଧରି ଆକାଶରେ ଯେଉଁ ଗୋଲାପୀ ରଂଗ ଦେଖାଯାଇଥିଲା ତାହା ଆଗାମୀ ଦିନ ପାଇଁ କୌଣସି ଅଶୁଭ ସଂକେତ ଦେଉନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।