ସ୍ନାନପୂର୍ଣ୍ଣିମା ପୂର୍ବରୁ ହେବ ସେବାୟତଙ୍କ କରୋନା ଟେଷ୍ଟ: ଉନ୍ନୟନ କମିସନଙ୍କ ସୂଚନା, ୫ ତାରିଖ ପୂର୍ବରୁ ଆସିବ ସେବାରେ ନିୟୋଜିତ ସମସ୍ତ ସେବାୟତଙ୍କ ନମୂନା ପରୀକ୍ଷା ରିପୋର୍ଟ

ସେପଟେ ନୀତି ସମୟରେ କିଭଳି ସାମାଜିକ ଦୂରତା ରଖିବେ ସେବାୟତଙ୍କୁ ଦିଅଗଲା ତାଲିମ୍

154

କନକ ବ୍ୟୁରୋ: ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ହେବାକୁ ଥିବା ସବୁ ସେବାୟତଙ୍କର କରୋନା ପରୀକ୍ଷା କରାଯିବ । ସ୍ନାନ ପୂର୍ଣ୍ଣିମା ଆଗରୁ ଗରାବଡୁ ସେବାୟତଙ୍କର କରୋନା ଟେଷ୍ଟ ହେବ । ଆସନ୍ତା ୨୯ ଓ ୩୦ ତାରିଖରେ ସବୁ ଗରାବଡୁ ସେବାୟକଙ୍କ କରୋନା ପରୀକ୍ଷା କରାଯିବ । ଶ୍ରୀଜିଉଙ୍କ ସେବାରେ ଲାଗୁଥିବା ମୋଟ ୧୭୨ ଜଣଙ୍କର ନମୁନା ସଂଗ୍ରହ କରାଯିବ । ଏବଂ ୩ ତାରିଖ ସୁଧା ରିପୋର୍ଟ ଆସିବା ଲକ୍ଷ୍ୟ ରଖାଯାଇଥିବା ବେଳେ ୫ ତାରିଖରେ ସ୍ନାନ ପୂର୍ଣ୍ଣିମା ଆଗରୁ ସବୁ ସେବାୟତଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିବ ବୋଲି କହିଛନ୍ତି ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା । ଗରାବଡୁ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଏନେଇ ନିଷ୍ପତି ହୋଇଛି ।

ଆଜି ଅତିରିକ୍ତ ଜିଲ୍ଲାପାଳ ବିନୟ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସିଡିଏମଓ ନୀଳକଣ୍ଠ ମିଶ୍ର ଓ ଶ୍ରୀମନ୍ଦିର ପ୍ରଶସାନ ଅଧିକାରୀ ଉପସ୍ଥିତ ଥିଲେ । ତେବେ କୋଭିଡ-୧୯ ଗାଇଡଲାଇନ୍ ମାନି କିଭଳି ସେବାୟତମାନେ ସ୍ନାନ ପୂର୍ଣ୍ଣିମା ନୀତ ସଂପାଦନ କରିବେ ସେନେଇ ବୈଠକରେ ଆଲୋଚନା କରାଯାଇଛି । ସ୍ନାନ ପୂର୍ଣ୍ଣିମାରେ ଗରାବଡୁ ସେବାୟତଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶ୍ରୀଜିଉଙ୍କ ସ୍ନାନ ପାଇଁ ଗରାବଡୁ ସେବାୟତମାନେ ୧୦୮ ଗରା ସୁବାସିତ ଜଳ ଯୋଗାଇ ଦେଇଥାନ୍ତି । ତେବେ ଦେବ ସ୍ନାନ ପୂର୍ଣ୍ଣିମାରେ ଅଧିବାସ ଗୃହରୁ ସ୍ନାନ ମଣ୍ଡପକୁ ଜଳ ଆଣିବା ବେଳେ ସାମାଜିକ ଦୂରତା ରକ୍ଷା କରିବେ ସେବାୟତ ।

ଏହାସହ ମୁହଁରେ ମାସ୍କ ପିନ୍ଧି ପାଣି ଆଣିବେ ଗରାବଡୁ ସେବାୟତ । ଆଜିର ବୈଠକରେ ଏନେଇ ସଚେତନ କରାଇବା ସହ ୨୯ ଓ ୩୦ ତାରିଖ ୨ ଦିନ ଧରି ଗରାବଡୁ ସେବାୟତଙ୍କ କରୋନା ପରୀକ୍ଷା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ କମିଶନ ଅଜୟ କୁମାର ଜେନା । କେବଳ ଗରାବଡୁ ନୁହେଁ ଅନ୍ୟ ସମସ୍ତ ନିଯୋଗର ସେବାୟତଙ୍କର ମଧ୍ୟ କରୋନ ଟେଷ୍ଟ କରାଯିବ । ସେବାୟତଙ୍କ ତାଲିକା ପ୍ରସ୍ତୁତ କରି ପ୍ରଶାସନକୁ ଦେବାକୁ ସଂପୃକ୍ତ ନିଯୋଗକୁ କୁହାଯାଇଛି ।