ଆର୍ମି ପରୀକ୍ଷା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କ ଗଣ୍ଡଗୋଳ ପରେ ପୁଲିସ କମିସନରଙ୍କ ପ୍ରତିକ୍ରିୟା । ଆଗକୁ ଭୁବନେଶ୍ୱରରେ ଏଭଳି ପରୀକ୍ଷା ନକରିବାକୁ ୧୨୦ ବାଟାଲିୟନ ମୁଖ୍ୟଙ୍କୁ ଲେଖିଲେ ଚିଠି

୮୪ଟି ପଦବୀ ପାଇଁ ଆସିଛନ୍ତି ୪୦ ହଜାର ଆଶାୟୀ

1,157

କନକ ବ୍ୟୁରୋ: ଓଡିଶାରେ ସେନା ପରୀକ୍ଷାକୁ ପୋଲିସର ନା । ସେନାରେ ଭର୍ତ୍ତି ହେବା ରାଜଧାନୀରେ ରାଜ୍ୟ ବାହାରର ଛାତ୍ର ପରୀକ୍ଷା ଦେବାକୁ ଆସି ଗଣ୍ଡଗୋଳ କରିବା ପରେ ପୋଲିସ କମିଶନର ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଆଗକୁ ଏଭଲି ପରୀକ୍ଷା ଓଡିଶାରେ ନକରିବାକୁ ପୋଲିସ କମିଶନର ୧୨୦ ବାଟାଲିୟନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଏଭଳି ପରୀକ୍ଷା ନ କରିବାକୁ ଲିଖିତ ଭାବେ ଜଣାଇ ଦିଆଯାଇଛି । ଏଥିସହ ରାଜ୍ୟ ସରକାରଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି ।

ସେନାରେ ସାମିଲ ହେବା ପାଇଁ ବାହାରିଥିବା ୮୪ଟି ପଦବୀରେ ପରୀକ୍ଷା ଦେବାକୁ ପ୍ରାୟ ୪୦ ହଜାର ପରୀକ୍ଷାର୍ଥୀ ରାଜ୍ୟ ଏବଂ ରାଜ୍ୟ ବାହାରୁ ଭୁବନେଶ୍ୱର ଆସିଛନ୍ତି । କମିଶନର ଆହୁରି କହିଛନ୍ତି ପରୀକ୍ଷାରେ ଫେଲ ହେଉଥିବା ଛାତ୍ରମାନେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଗତକାଲି ଭୁବନେଶ୍ୱର ରେଳ ଷ୍ଟସନରେ ପୁରୁଷୋତମ ଏକ୍ସପ୍ରେସରେ ଯାତ୍ରୀମାନଙ୍କୁ ହଇରାଣ କରିବା, ଲଗେଜ ଭଙ୍ଗାରୁଜା କରିବା ଏବଂ ଆଇଜି ପାର୍କରେ ଯୁବତୀଙ୍କୁ କମେଂଟ ମାରି ୩ଜଣ ଗିରଫ ହୋଇଛନ୍ତି । ପରୀକ୍ଷା ଦେବାକୁ ଆସିବା ଦିନଠାରୁ ହିଁ ଏହି ଛାତ୍ରମାନେ ବିଶୃଙ୍ଖଳା ସୃଷ୍ଟି କରିଚାଲିଛନ୍ତି ବୋଲି କହିଛନ୍ତି କମିଶନର । ତେଣୁ ଆଗକୁ ଏପରି ପରୀକ୍ଷା ରାଜଧାନୀରେ ନକରିବାକୁ କମିଶନର କହିଛନ୍ତି ।