ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ପାଣ୍ଠି ଅନିୟମିତତା ମାମଲା ! ଶୁଣାଣି ପାଇଁ ମନା କଲେ ବିଚାରପତି

33

55 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଥିବା ନିର୍ବାଚନ ଖର୍ଚ୍ଚ ଅନିୟମିତତା ମାମଲାର ଶୁଣାଣି ପାଇଁ ମନାକଲେ ବିଚାରପତି । ଅନ୍ୟ ଏକ ଖଣ୍ଡପୀଠ ଦ୍ୱାରା ମାମଲାର ଶୁଣାଣି ପାଇ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି ଜଷ୍ଟିସ ଏସକେ ମିଶ୍ର ।

ଆଜି ହାଇକୋର୍ଟରେ ମାମଲାର ଶୁଣାଣି ହେବାର ଥିଲା । ହିଞ୍ଜିଳିର ପରାଜିତ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ଓ ସୂଚନା ଅଧିକାର କର୍ମୀ ସୁବାସ ମହାପାତ୍ରଙ୍କ ପକ୍ଷରୁ ଆଗତ ୨ଟି ମାମଲାର ଶୁଣାଣି ଆଜି ହେବାର ଥିଲା । ନିର୍ବାଚନୀ ପାଣ୍ଠି ଖର୍ଚ୍ଚ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସତ୍ୟପାଠ ଓ ବିଜେଡି ପକ୍ଷରୁ ଦିଆଯାଇଥିବା ହିସାବରେ ତାଳମେଳ ରହୁନଥିବା ଦର୍ଶାଇ ନବୀନଙ୍କ ସଭ୍ୟପଦ ରଦ୍ଦ କରିବାକୁ ଦୁଇଟିଯାକ ମାମଲା ଦାଏର ହୋଇଛି ।

ଏବେ ଆସନ୍ତୁ ଜାଣିବା କଣ ଥିଲା ବିଜେଡି ନିର୍ବାଚନ ଖର୍ଚ୍ଚ ଅନିୟମିତତା ପ୍ରସଙ୍ଗ-

ସାମାଜିକ କର୍ମୀ ସୁବାସ ମହାପାତ୍ରଙ୍କ ଆବେଦନର ଶୁଣାଣି କରି ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଥିଲେ କୋର୍ଟ । ଅଭିଯୋଗ ଅନୁସାରେ ବିଜେଡି ନେତାମାନଙ୍କୁ ନିର୍ବାଚନ ଖର୍ଚ୍ଚ ବାବଦରେ ପାର୍ଟି ପକ୍ଷରୁ ଦିଆଯାଇଥିବା ଟଙ୍କା ଏବଂ ପ୍ରାର୍ଥୀମାନେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠ ଭିତରେ ଏକ ବିରାଟ ଅସଙ୍ଗତି ରହିଥିବା ନେଇ ଅଭିଯୋଗ ହୋଇଥିଲା । ନେତାଙ୍କ ସତ୍ୟପାଠକୁ ନେଇ ବିଜେଡିକୁ କାଠଗଡାରେ ଛିଡା କରିଥିଲେ ସାମାଜିକ କର୍ମୀ ସୁବାସ ମହାପାତ୍ର । ଦଳକୁ ମିଳୁଥିବା ଅନୁଦାନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା ।

ବିଜେଡି କାର୍ଯ୍ୟାଳୟରେ କାମ କରୁଥିବା ଜଣେ ବ୍ୟକ୍ତି ପ୍ରାୟ କୋଟିଏ ଟଙ୍କା ପାର୍ଟି ଆକାଉଂଟରେ ଜମା କରିଥିଲେ । ବିଭିନ୍ନ ସୂତ୍ରରୁ ଦଳକୁ ମିଳୁଥିବା ଅନୁଦାନକୁ ସେ ବିଭିନ୍ନ ପର୍ଯ୍ୟାୟରେ ଜମା କରିଥିବା ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । କେତେକ ବେନାମୀ ଆକାଉଂଟରୁ କୋଟିକୋଟି ଟଙ୍କା ବିଜେଡି ଆକାଉଂଟକୁ ଟ୍ରାନ୍ସଫର ହୋଇଥିବା ମଧ୍ୟ ଅଭିଯୋଗ କରିଥିଲେ ସୁବାସ ମହାପାତ୍ର । ଏସବିଆଇ, ଭୁବନେଶ୍ୱର ମେନ ବ୍ରାଂଚ ନାଁରେ ଥିବା ଆକାଉଂଟରୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଅଭିଯୋଗ ହୋଇଥିଲା ।