ଗାଁ ଭିତରେ କୁମ୍ଭୀର ଭୟ । ରାଜକନିକା ନଦୀକୁଳିଆ ଗାଁରେ ଲୋକେ ଆତଙ୍କିତ

49

କନକ ବ୍ୟୁରୋ : ବୈତରଣୀରେ ବନ୍ୟା ଆସିବା ପରେ ରାଜକନିକା ଅଂଚଳର ଲୋକଙ୍କୁ ଘାରିଛି କୁମ୍ଭୀର ଭୟ । ନଦୀ ପାଣି ଆସି ପୋଖରୀ ସହ ମିଶିଯିବା ଯୋଗୁ କୁମ୍ଭୀରମାନେ ଉଠିଆସିଛନ୍ତି । ଫଳରେ ଗାଁ ଦାଣ୍ଡରେ ବନ୍ୟା ପାଣିରେ କୁମ୍ଭୀର ମୁଣ୍ଡ ଟେକୁଛି ତ ଆଉ କେତେବେଳେ ବିଷଧର ସାପ ପହଁରୁଛନ୍ତି । ଏହା ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି । ବୈତରଣିରେ ବନ୍ୟା ଜଳ ଆସି ରାଜକନିକା ଓ ଆଳି ବ୍ଲକର ୧୮ ଟି ପଂଚାୟତର ଲୋକ ଜଳବନ୍ଦୀ ହୋଇଛନ୍ତି । ରାଜକନିକା ବ୍ଲକର ୮ଟି ପଞ୍ଚାୟତ ପାଣି ଘେରରେ ରହିଥିବା ବେଳେ ଆଳି ବ୍ଲକରେ ଧୋୟା ଅଞ୍ଚଳର ୧୦ଟି ପଞ୍ଚାୟତ ପାଣି ଘେରରେ ରହିଛି ।

 

ହଜାର ହଜାର ହେକ୍ଟର ଚାଷଜମିରେ ମାଡି ରହିଛି ବନ୍ୟାଜଳ । ରାଜକନିକା ବ୍ଲକର ବାରାଦୁମଣ୍ଡ ପଞ୍ଚାୟତ ,ପ୍ରଧନପଡା ,ଚରପଡା ,ପଣସଗଣ୍ଡ ପଞ୍ଚୟତ ବିଷେଷ ଭାବରେ ପ୍ରଭାବିତ ହୋଇଛି । ଏହି ୫ଟି ପଞ୍ଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇ ରହିଛି । ଗାଁ ଭିତରେ ଅଂଟାଏ ଉଚ୍ଚର ପାଣି ଚାଳିଛି । ତିନିଦିନ ହେଲାଣି ଲୋକେ ଠିକ ଭାବରେ ଖାଇନାହଁନ୍ତି । ପିଇବା ପାଇଁ ପାଣି ନାହିଁ । ଗତକାଲି ଜିଲ୍ଲାପାଳ ବନ୍ୟାଂଚଳ ବୁଲି ଦେଖିବା ସହ ଲୋକଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି । କାନପୁର ରାସ୍ତାରେ ଦୁଇଟି ୨୫ ଫୁଟର ଘାଇ ହୋଇସାରିଛି । ଘାଇ ଦେଇ ପାଣି ଆସିଲେ ଅଧିକ ହେବ ବୋଲି ଲୋକମାନେ ଅତଙ୍କିତ ଅଛନ୍ତି ।