ଜାଲିଆତି ଗୋଲଡେନ୍ ବାବାର ଫିଟୁଛି ଗୁମର ! ଡିଲ୍ ପାଇଁ ଏକ ସଂସ୍ଥାକୁ ଦେଇଥିଲେ ୧୧୦ କୋଟିର ଚେକ୍, ହେଲେ ଆକାଉଂଟରେ ନଥିଲା ଟଙ୍କା ।

209

କନକ ବ୍ୟୁରୋ : ଗୋଲଡେନ ବାବାର ୧୧୦ କୋଟି କେଳେଙ୍କାରିକୁ ନେଇ ଏବେ ଜୋର ଧରିଛି ବିବାଦ । କାହିଁକି ଏନଏସ୍ ଇନଫ୍ରାଷ୍ଟ୍ରକଚର କମ୍ପାନିକୁ ୧୧୦ କୋଟି ଟଙ୍କାର ଚେକ ଦେବାକୁ ଚାହଁଥିଲା ବାବା । ଚେକ୍ ବାଉନସ ହେବା ପରେ ତାରିଖ ବଦଳାଇ ପୁଣି ୧୨କୋଟି ଲୁଟ କରିବା ପଛର ଉଦ୍ଦେଶ୍ୟ କଣ ଥିଲା । ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ପୋଲିସ ଗୋଲଡେନ୍ ବାବାକୁ ରିମାଣ୍ଡରେ ନେବ ।

ଗୋଲଡେନ ବାବାର ୧୧୦କୋଟିର ଚେକ୍ । ଏନଏସ ଇନଫ୍ରାଷ୍ଟ୍ରକଚର କମ୍ପାନିକୁ ୧୧୦କୋଟିର ଚେକ ଦେଇ ଭୂଆଁ ବୁଲାଇଥିଲା ଏହି ୪୨୦ ଗୋଲଡେନ ବାବା । କମ୍ପାନିକୁ ପ୍ରଥମେ ୧୧୦କୋଟିର ଆର୍ଥିକ ସହାୟତା ଦେବା ପାଇଁ ପ୍ରତିଶ୍ରୁତି, ଆଉ ତା ପରେ ୧୧୦କୋଟିର ଚେକ ବି ହାତକାଟି ଲେଖି ଦେଇଥିଲା ଗୋଲଡେନ ବାବା ।

ବିଶ୍ୱାସ ଜନ୍ମାଇବା ପରେ ଷଡଯନ୍ତ୍ରର ଏପରି ଜାଲ ବୁଣିଥିଲା ଯେ ସେହି କମ୍ପାନିଠାରୁ ୧୧୦କୋଟିର ପୋଷ୍ଟଡେଟେଡ ଚେକ ମଧ୍ୟ ଆଣିଥିଲା । ହେଲେ ଟଙ୍କା ଦେବା ତ ଦୂରର କଥା ବାଉନସ  ହୋଇଯାଇଥିଲା ଗୋଲଡେନ ବାବାର ଚେକ । ଏପଟେ ଦେଇଥିବା ଚେକ ବାଉନ୍ସ ସେପଟେ ପୋଷ୍ଟଡେଟେଡ ଚେକର ତାରିଖ ବଦଳାଇ ୧୨କୋଟି ହଡପ କରିବାକୁ ବି ଥିଲା ଉଦ୍ୟମ । ହେଲେ ବ୍ୟାଙ୍କ କର୍ତୃପକ୍ଷ ଓ କମିଶନରେଟ ପୋଲିସର ତନାଘନା ପରେ ଗିରଫ ହୋଇଥିଲା ଗୋଲଡେନ ବାବା ।

ଗୋଲଡେନ ବାବା ଖୋଲିବ ୧୧୦କୋଟିର ଗୁମର । କମ୍ପାନିକୁ ୧୧୦ କୋଟି ଦେବା ପାଇଁ କାହିଁକି ଡିଲ କରିଥିଲା ଗୋଲଡେନ ବାବା ? କେଉଁଠୁ ଆସିଥାନ୍ତା ୧୧୦ କୋଟି । ୧୧୦ କୋଟି ଦେବା ପଛର କଣ ଥିଲା ଉଦ୍ଦେଶ୍ୟ ? ୧୧୦ କୋଟିର ଲୋଭ ଦେଖାଇ ୧୨କୋଟି ଲୁଟିବାକୁ ଚେଷ୍ଟା କରୁଥିଲା ଗୋଲଡେନ ବାବା । ଏସବୁ ଅଛିଣ୍ଡା ପ୍ରଶ୍ନର ଉତ୍ତର ପାଇଁ ଗୋଲଡେନ ବାବାକୁ ରିମାଣ୍ଡରେ ଆଣିବ ପୋଲିସ । କେତେ ଲମ୍ବା ଥିଲା ଗୋଲଡେନ ବାବାର ହାତ ? କେମିତି ଜ୍ୟୋତି ରଂଜନ ବେଉରା ରାତାରାତି ବନିଗଲା ଗୋଲଡେନ ବାବା ? ପଛରେ ଅପରାଧୀଙ୍କ ହାତ ଥିଲା ନା ପଲିଟିକାଲ ଲିଙ୍କ ? ଏସବୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।