ସିଏମସି ଉପନିର୍ବାଚନରେ କଂଗ୍ରେସର କମବ୍ୟାକ୍

19

କଟକ ବ୍ୟୁରୋ ,କନକ ନ୍ୟୁଜ୍ : କଂଗ୍ରେସର କମବ୍ୟାକ୍ । ଉପନିର୍ବାଚନରେ ବିଜେଡିକୁ ଲାଗିଛି ବଡ ଝଟକା । ବିଜେଡି ଭାଇବୋହୂ ଶିଖା ସାମନ୍ତରାୟଙ୍କ ପ୍ରଚାରର ପ୍ରଭାବ ସିଏମସି ୨୧ ନମ୍ବର ୱାର୍ଡ ଉପନିର୍ବାଚନରେ । ଏଠାରେ କଂଗ୍ରେସ ପ୍ରାର୍ଥୀ ଗୌରୀ ଦାସ ୨୧୭ ଭୋଟରେ ବିଜେଡି ପ୍ରାର୍ଥୀ ତୁଳସୀ ବେହେରାଙ୍କୁ ପରାଜିତ କରିଛନ୍ତି । ଗୌରୀଙ୍କୁ ୧୬୦୧ ଭୋଟ ମିଲିଥିବାବେଳେ ବିଜେଡି ପ୍ରାର୍ଥୀ ତୁଳସୀ ବେହେରାଙ୍କୁ ମିଳିଛି ୧୩୮୪ ଭୋଟ । ସେହିପରି ବିଜେପି ପ୍ରାର୍ଥୀ ପଦ୍ମିନୀ ବେହେରା ୯୩୫ଟି ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଛନ୍ତି । କଂଗ୍ରେସ ଏକ ପ୍ରକାର ସତା ହରାଇଥିବାନେଇ ଚର୍ଚ୍ଚା ହେଉଥିବାବେଳେ ଉପନିର୍ବାଚନରେ ବିଜୟ ଦଳ ପାଇଁ ସଂଜିବନୀ ହୋଇଛି । ବିଶେଷ କରି ସିଏମସିର ୨୧ ନମ୍ବର ୱାର୍ଡ ବେଶ ଚର୍ଚ୍ଚାରେ ଥିଲା । କାରଣ ଏଠାରେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଭାଇବୋହୁ ତାଙ୍କ ବିରୋଧରେ ବିଦ୍ରୋହ କରି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଚଳାଇଥିଲେ । ଏହି ଆସନରୁ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ପରେ ଖୁସି ବ୍ୟକ୍ତ କରିଛନ୍ତି ଶିଖା ସାମନ୍ତରାୟ । କହିଛନ୍ତି ମୋତେ ନ୍ୟାୟ ମିଳିଛି କି ନାହିଁ ତାହା ଲୋକ ବିଚାର କରିବେ ।

ସେପଟେ ଗଞ୍ଜାମ ଜିଲ୍ଲା ବୁଗୁଡା ଏନଏସିର ୯ ନମ୍ବର ୱାର୍ଡରେ ବିଜୟୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ଡି. ନାଗଭୂଷଣ ଆଚାରୀ । ୧୬୬ ଭୋଟରେ ସେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ କୃତିବାସ ସ୍ୱାଇଙ୍କ ଠାରୁ ବିଜୟୀ ହୋଇଛନ୍ତି ।

କଂଗ୍ରେସର ବିଜୟୀ ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ଏହା ଭ୍ରଷ୍ଟାଚାର ବିରୋଧରେ ଲୋକମତ । ବିଜେଡିକୁ ପ୍ରତ୍ୟାଖ୍ୟାନ କରିବାକୁ ଲୋକେ ଆରମ୍ଭ କରିଲେଣି ବୋଲି ସେ କହିଛନ୍ତି ।

ତିନିଟି ୱାର୍ଡ ଉପନିର୍ବାଚନରୁ ଦୁଇଟିରେ ବିଜୟୀ ହେବା ପରେ ଉତଫୁଲିତ ହୋଇପଡିଛି କଂଗ୍ରେସ । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଦଳର ମୁଖପାତ୍ର ସମୀର ଦାସ କହିଛନ୍ତି, ଦଳ ପ୍ରତ୍ୟେକଟି ନିର୍ବାଚନକୁ ଗୁରୁତ୍ୱ ଦିଏ । କାହିଁକି ସିଏମସି ଓ ବୁଗୁଡାରେ ଦୁଇଟି ୱାର୍ଡରେ ବିଜେଡି ପ୍ରାର୍ଥୀ ହାରିଲେ ସେନେଇ ସ୍ଥାନୀୟ ନେତା ସମୀକ୍ଷା କରିବେ ଓ ପରବର୍ତି ସମୟରେ ଦଳ ତାର ଭୁଲ ସୁଧାରିବ ।