ଦେଶରେ ପ୍ରଥମ ! ଅଜଗରର ହେଲା ସିଟି ସ୍କାନ । ଆହତ ଅବସ୍ଥାରେ ଉଦ୍ଧାର ହୋଇ ଚିକିତ୍ସାଧୀନ ଅଜଗର

107

କନକ ବ୍ୟୁରୋ : ସିଟି ସ୍କାନ ଟେବୁଲରେ ଅଜଗର । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ । ଆଉ ଏଭଳି ନିଆରା ଦୃଶ୍ୟ ଅନ୍ୟ କେଉଁଠି ନୁହେଁ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ଭୁବନେଶ୍ୱରର ଏକ ଘରୋଇ କ୍ଲିନିକରେ ଅଜଗରର ସିଟି ସ୍କାନ କରାଯାଇଛି । ୮ ଫୁଟ ଲମ୍ବ, ସାଢେ ୫ କିଲୋଗ୍ରାମ ଅଜଗରର ସ୍ୱାସ୍ଥ୍ୟବସ୍ଥା ବାବଦରେ ଅଧିକ ଜାଣିବା ପାଇଁ ତାର ସିଟି ସ୍କାନ କରାଯାଇଛି । ଅଜଗରର ହେଇଥିବା ସିଟିସ୍କାନ ଭାରତରେ ପ୍ରଥମ ଘଟଣା ବୋଲି ଜଣାପଡିଛି ।

ଦୁଇ ଦିନ ପୂର୍ବେ ଆନନ୍ଦପୁର ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲା ଅଜଗର । ସାପଟିର ମୁଣ୍ଡରେ ଆଘାତ ଲାଗିଥିବା ଯୋଗୁଁ ଦୁଇଟି ହାଡ ଭାଙ୍ଗି ଯାଇଥିଲା । ପ୍ରଥମ ପର୍ୟ୍ୟାୟରେ ଅଜଗର ସାପଟିର ମାନୁଆଲ ଏକ୍ସରେ କରାଯାଇଥିଲା । ତେବେ ଏହି ଏକ୍ସରେ ବିଶେଷ କିଛି ଜଣାପଡିନଥିଲା । ପରେ ପୁର୍ନବାର ଡିଜିଟାଲ ଏକ୍ସ୍ସରେ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ଡିଜିଟାଲ ଏକ୍ସରେ ଅଜଗର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଥିଲା । ଏହାସହ ମୁଣ୍ଡର ଦୁଇଟି ହାଡ ଭାଙ୍ଗିଯାଇଥିବା ଜଣାପଡିଥିଲା । ପରେ ସିଟିସ୍କାନ କରାଯାଇ ସାପଟିର ଅଧିକ ଚିକିତ୍ସା କରାଯିବ ବୋଲି ଡାକ୍ତର କହିଛନ୍ତି ।