ସିଏମସି ନିର୍ବାଚନ ପରାଜୟକୁ ନେଇ ବିଜେଡିରେ କନ୍ଦଳ

28

କଟକ ବ୍ୟୁରୋ ,କନକ ନ୍ୟୁଜ୍ : ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ କଟାକ୍ଷ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଦେବାଶିଷ ସାମନ୍ତରାୟ । ସିଏମସି ୨୧ ନମ୍ବର ୱାର୍ଡ, ବିଜେଡି ହାତରୁ ଚାଲିଗଲା ପରେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ କଟାକ୍ଷ କରିଥିଲେ ଦାମ ବାବୁ । କହିଥିଲେ ବିଜୁ ଓ ନବୀନଙ୍କ ଜନ୍ମମାଟି କଟକରେ ଦଳ ଉପନିର୍ବାଚନ ହାରିବା ତାଙ୍କୁ ଯନ୍ତ୍ରଣା ଦେଇଛି । ସେହିପରି ଦୋଷ ନଥାଇ ମେୟର ଅନୀତା ବେହେରାଙ୍କୁ ପଦରୁ ହଟାଇବା ଦଳ ପାଇଁ କାଳହେଲା ବୋଲି କହିଥିଲେ ଦାମ । ତେବେ ଦାମ ବାବୁଙ୍କ ଏଭଳି ବୟାନକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଦେବାଶିଷ । କହିଛନ୍ତି ଦଳର ଜଣେ ବରିଷ୍ଠ ମନ୍ତ୍ରୀଙ୍କଠାରୁ ଏଭଳି ବୟାନ ଆଶା କରାଯାଏନି । ସେହିପରି ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ୨ଶହ ଭୋଟ ବ୍ୟବଧାନରେ ବିଜୟୀ ହେବା ସମଗ୍ର କଟକ-ବାରବାଟୀର ଜନମତକୁ ପ୍ରଭାବିତ କରିବ ନାହିଁ । ତଥାପି ପରାଜୟର ସମୀକ୍ଷା କରିବେ ବୋଲି ଦେବାଶିଷ କହିଛନ୍ତି ।

ସିଏମସି ୨୧ ନମ୍ବର ୱାର୍ଡ ବିଜେଡି ହାତରୁ ଖସିଗଲା ପରେ ଗତକାଲି ପ୍ରତିକ୍ରିୟା ରଖିଥିଲେ ବରିଷ୍ଠ ନେତା ଦାମୋଦର ରାଉତ । ରାସନ କାର୍ଡ ଦୁର୍ନୀତିରେ ବିଜେଡି ମେୟର ଅନୀତା ବେହାରାଙ୍କ କୌଣସି ଦୋଷ ନଥାଇ ତାଙ୍କୁ ପଦରୁ କାହିଁକି ହଟାଗଲା ବୋଲି ସେ ପ୍ରଶ୍ନ କରିଥିଲେ । ଏଥିସହ ନେତା, ନୈତିକତାର କଥା କହି ପରୋକ୍ଷରେ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କରିଥିଲେ ଦାମ ।