ଆସନ୍ତା ୨୩ ତାରିଖରୁ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା । ସୁରୁଖୁରୁରେ ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରଥମ ପ୍ରସ୍ତୁତି ବୈଠକ ।

143

କନକ ବ୍ୟୁରୋ: ଚଳିତବର୍ଷ ଐତିହାସିକ ବାଲିଯାତ୍ରା ଆସନ୍ତା ନଭେମ୍ବର ୨୩ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ । ବାଲିଯାତ୍ରା ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଏକ ପ୍ରସ୍ତୁତି ବୈଠକ ହୋଇଛି । ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ହୋଇଛି ପ୍ରଥମ ପ୍ରସ୍ତୁତି ବୈଠକ ।

baliyatraତେବେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିବା ଐତିହାସିକ ବାଲିଯାତ୍ରା ପ୍ରସ୍ତୁତି ବୈଠକ ପରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି, ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ବାଲିଯାତ୍ରା ଆୟୋଜନ କରାଯିବ । ତେବେ ଚଳିତ ବର୍ଷ ବାଲିଯାତ୍ରା ପଡ଼ିଆରେ ପାଖାପାଖି ୯୮୨ଟି ଷ୍ଟଲ୍ ପଡ଼ିବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଯେହେତୁ ଏହା ପ୍ରଥମ ପ୍ରସ୍ତୁତି ବୈଠକ ତେଣୁ ନୂଆ ଷ୍ଟଲ ପଡ଼ିବା ନେଇ ଆଗାମୀ ବୈଠକରେ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ବାଲିଯାତ୍ରାରେ ଷ୍ଟଲ ଖୋଲୁଥିବା ବ୍ୟବସାୟୀଙ୍କୁ ନଭେମ୍ବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ମଧ୍ୟରେ ଜମି ଆବଣ୍ଟନ କରାଯିବ । ଗତବର୍ଷ ଅସ୍ଥାୟୀ ଭୂମି କର ବାବଦକୁ ବର୍ଗଫୁଟ୍ ପ୍ରତି ୨୪ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ତେବେ ଚଳିତ ବର୍ଷ ଭିତ୍ତିଭୂମି ବିକାଶ ଏବଂ ପରିବେଶ ସୁରକ୍ଷା ପାଇଁ ବର୍ଗଫୁଟ୍ ପିଛା କେତେ ଟଙ୍କା ବୃଦ୍ଧି କରାଯିବ ତାହା ଆଗାମୀ ବୈଠକରେ ନିଷ୍ପତି ନିଆଯିବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଗତବର୍ଷ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରାରେ ଖୋଲିଥିବା ପ୍ରତି ଷ୍ଟଲରେ ଡଷ୍ଟ ବିନ୍ ବ୍ୟବସ୍ଥା, ଅଗ୍ନିନିର୍ବାପକ ବ୍ୟବସ୍ଥା ସହିତ ଓରମାସ୍ ସମେତ ଖୋଲିଥିବା ସମସ୍ତ ଅସ୍ଥାୟୀ ଷ୍ଟଲଗୁଡିକୁ ବୀମାଭୁକ୍ତ କରାଯିବାକୁ ବ୍ୟବସ୍ଥା କରାଯାଇଥିଲା । ଏବଂ ଖାସ୍ କରି ବାଲିଯାତ୍ରାରେ ସମସ୍ତ ଷ୍ଟଲରେ ନାମଫଳକ ଓଡିଆରେ ଲେଖାଯିବାର ବ୍ୟବସ୍ଥା କରାଯାଇଥିଲା । ତେବେ ଚଳିତ ବର୍ଷ ମଧ୍ୟ ଦେଶବିଦେଶରୁ ସାଂସ୍କୃତିକ ଦଳ ବାଲିଯାତ୍ରାରେ ଅଂଶ ଗ୍ରହଣ କରିବେ । ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ବ୍ୟବସ୍ଥା କରାଯିବ ।