ଓଡ଼ିଶା ପାଇଁ ୫୦୦ କୋଟିର ସହାୟତା ଘୋଷଣା କଲେ ମୋଦି । ମୃତକଙ୍କୁ ୨ ଲକ୍ଷ ଓ ଆହତଙ୍କୁ ମିଳିବ ୫୦ ହଜାର ଟଙ୍କାର ସହାୟତା ରାଶି । ବାତ୍ୟା ସମୀକ୍ଷା ପରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା

500

କନକ ବ୍ୟୁରୋ: ଓଡିଶା ପାଇଁ ବଡ ଘୋଷଣା । ବାତ୍ୟା କ୍ଷୟକ୍ଷତି ନେଇ ବଡ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ଆକାଶମାର୍ଗରୁ ଅମ୍ଫାନର କ୍ଷୟକ୍ଷତି ଦେଖି ଓଡିଶା ପାଇଁ ପାଞ୍ଚ ଶହ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୋଦି । ପ୍ରଭାବିତ ଅଞ୍ଚଳରେ ଶୀଘ୍ର ପୁନରୁଦ୍ଧାର କାମ ପାଇଁ ୫୦୦ କୋଟିର ସହାୟତା ଦେଇଛନ୍ତି ମୋଦି ।

ତେବେ ବାତ୍ୟା ବେଳେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରବର୍ଗଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଥିବା ବେଳେ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ଅମ୍ଫାନ ପାଇଁ ପ୍ରଭାବିତ ହୋଇଥିବା ଦେଶର ୨ ରାଜ୍ୟ ଓଡିଶା ପଶ୍ଚିମବଙ୍ଗର କ୍ଷୟକ୍ଷତି ସମୀକ୍ଷା କରିଛନ୍ତି ମୋଦି । ଅଧିକ ପ୍ରଭାବିତ ହୋଇଥିବା ପଶ୍ଚିମବଙ୍ଗ ପାଇଁ ୧ ହଜାର କୋଟି ଟଙ୍କାର ସହାୟତା ଦେଇଥିବା ବେଳେ କମ କ୍ଷତି ହୋଇଥିବା ଓଡିଶା ପାଇଁ ୫୦୦ କୋଟିର ପ୍ୟାକେଜ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

 

ତେବେ ଅମ୍ଫାନ କ୍ଷୟକ୍ଷତି ନେଇ ଆକାଶମାର୍ଗରୁ ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କ ସହ ସମୀକ୍ଷା ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ବିମାନବନ୍ଦର ସମ୍ମେଳନ କକ୍ଷରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ୨ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରି ଓଡିଶାକୁ ୫୦୦ କୋଟିର ସହାୟତା ଘୋଷଣା କରିଛନ୍ତି ।

ସେପଟେ ବାତ୍ୟା କ୍ଷୟକ୍ଷତି ନେଇ ରାଜ୍ୟ ସରକାର ଶୀଘ୍ର ରିପୋର୍ଟ ଦେଇଛନ୍ତି । କେନ୍ଦ୍ରୀୟ ଟିମ୍ ମଧ୍ୟ ଆସି ସ୍ଥିତିର ଅନୁଧ୍ୟାନ କରିବ । ଅମ୍ଫାନ ପଶ୍ଚିମବଙ୍ଗ ଯିବା ବେଳେ ଓଡିଶାରେ କିଛି ମାତ୍ରରେ କ୍ଷୟକ୍ଷତି କରିଛି । ପଶ୍ଚିମବଙ୍ଗ ଭଳି ଓଡିଶାରେ ଏତେ ନଷ୍ଟ ହୋଇ ନଥିଲେ ବି କୃଷି, ବିଦ୍ୟୁତ୍, ଯୋଗାଯୋଗ, ନିର୍ମାଣ କିଛି ମାତ୍ରାରେ ପ୍ରଭାବିତ ହୋଇଛି । ତେଣୁ ଏସବୁର ତୁରନ୍ତ ମରାମତି ପାଇଁ ଓଡିଶାକୁ ଆଗୁଆ ୫୦୦ କୋଟି ଟଙ୍କାର ପ୍ୟାକେଜ ଦିଆଗଲା ବୋଲି ମୋଦି ଘୋଷଣା କରିଛନ୍ତି ।

ତେବେ ମହାମାରୀ ବେଳେ ମହାବାତ୍ୟାର ମୁକାବିଲ କରିଥିବାରୁ ନବୀନଙ୍କୁ ପ୍ରଶଂସା କରିଛନ୍ତି ମୋଦି । ବାତ୍ୟା ନେଇ ପ୍ରତିଟି ଖବର, ପ୍ରତିଟି ପ୍ରସ୍ତୁତି କରି ବ୍ୟବସ୍ଥିତ ଭାବେ ଲୋକଙ୍କ ଜୀବନ ବଞ୍ଚାଇ ଥିବାରୁ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଦେବା ସହ ପ୍ରଶାସନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ଓଡିଶାବାସୀଙ୍କୁ ବି ଅଭିନନ୍ଦନ ଦେଇଛନ୍ତି ମୋଦି ।