ପ୍ରଭାତ ବିଶ୍ୱାଳ ଲେଖୁଛନ୍ତି ବନ୍ଦୀର ଆତ୍ମକଥା !

93

କନକ ବ୍ୟୁରୋ: ନିକଟରେ ଦିଲ୍ଲୀ ଏମ୍ସ ହସ୍ପିଟାଲରୁ ସୁସ୍ଥ ହୋଇ ଓଡିଶା ଫେରିଥିବା କଟକ-ଚୌଦାର ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ଏଥିପାଇଁ ହେଉଛି ଯେ, ସି-ସୋର ଚିଟ୍ଫଣ୍ଡ ଦୁର୍ନିତୀ ମାମଲାରେ ସର୍ତ୍ତମୂଳକ ଜାମିନରେ ଜେଲରୁ ମୁକୁଳିଥିବା କଟକ-ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଳ ଏବେ ଲେଖୁଛନ୍ତି ଆତ୍ମ ଜୀବନୀ । ଯାହାକୁ ନେଇ ରାଜନୈତିକ ଓ ସାଧାରଣ ମହଲରେ ଏବେ ଚର୍ଚ୍ଚା ଜୋରଧରିଛି ।

‘ସତ୍ୟର ଜୟ’ ଏହି ପୁସ୍ତକର ନାଁ ରଖି ନିଜର ଆତ୍ମ ଜୀବନୀ ଲେଖୁଛନ୍ତି ବୋଲି କହିଛନ୍ତି ବିଧାୟକ ପ୍ରଭାତ ବିଶ୍ୱାଳ । ଏବଂ ଏହି ପୁସ୍ତକକୁ ବର୍ତ୍ତମାନ ଓଡିଆରେ ଲେଖାଯାଉଛି । ଯାହାକି ଆଗାମୀ ଦିନରେ ହିନ୍ଦୀ ଓ ଇଂରାଜୀ ଭାଷାରେ ଅନୁବାଦ ହେବ ବୋଲି କହିଛନ୍ତି ବିଧାୟକ । ନିଜର ରାଜନୀତି କ୍ୟାରିଅର ଠାରୁ ଆରମ୍ଭ କରି ନିକଟରେ ସି-ସୋର ଚିଟ୍-ଫଣ୍ଡ ଜମି ଦୁର୍ନୀତି ମାମଲା ଏବଂ ହସ୍ପିଟାଲ ଗୃହରେ ଅତିବାହିତ କରିଥିବା ଅବସାଦର ମୁହୂର୍ତ୍ତ ବିଷୟରେ ବର୍ଣ୍ଣନା କରି ଲେଖୁଛନ୍ତି ନିଜ ଆତ୍ମ ଜୀବନୀ ।

prabhat biswal

ସର୍ବସାଧାରଣକୁ ଆସିବ ଚିଟ୍-ଫଣ୍ଡ ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡିଥିବା ବିିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆତ୍ମଜୀବନୀ । ଗତ ବର୍ଷ ସେପ୍ଟେମ୍ବର ମାସରେ ଚିଟ୍ ଫଣ୍ଡ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ ବିଧାୟକ ପ୍ରଭାତ ବିଶ୍ୱାଳ । ଗିରଫ ପରେ ପରେ ହଠାତ୍ ପ୍ରଭାତଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲିଗିଲା । ଏହାପରେ ତାଙ୍କୁ ପ୍ରଥମେ ଭୁବନେଶ୍ୱର ଓ ପରେ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ହେଲେ ପ୍ରଭାତଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ତାଙ୍କୁ ଗତ ଜୁଲାଇ ମାସରେ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ଚିକିତ୍ସା କରାଇବା ପାଇଁ ନିଆଯାଇଥିଲା । ଏବେ ନିକଟରେ ଦିଲ୍ଲୀ ଏମ୍ସରୁ ଚିକିତ୍ସିତ ହୋଇ ଫେରିଥିବା ପ୍ରଭାତ ବିଶ୍ୱାଳ କନକ ନ୍ୟୁଜକୁ ବଖାଣିଛନ୍ତି ନିଜର ଅନୁଭୂତି ।

Pravat-Ranjan-Biswal

ବିଧାୟକ ପ୍ରଭାତ ବିଶ୍ୱାଳଙ୍କ କହିବା କଥା ସି-ସୋର ଚିଟଫଣ୍ଡ ଜମି ଦୁର୍ନୀତିରେ ପ୍ରତ୍ୟେକ୍ଷ କି ପରୋକ୍ଷରେ ତାଙ୍କର କୌଣସି ସଂପୃକ୍ତି ନଥାଇ ମଧ୍ୟ ତାଙ୍କ ଉପରେ ଆରୋପ ଲଗାଯାଇଥିଲା । ଯେଉଁଥି ପାଇଁ ମାନ୍ୟବର ହାଇକେର୍ଟ ତାଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହାକୁ ନେଇ ସେ ମାନସିକ ଅବସାଦ ରୋଗରେ ପିଡିତ ହେବାରେ ଲାଗିଲେ । ଏପରିକି ନିଜ ପରିବାରବର୍ଗ କି ସମ୍ବନ୍ଧୀୟଙ୍କୁ ଚିହ୍ନି ପାରିଲେ ନାହିଁ ବିଧାୟକ ପ୍ରଭାତ । ପରିବାର ଠାରୁ ଦୀର୍ଘ ୧୦ ମାସ ପର୍ଯ୍ୟନ୍ତ ଦୁରରେ ଅତିବାହିତ କରିଥିବା ପ୍ରଭାତ ନିଜର ଯନ୍ତ୍ରଣା ଓ ଅନୁଭବକୁ ଏହି ଆତ୍ମ ଜୀବନୀ ପୁସ୍ତକରେ ବର୍ଣ୍ଣିତ କରିଛନ୍ତି ବୋଲି କହିଛନ୍ତି । ଶହେ ଦୋଷୀ ଖସି ଯାଆନ୍ତୁ ହେଲେ ଜଣେ ନିର୍ଦ୍ଦୋଷୀ ଯେମିତି ଦଣ୍ଡ ନ ପାଉ ଉଦ୍ଦେଶ୍ୟରେ ପୁସ୍ତକ ଲେଖୁଛନ୍ତି ବୋଲି କହିଛନ୍ତି ପ୍ରଭାତ । ଏବେ ପ୍ରଭାତଙ୍କ ପୁସ୍ତକକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ବିଧାୟକ ପ୍ରଭାତଙ୍କ ଦମ୍ଭୋକ୍ତି କି ଏହି ପୁସ୍ତକ ରାଜ୍ୟବାସୀ ଓ ଦେଶବାସୀଙ୍କୁ ତାଙ୍କର ନିର୍ଦ୍ଦୋଷତାକୁ ଜଣାଇବ । ରାଜନୀତି ଠାରୁ ଆରମ୍ଭ କରି ଚିଟ୍ ଫଣ୍ଡର ଦୁର୍ନୀତି ବାବଦରେ ନିଜର ଅନୁଭୁତିକୁ ଲେଖୁଛନ୍ତି ପ୍ରଭାତ । ଏବେ ଅପେକ୍ଷା ପ୍ରଭାତଙ୍କ ଆତ୍ମ ଜୀବନୀ କ’ଣ ରହସ୍ୟ ଖୋଲିବ?