କଟକ ବଡ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି ସାଲେପୁର ଦୁଷ୍କର୍ମ ପୀଡିତା : ଏସସିବିରେ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ପିସିସି ସଭାପତି, ଏପଟେ ଦୁଷ୍କର୍ମ ପ୍ରସଙ୍ଗରେ କମ୍ପିଲା ବିଧାନସଭା

29

କନକ ବ୍ୟୁରୋ : ରାଜ୍ୟରେ ନାବାଳିକା ଦୁଷ୍କର୍ମ ମାମଲାରେ ଆଜି ଗୃହରେ ଉତ୍ତର ରଖିବେ ରାଜ୍ୟ ସରକାର । ବିରୋଧୀଙ୍କ ହଟ୍ଟଗୋଳ ପରେ ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଆଜି ଗୃହକାର୍ଯ୍ୟ ଶେଷ ହେବା ପୂର୍ବରୁ ରାଜ୍ୟ ସରକାର ଗୃହରେ ଉତ୍ତର ରଖିବେ । ଗତକାଲି ଗୃହରେ ଦୁଷ୍କର୍ମ ପ୍ରସଙ୍ଗରେ ହଙ୍ଗାମା ହୋଇଥିଲା । ସାଲେପୁରରେ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ନେଇ ଗୃହରେ ବିରୋଧୀ ହଟ୍ଟଗୋଳ କରିଥିଲେ ।

ସବୁ ବ୍ୟବସ୍ଥା ସତ୍ୱେ କିଭଳି ଧର୍ଷଣ ହେଉଛି ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କରଥିଲେ । ମୁଖ୍ୟମନ୍ତ୍ରୀ ଏହା ଉପରେ ଉତ୍ତର ରଖିବାକୁ ସେ ଦାବି କରିଥିଲେ । ଏହାର ଜବାବ ରଖିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ଶତପଥୀ । ସେପଟେ ଏବେ ବି ପୀଡିତାଙ୍କ ଅବସ୍ଥା ଗମ୍ଭୀର ରହିଛି । କିନ୍ତୁ ପ୍ରଥମ ଦିନ ଅପେକ୍ଷା ଭଲ ଅଛି ବୋଲି କହିଛନ୍ତି ଏସିସିବି ମେଡିକାଲ ଅଧୀକ୍ଷକ ।

ସେପଟେ ଏସସିବି ଯାଇ ସାଲେପୁର ଦୁଷ୍କର୍ମ ପୀଡିତା ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ପିସିସିର ନବ ନିଯୁକ୍ତ ସଭାପତି ନିରଞ୍ଜନ ପଟ୍ଟନାୟକ । ଗତକାଲି ସନ୍ଧ୍ୟାରେ କାଜୁଆଲଟିରେ ପହଂଚିବା ପରେ କଂଗ୍ରେସ ନେତାଙ୍କ ସହ ଶିଶୁ ବିଭାଗ ଆଇସିୟୁକୁ ଯାଇ ପୀଡିତାଙ୍କ ପରିବାର ଲୋକଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହା ସହିତ ପୀଡିତାଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ମେଡିକାଲ ଅଧୀକ୍ଷକଙ୍କ ସହ ନାବାଳିକାର ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ତେବେ ଘଟଣା ଉପରେ ନଜର ରଖାଯାଇଛି ଓ ସମସ୍ତ ରିପୋର୍ଟ ଆସିବା ପରେ ପୁଲିସ ଓ ସରକାର କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାକୁ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି ନିରଞ୍ଜନ ।

ସୂଚନାଯୋଗ୍ୟ, ସାଲେପୁରରେ ୬ ବର୍ଷର ଶିଶୁକନ୍ୟାକୁ ବାରଣ୍ଡାରୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଅନୁଧ୍ୟାନ କରୁଛନ୍ତି ୧୩ ଜଣିଆ ଡାକ୍ତରୀ ଦଳ ।